କରୋନା କଷଣ, ଏସ୍‌ସିବିରେ ୮ ଦିନରେ ଗଲାଣି ୧୩୯ ଜୀବନ

କଟକ:  କଟକର ବଡ଼ ଡାକ୍ତରଖାନା (ଏସ୍‌ସିବି)ରେ କରୋନାର କଷଣ କିଭଳି, କିଛିଦିନର ମୃତ୍ୟୁସଂଖ୍ୟାରୁ ତାହା ସ୍ପଷ୍ଟ ଜଣାପଡ଼ିବ। ଏକ ରିପୋର୍ଟ ଅନୁସାରେ, ୮ ଦିନ ୧୩୯ ଜଣଙ୍କର ମୃତ୍ୟୁ ହୋଇଛି। ଯଦି ଅନ୍ୟ କୋଭିଡ୍‌ ହସ୍ପିଟାଲର ମୃତକଙ୍କୁ ହିସାବକୁ ନିଆଯାଏ, ଏହି ସମୟସୀମା ମଧ୍ୟରେ ସଂଖ୍ୟା ୧୫୪ରେ ପହଞ୍ଚିବ। ଏହି ମୃତକଙ୍କ ମଧ୍ୟରେ ଅଛନ୍ତି ଉଭୟ କୋଭିଡ୍‌ ଓ ନନ୍‌-କୋଭିଡ୍ ରୋଗୀ। ଅନ୍ୟପଟେ ସରକାରୀ ତଥ୍ୟ ଅନୁସାରେ, ଜିଲ୍ଲାରେ କରୋନାରେ ୫୯ ଜଣଙ୍କର ମୃତ୍ୟୁ ହୋଇଛି।

ଏସ୍‌ସିବି ଆଇସୋଲେସନ ୱାର୍ଡର ସ୍ଥିତି ଏମିତି ଯେ ସଂକ୍ରମିତ ଓ ସନ୍ଦିଗ୍ଧ, ସମସ୍ତଙ୍କ ପାଇଁ ଏକା ନିୟମ। ଏବେ ୩୦୦ରୁ ଅଧିକ ଆକ୍ରାନ୍ତ ଓ ସନ୍ଦିଗ୍ଧ ଏସ୍‌ସିବି ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଏସ୍‌ସିବି ଆଇସୋଲେସନ ୱାର୍ଡ ଓ ବିଭିନ୍ନ କୋଭିଡ ହସ୍ପିଟାଲରେ ୧୪ ତାରିଖରେ ୧୭ଜଣ, ୧୫ରେ ୨୧ଜଣ, ୧୬ରେ ୧୮ଜଣ, ୧୭ ତାରିଖରେ ୨୨ଜଣ, ୧୮ରେ ୧୮ଜଣ, ୧୯ରେ ୧୯ଜଣ, ୨୦ରେ ୧୮ଜଣ ଓ ଗତକାଲି ୨୧ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି। ଏଥିରୁ ସର୍ବାଧିକ ଏସସିବି ଆଇସୋଲେସନ ୱାର୍ଡରେ ମୃତ୍ୟୁ ଘଟିଥିବାବେଳେ ୧୫ଜଣଙ୍କର ଅନ୍ୟ କୋଭିଡ ହସ୍ପିଟାଲରେ ମୃତ୍ୟୁ ଘଟିଛି।

ଅନ୍ୟପଟେ ଆଇସୋଲେସନ ୱାର୍ଡକୁ ଯାଉଥିବା ରୋଗୀ କରୋନା ସଂକ୍ରମିତ ହେଉ ବା ନହେଉ ସଂପର୍କୀୟଙ୍କୁ ଶବ ମନା। ଯାହାକୁ ନେଇ ଏବେ ଅସନ୍ତୋଷ ବଢିବାରେ ଲାଗିଛି। ଏ ସମ୍ପର୍କରେ ସିଏମସି କମିସନର ଅନ୍ୟାନ୍ୟ ଦାସ କହିଛନ୍ତି ଯେ, ‘ଯେତିକି ମୃତକଙ୍କ ତାଲିକା ଆସୁଛି ସେହି ଅନୁସାରେ ସିଏମସି ପକ୍ଷରୁ ସହରର ୩ଟି ସ୍ଥାନରେ ଶବ ସତ୍କାର କରାଯାଉଛି। ଏସ୍‌ସିବିରେ ଯେହେତୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି, ସେଥିପାଇଁ ସିଏମସି ପକ୍ଷରୁ ୨ଜଣ ସୁପରଭାଇଜର ଓ ୬ଜଣ ଆଟେଣ୍ଡାଣ୍ଟଙ୍କୁ ନିୟୋଜିତ କରାଯାଇଛି। ଆଇସୋଲେସନରେ ଯେହେତୁ ସଂକ୍ରମିତ ଓ ସନ୍ଦିଗ୍ଧ ରୋଗୀ ରହୁଛନ୍ତି ସେଥିପାଇଁ ନନ କୋଭିଡ ମୃତ୍ୟୁ ଜାଣିଲେ ମଧ କାଳେ ସଂକ୍ରମଣ ହେବ, ସେଥିପାଇଁ ବାଧ୍ୟ ହୋଇ କୋଭିଡ ଗାଇଡଲାଇନ ଅନୁସାରେ ଶବ ସତ୍କାର କରାଯାଉଛି। ’ ଅନ୍ୟପଟେ ଏସସିବିର ଜଣେ ବରିଷ୍ଠ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ରୋଗୀ ଶେଷ ସମୟରେ ଚିକିତ୍ସା ପାଇଁ ଆସୁଥିବାରୁ ଏଭଳି ମୃତ୍ୟୁ ଘଟୁଛି।

ସମ୍ବନ୍ଧିତ ଖବର