କେମିତି ସାକାର ହେବ ଏସ୍‌ସିବି ବିଶ୍ବସ୍ତରୀୟ ସ୍ୱପ୍ନ? ମେଡିସିନ୍‌ ବିଭାଗରେ ଅଧାରୁ ଅଧିକ ଡାକ୍ତର ପଦବି ଖାଲି

୮ରୁ ଅଛନ୍ତି ୨ ଆସୋସିଏଟ୍‌ ପ୍ରଫେସର; ୧୫ରୁ ଅଛନ୍ତି ୨ ଏସ୍‌ଆର୍‌
୮୭ ପିଜି ଡାକ୍ତରଙ୍କ ପାଠପଢା, ଗବେଷଣାକୁ ନେଇ ସମସ୍ୟା

କଟକ : କଟକ ବଡ଼ ମେଡିକାଲକୁ ବିଶ୍ବସ୍ତରୀୟ କରିବାର ସ୍ବପ୍ନ କେମିତି ସାକାର ହେବ? ସବୁଠୁ ଗୁରୁତ୍ବପୂର୍ଣ୍ଣ ମେଡିସିନ୍ ବିଭାଗରେ ଅଧାରୁ ଅଧିକ ଡାକ୍ତର ପଦବି ଖାଲି ପଡିବା ଘଟଣା ଏବେ ଏହିଭଳି ପ୍ରଶ୍ନ ସୃଷ୍ଟି କରିଛି। କେବଳ ରୋଗୀ ସେବା ନୁହେଁ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢା ବି ଏଥିରେ ଗୁରୁତର ଭାବେ ବ୍ୟାହତ ହେଉଛି। ନୂଆ ମେଡିକାଲ କଲେଜ ଖୋଲିବା ଯୋଜନାରେ ରାଜ୍ୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ଏସ୍‌ସିବି ମେଡିକାଲ କଲେଜକୁ ଏଭଳି ସ୍ଥିତିକୁ ଠେଲି ଦିଆଯାଇଛି।

ରାଜ୍ୟର ସବୁଠାରୁ ବଡ ରେଫରାଲ ମେଡିକାଲ କଲେଜ ହେଉଛି କଟକ ବଡ଼ ଡାକ୍ତରଖାନା। ‌ପୁଣି ସବୁଠାରୁ ବଡ଼ ବିଭାଗ ହେଉଛି ମେଡିସିନ୍‌। ପ୍ରତିଦିନ ମେଡିସିନ୍ ବିଭାଗ ଓପିଡିକୁ ହାରାହାରି ଏକ ହଜାର ରୋଗୀ ଆସୁଥିବା ବେଳେ ଶହେରୁ ଅଧିକ ରୋଗୀ ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ବିଭାଗର ୪୫ ଜଣ ବିଶେଷଜ୍ଞ ଡାକ୍ତର ପଦବିରେ ଅଛନ୍ତି ମାତ୍ର ୨୨ଜଣ। ସେଥିରୁ କେତେ ଜଣ ଅନ୍ୟ ବିଭାଗକୁ ଡେପୁଟେସନ୍‌ରେ ଯାଇଥିବା ବେଳେ ୧୪ଜଣ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ପ୍ରଫେସର କାର୍ଯ୍ୟ କରୁଛନ୍ତି। ଅଂଶୁଘାତ, ଆଇସିୟୁ, ଡାଇରିଆ ଭଳି ଅନେକ ବିଭାଗ ରହିଛି ଏହି ବିଭାଗ ଡାକ୍ତରଙ୍କ ତତ୍ତ୍ବାବଧାନରେ। ରୋଗୀସେବା ସହିତ ୮୭ ଜଣ ପିଜି ଡାକ୍ତରଙ୍କୁ ପାଠ ପଢାଇବା ଏବଂ ଏକାଡେମିକ୍‌ ରିସର୍ଚ୍ଚ କାର୍ଯ୍ୟ ଏହାଦ୍ବାରା ପ୍ରଭାବିତ ହେଉଛି। ଗତମାସରେ ବିଭାଗର ଅନେକ ଡାକ୍ତରଙ୍କୁ ପଦୋନ୍ନତି ଦିଆଯାଇ ଅନ୍ୟ ମେଡିକାଲକୁ ବଦଳି କରାଯିବା ଫଳରେ ଏସ୍‌ସିବି ମେଡିସିନ୍‌ ବିଭାଗରେ ଏବେ ଡାକ୍ତର ସଙ୍କଟ ଦେଖାଦେଇଛି।

କଟକ ବଡ ଡାକ୍ତରଖାନାରେ ମେଡିସିନ୍‌ ବିଭାଗରେ ରହିଛି ୮ଟି ୟୁନିଟ୍‌। ସେଥିରୁ ଗୋଟିଏ ରୁମାଟୋଲୋଜି ବିଭାଗର ୟୁନିଟ୍‌ ରହିଥିବାବେଳେ ବାକି ୭ଟି ଯୁନିଟ୍‌ ମେଡିସିନ୍‌ ବିଭାଗ ହାତରେ ରହିଛି। ବିଭାଗର ୪ ଜଣ ‌ପ୍ରଫେସରଙ୍କ ମଧ୍ୟରୁ ୩ଜଣ ପ୍ରଫେସରଙ୍କ ଦାୟିତ୍ବରେ ମେଡିସିନ୍‌ ବିଭାଗର ୭ଟି ୟୁନିଟ୍‌ ରହିଛି। କିନ୍ତୁ ବିଭାଗରେ ୮ଜଣ ଆସୋସିଏଟ୍‌ ପ୍ରଫେସର ପଦବି ରହିଥିବା ବେଳେ ଅଛନ୍ତି ମାତ୍ର ୨ ଜଣ। ସେହିପରି ୧୮ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ଥ‌ାନରେ ୧୬ ଜଣ ଅଛନ୍ତି। କିନ୍ତୁ ସେଥିରୁ ୧୪ ଜଣ ଚୁକ୍ତିଭିତ୍ତିକ ଡାକ୍ତର ହୋଇଥିବା ବେଳେ ଜଣେ ନେଫ୍ରୋଲୋଜି ବିଭାଗକୁ ଡେପୁଟେସନ୍‌ରେ ଯାଇଛନ୍ତି ଏବଂ ଜଣେ ଛୁଟିରେ ରହିଛନ୍ତି। ସେହିଭଳି ୧୫ଜଣ ସିନିୟର ରେସିଡେଣ୍ଟଙ୍କ ସ୍ଥାନରେ ଅଛନ୍ତି ମ‌ାତ୍ର ୨ଜଣ। ଏସ୍‌ସିବି ମେଡିସିନ୍‌ ବିଭାଗ ଭଳି ଅନେକ ବିଭାଗରେ ଏବେ ଏଭଳି ଡାକ୍ତର ସଙ୍କଟ ଉତ୍କଟ ହେବାରେ ଲାଗିଛି। ଆବଶ୍ୟକ ଡାକ୍ତର ପଦବି ପୂରଣ ନ କରି ସରକାର କେବଳ ନୂଆ ମେଡିକାଲ କଲେଜ ଖୋଲି ଚାଲିଲେ ଆଗକୁ ରୋଗୀ ଚିକିତ୍ସା ସହ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢା ଗୁରୁତରଭାବେ ପ୍ରଭାବିତ ହେବାଭଳି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର