କଲେଜରେ ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କ ଆଡମିସନ୍ ନେଇ ନିଜର ମତ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ। ସେ କହିଛନ୍ତି, ଯେଉଁ କଲେଜରେ ଯେତିକି ସିଟ୍, ସେହି ଅନୁସାରେ ଛାତ୍ରଛାତ୍ରୀ ଆବେଦନ କରିବେ। ଆଜି ସମୟ ହେଉଛି ପ୍ରତିଯୋଗିତାର ସମୟ। ଏହା ପ୍ରତିଯୋଗିତାମୂଳକ ସମୟ। ପିଲାମାନେ ମାନସିକ ଭାବେ ପ୍ରସ୍ତୁତ ହୋଇଥିବେ, ଯେଉଁ କଲେଜରେ ପଢିବାକୁ ସେମାନଙ୍କ ଆଗ୍ରହ ଥିବ, ସେମାନେ ଯୋଗ୍ୟତା କରି ପଢ଼ିବେ। ଯେତିକି ସିଟ କଲେଜରେ ଅଛି, ତାହା ଯଥେଷ୍ଟ। ଗତ ବର୍ଷ କୋଭିଡ ସମୟରେ ୯୭ ପ୍ରତିଶତ ପାସ୍ ହାର ଥିଲା, ସିଟ ବଢିଥିଲା। ଚଳିତ ଥର ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ।

ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୯୦.୫୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯାହାକି ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ୨୦୨୧ରେ ବିନା ପରୀକ୍ଷାରେ ପରୀକ୍ଷାଫଳ ପ୍ରକାଶ ପାଇଥିବାରୁ ସେହି ବର୍ଷର ପାସ୍ ହାର ୯୭ ପ୍ରତିଶତ ରହିଥିଲା। କିନ୍ତୁ ୨୦୨୦ରେ ହୋଇଥିବା ପରୀକ୍ଷାରେ ୭୮.୭୬ ପ୍ରତିଶତ ପାସ୍ ହାର ଥିବାବେଳେ ଚଳିତ ବର୍ଷ ତାହା ୯୦ ପ୍ରତିଶତ ଟପି ଯାଇଛି। ପୂର୍ବରୁ ୨୦୧୭ରେ ସର୍ବାଧିକ ୮୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ। ସେହିଭଳି ୨୦୨୦ରେ ଏ-୧ ଗ୍ରେଡ୍‌ (୯୦ ପ୍ରତିଶତରୁ ଅଧିକ)ରେ ସର୍ବାଧିକ ୧୨୭୬ ଜଣ ପାସ୍ କରିଥିବା ବେଳେ ଚଳିତବର୍ଷ ଏହା ୮୧୧୯ରେ ପହଞ୍ଚିଛି। ଅନ୍ୟପଟେ ଯେତିକି ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ସେମାନଙ୍କ ମଧ୍ୟରୁ ୫୬.୯୯ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଚଳିତବର୍ଷ ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ପରୀକ୍ଷା (୪ଟି ଏଫ୍‌ଏ ଓ ୨ଟି ଏସ୍‌ଏ) କରାଯିବା ସହିତ ଫଳ ପ୍ରକାଶନ ପାଇଁ ତିନିଟି ପଦ୍ଧତି ଅବଲମ୍ବନ କରାଯାଇଥିଲା ବେଳେ ଏଭଳି ଚକିତ କଲା ଭଳି ପରୀକ୍ଷାଫଳ ଆସିଥିବା କୁହାଯାଉଛି। ଅନ୍ୟପଟେ ରାଜ୍ୟରେ ୩ଟି ସ୍କୁଲରେ କେହି ପିଲା ପାସ୍‌ କରି ନଥିବା ବେଳେ ୧୧୭୦ଟି ସ୍କୁଲରେ ସମସ୍ତେ ପାସ୍ କରିଛନ୍ତି।

ସମ୍ବନ୍ଧିତ ଖବର