ଚଲୋ ସ୍କୁଲ୍‌ ଚଲେ ହମ: ପ୍ରଥମ ଦିନରେ କମିଲା ଉପସ୍ଥାନ,ଆରମ୍ଭ ହେଲା ପାଠପଢ଼ା

୩୨ହଜାର ୨୭୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆସିଲେ ୯ହଜାର୫୩୪

ବାରିପଦା: ପୁଣି ରାଜରାସ୍ତାରେ ଗଡ଼ିଲା ୟନିଫର୍ମ ପିନ୍ଧା ସ୍କୁଲ୍‌ ପଢ଼ୁଆ ଛାତ୍ରଛାତ୍ରୀଙ୍କ ସାଇକେଲ୍‌। ଛାତ୍ରଛାତ୍ରୀଙ୍କୁ ନେଇ ପୁରିଲା ପୁରିଲା ଲାଗିଲା ରାସ୍ତାଘାଟ। ଆଉ ସବୁଠୁ ଖୁସି ହେ‌ଲା ବିଦ୍ୟାଳୟ ହତା। ଆଜି ଦୀର୍ଘ ମାସର ବ୍ୟବଧାନ ପରେ ଖୋଲିଛି ବିଦ୍ୟାଳୟ। କେବଳ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି ପାଠପଢ଼ା। ବାଧ୍ୟତାମୂଳକ ମାସ୍କ ପିନ୍ଧିବା ସହିତ ସ୍କୁଲ୍‌କୁ ପଶୁ ପଶୁ ହାତ ଧୋଇବା ସାନିଟାଇଜର୍‌ ବ୍ୟବହାର କରିବା ଆଉ ଶ୍ରେଣୀଗୃହରେ ପରୀକ୍ଷା ଭଳି ଅଲଗା ଅଲଗା ବସିବା, ଏସବୁକୁ ନେଇ ଛାତ୍ରଛାତ୍ରୀ ଆଜିଠାରୁ ପାଠପଢ଼ା ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଉଭୟ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ସମସ୍ତେ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି। ତେବେ ପ୍ରଥମ ଦିନରେ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଥିବା ପରିଲକ୍ଷିତ ହୋଇଛି। ଜିଲ୍ଲାରେ ଥିବା ୫୨୧ ବିଦ୍ୟାଳୟର ମୋଟ ୩୨ହଜାର୨୭୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୯ହଜାର୫୩୪ ଜଣ ଆଜି ପ୍ରଥମ ଦିନରେ ବିଦ୍ୟାଳୟକୁ ଆସିଥିଲେ। ଯାହାକି ୩୦ପ୍ରତିଶତୁର ମଧ୍ୟ କମ। ପ୍ରଥମ ଦିନରେ ମାତ୍ର ୨୯.୫୪ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ୍‌କୁ ଆସିଥିବା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ସୂଚନା ଦେଇଛନ୍ତି। ସେହିପରି ୪ହଜାର ୨୩୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୪ହଜାର ୭୭ ଜଣ ବିଦ୍ୟାଳୟକୁ ଆସିଛନ୍ତି। ୧୦ହଜାର ୨୫୫ଜଣ ଛାତ୍ରଛାତ୍ରୀ ସହମତି ପତ୍ର ପ୍ରଦାନ କରିଛନ୍ତି। ସଦରମହକୁମାରେ ଥିବା ଏମ୍‌କେସି ହାଇସ୍କୁଲ୍‌ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୭୪। ମାତ୍ର ପ୍ରଥମ ଦିନରେ ମାତ୍ର ୬୧ଜଣ ବିଦ୍ୟାଳୟକୁ ଆସିଛନ୍ତି। ଜିଲ୍ଲାର ସବୁ ସ୍କୁଲ୍‌ରେ ଏପରି ସ୍ଥିତି ହୋଇଥିବା ଜଣାପଡ଼ିଛି। ଜିଲ୍ଲାର ସବୁ ସ୍କୁଲ୍‌ଗୁଡ଼ିକରେ କରୋନାଜନିତ ମାର୍ଗଦର୍ଶିକାକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ବେଶ୍‌ ଉତ୍ସାହିତ ଥିଲେ। ୧୦୦ ଦିନ ମଧ୍ୟରେ କିପରି କୋର୍ସ ସାରିବେ ଏବଂ ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବେ, ସେନେଇ ସେମାନେ ତତ୍ପର ଥିବା ଦେଖାଯାଇଥିଲା। ଅନୁରୂପଭାବେ ଛାତ୍ରଛାତ୍ରୀମାନେ ମଧ୍ୟ ପାଠପଢ଼ାକୁ ନେଇ ବେଶ୍‌ ସଚେତନ ଥିଲେ। ଆଜିଠାରୁ ଆଗାମୀ ଶହେ ଦିନ ପର୍ଯ୍ୟନ୍ତ ଆଉ ଛୁଟି ନାହିଁ। ତେଣୁ ମାନସିକ ଭାବେ ଉଭୟ ଛାତ୍ରଛାତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଦୃଢ଼ତା ଦେଖାଇଛନ୍ତି।

ବିଦ୍ୟାଳୟରେ ସକରାତ୍ମକ ଭାବନା ରହିଛି

ଆଜି ବିଦ୍ୟାଳୟ ଖୋଲିବା ପରେ ଉଭୟ ଶିକ୍ଷକସମାଜ ଏବଂ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି। ଆଗାମୀ ୧୦୦ ଦିନ ପର୍ଯ୍ୟନ୍ତ ଏକ ସାଧନାର ସମୟ ରହିବ। ଏହାକୁ ସମସ୍ତେ ଗ୍ରହଣ କରିଥିବା ପରିଲକ୍ଷିତ ହୋଇଛି। କରୋନା କାରଣରୁ ସରକାର ଜାରି କରିଥିବା ସମସ୍ତ ମାର୍ଗଦର୍ଶୀକାକୁ ଅନୁପାଳନ ପୂର୍ବକ ପାଠପଢ଼ା ଆରମ୍ଭ ହୋଇଛି। ଯଦିଓ ପ୍ରଥମ ଦିନରେ ଉପସ୍ଥାନ କମ ଅଛି ତଥାପି ଆଗାମୀ ଦିନରେ ଏହା ସଠିକ ସ୍ଥିତିକୁ ଆସିବ ବୋଲି ବିଶ୍ବାସ ରହିଛି। ବିନା କିଛି ଚାପରେ ପାଠ ପଢ଼ା ହେବ ବୋଲି କହିଛନ୍ତି ଏମକେସି ହାଇସ୍କୁଲ୍‌ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅତୁଲ କୁମାର ପରିଡ଼ା।

ପୁଣିଥରେ ସ୍କୁଲ୍‌ ଖୋଲିଛି ଏବଂ ପାଠ ପଢ଼ା ଆରମ୍ଭ ହୋଇଛି। ଏହାକୁ ବିଶ୍ବାସ କରିହେଉନି। କରୋନାର କରାଳ ରୂପ ଯେପରି ଗ୍ରାସ କରିଥିଲା ଏହା ସମସ୍ତଙ୍କୁ ଭୟଭୀତ କରିଦେଇଥିଲା। ତେବେ ପିଲାଙ୍କ ପାଠପଢ଼ା ପୁଣି ଆରମ୍ଭ ହୋଇଥିବାରୁ ବେଶ୍‌ ଖୁସି ଲାଗୁଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ କିଛିଟା କଡ଼ା ନିୟମ ମଧ୍ୟରେ ହେଉ ପଛେ ପାଠପଢ଼ା ଆରମ୍ଭ ହେବା ଭଲକଥା‌ ବୋଲି କହିଛନ୍ତି ତୁଳସୀଚଉରା ଅଭିଭାବକ ଜୟନ୍ତୀ ପାଣିଗ୍ରାହୀ।

ସ୍କୁଲ୍‌ ଖୋଲିବା ପରେ ପାଠ ପଢ଼ା ଆରମ୍ଭ ହୋଇଛି। ଅନ୍‌ଲାଇନ କ୍ଲାସରେ ପଢ଼ା ହୋଇଥିବା ପାଠକୁ ନେଇ ମନରେ ଥିବା ଡାଉଟ୍‌ କ୍ଲିୟର୍‌ ଉପରେ ଧ୍ୟାନ ଦେଉଛୁ। ତେବେ ସ୍କୁଲ୍‌ରେ ହେଉଥିବା ଆଗଭଳି ମଜା ମସ୍ତି ଆଉ ନାହିଁ। ସାମାଜିକ ଦୂରତା ପାଳନ କରାଯାଉଥିବାରୁ ସାଙ୍ଗସାଥୀଙ୍କ ସହିତ ହସଖୁସି କମିଯାଇଛି। ଶହେ ଦିନର ପାଠ ପଢ଼ାରେ ଯଦି ଆମର ସବୁ ପାଠ ଠିକ୍‌ ହୋଇଗଲା ତ‌େବେ ବହୁତ ଭଲ ବୋଲି କହିଛନ୍ତି ଏମ୍‌କେସି ହାଇସ୍କୁଲ୍‌ ଛାତ୍ରୀ ଅନପୂର୍ଣ୍ଣା ଜେନା,

ସମ୍ପୂର୍ଣ୍ଣ ସୁରକ୍ଷିତ ବାତାବରଣରେ ଛାତ୍ରଛାତ୍ରୀ ପଢ଼ୁଛନ୍ତି

ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ସୁରକ୍ଷିତ ବାତାବରଣ ଯୋଗାଇଦିଆଯାଇଛି। ସରକାର ଜାରି କରାଯାଇଥିବା କରୋନାଜନିତ ମାର୍ଗଦର୍ଶିକାକୁ ପାଳନ କରାଯାଉଛି। ଏଥିସହିତ ପାଠପଢ଼ାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଦୀର୍ଘ ମାସ ପରେ ସ୍କୁଲ୍‌ ଖୋଲିଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ବାରିପଦା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ରତିକାନ୍ତ ଜେନା।

ମୟୂରଭଞ୍ଜରେ ସରକାରୀ ଏବଂ ଘରୋଇ ମିଶି ୧୦୧ଟି ହାୟର ସେକେଣ୍ଡାରୀ ସ୍କୁଲ୍‌ ଅଛି। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ +୨ ୨ୟ ବର୍ଷରେ ଚଳିତ ଶିକ୍ଷା ବର୍ଷରେ ଜିଲ୍ଲାରେ ପ୍ରାୟ ୨୦ହଜାରୁ ଊର୍ଧ୍ବ ପିଲା ପାଠ ପଢ଼ୁଛନ୍ତି। ମାତ୍ର ପ୍ରଥମ ଦିନରେ ଉପସ୍ଥାନ କମ ରହିଛି। ପ୍ରାୟ ୭ହଜାର ଛାତ୍ରଛାତ୍ରୀ ଶ୍ରେଣୀକୁ ଆସିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ନିଶ୍ଚୟ ବଢ଼ିବ। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସରକାରୀ ମାର୍ଗଦର୍ଶିକାକୁ ପାଳନ କରାଯାଉଛି ବୋଲି କହିଛନ୍ତି ଜୟଦେବ ପରମାଣିକ, ସିଏଚ୍‌ଏସଇ ଉତ୍ତର ଓଡ଼ିଶା ଜୋନ୍‌ ମୁଖ୍ୟ।

ସମ୍ବନ୍ଧିତ ଖବର