ଆଲୋଚନାଚକ୍ରରେ ଅତିଥିମାନଙ୍କ ମତ: ବୈଜ୍ଞାନିକ ଦୃଷ୍ଟିକୋଣରୁ ମକର ସଂକ୍ରାନ୍ତିର ମହତ୍ତ୍ୱ ବହୁ ଅଧିକ

ଭୁବନେଶ୍ବର : ମକର ସଂକ୍ରାନ୍ତି ଆମ ସଂସ୍କୃତିର ଏକ ବଳିଷ୍ଠ ଅଙ୍ଗ। ସାମାଜିକ, ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ମକର ସଂକ୍ରାନ୍ତିର ମହତ୍ତ୍ୱ ବହୁ ଅଧିକ ବୋଲି ‘ମାତୃଭୂମି ଓ ମାତୃଭାଷା’ ସଂଗୋଷ୍ଠୀ ଦ୍ୱାରା ଆୟୋଜିତ ‘ମକର ସଂକ୍ରାନ୍ତି : ବିଜ୍ଞାନ ଓ ଦର୍ଶନ’ ଶୀର୍ଷକ ଏକ ଆଭାସୀ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

କବୟିତ୍ରୀ ମିନତୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାରେ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ତଥା ସମ୍ବଲପୁର ଡାକ୍ତର ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ କହିଲେ, ଭୂଲୋକର ଗୋଟିଏ ବର୍ଷ ହେଉଛି ଦେବତାମାନଙ୍କ ଗୋଟିଏ ଦିନ ଏବଂ ମକର ସଂକ୍ରାନ୍ତି ହେଉଛି ଏହାର ପ୍ରତ୍ୟୁଷ ମୁହୂର୍ତ୍ତ। ସେଥିପାଇଁ ସୂର୍ଯ୍ୟ ଦେବଙ୍କର ଉତ୍ତରାୟଣକୁ ଦେବଲୋକର ଦିନ ଭାବରେ ଅଭିହିତ କରାଯାଏ। ଚଳିତ ବର୍ଷ ପରି ପ୍ରତି ୨୯ ବର୍ଷ ବ୍ୟବଧାନରେ ସୂର୍ଯ୍ୟଦେବ ଓ ଶନିଦେବ ଗୋଟିଏ ସ୍ଥାନରେ ଅବସ୍ଥାନ କରନ୍ତି। ଆମ ରାଜ୍ୟ ବ୍ୟତିରେକ ଅନେକ ରାଜ୍ୟ ଏହି ପବିତ୍ର ଦିନକୁ ଭିନ୍ନ ଭିନ୍ନ ନାମ ତଥା ଢଙ୍ଗରେ ପାଳନ କରିଥାନ୍ତି । ମତ ପାର୍ଥକ୍ୟ ଭୁଲିଯାଇ ପରସ୍ପର ମଧ୍ୟରେ ‘ମକର’ ବସିବାର ବାର୍ତ୍ତା ବାଣ୍ଟୁଛି ଏହି ସଂକ୍ରାନ୍ତି। ଆଜିର ଦିନଟି ବି ଓଡ଼ିଆ ସାହିତ୍ୟର ଅଗ୍ରଗଣ୍ୟ ସ୍ରଷ୍ଟା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମତିଥି ବୋଲି ସେ କହିଥିଲେ।

ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ ଆଦିତ୍ୟ ବାହିନୀ ଗୋବର୍ଦ୍ଧନ ପୀଠ, ପୁରୀର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଭାରତୀୟ ସନାତନ ସଂସ୍କୃତିରେ ମକର ସଂକ୍ରାନ୍ତିର ମହତ୍ତ୍ୱକୁ ଅତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ମହାଭାରତ ଯୁଦ୍ଧରେ ଶରଶଯ୍ୟାରେ ରହି ଆଜିର ଦିନକୁ ଅପେକ୍ଷା କରି ଇଚ୍ଛାମୃତ୍ୟୁକୁ ଆଦରି ନେଇଥିବା ପିତାମହ ଭୀଷ୍ମଙ୍କ କଥା ସେ ମନେ ପକାଇ ଦେଇଥିଲେ । ଉତ୍କଳୀୟ ପରମ୍ପରାରେ ପର୍ବପର୍ବାଣୀକୁ ଚଳନ୍ତି ଧର୍ମର ପ୍ରତୀକ ବୋଲି ମଧ୍ୟ ସେ ସୂଚାଇ ଦେଇଥିଲେ । ସଂଗୋଷ୍ଠୀର ଉଦ୍ୟୋକ୍ତା ତଥା ବିଶିଷ୍ଟ ସ୍ତମ୍ଭକାର ଉପେନ୍ଦ୍ର ବିଶ୍ବାଳଙ୍କୁ ସେ ଭାଷା, ସାହିତ୍ୟ ଓ ସଂସ୍କୃତିର ଜଣେ ନେପଥ୍ୟ ନାୟକ ଭାବେ ଦର୍ଶାଇ ସେ ସାଧୁବାଦ ଜଣାଇଥିଲେ। ପ୍ରଥମେ ଆରତି ଦାସ ପରିଚୟ ପ୍ରଦାନ କରିଥିଲା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ କଣ୍ଠଶିଳ୍ପୀ ଶ୍ବେତଲିସା ଶୁଭଦର୍ଶିନୀ ମଲ୍ଲିକ ଏକ ସୁନ୍ଦର ଭକ୍ତି ସଂଗୀତ ଗାନ କରିଥିଲେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳର ସ୍ନାତକୋତ୍ତର ଛାତ୍ରୀ ରାଜଲକ୍ଷ୍ମୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର