ଆଜି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା, ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଗୁରୁବାର ପବିତ୍ର ଦୀପାବଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ପ୍ରତିବର୍ଷ ପବିତ୍ର ଦୀପାବଳିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କାଉଁରିଆ କାଠି ଜାଳି ବଡ଼ବଡ଼ୁଆଙ୍କୁ ଆବାହନ କରିଥାନ୍ତି, ଆତ୍ମୀୟସ୍ବଜନ। ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ବାରରେ ଦୀପାବଳି ସଂଧ୍ୟାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମେ। ଏହା ସଂକ୍ରମଣ ବଢ଼ାଇବା ଆଶଙ୍କା ରହିଥିବାରୁ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ସିଂହଦ୍ବାର ସହ ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରିଛି। ବୁଧବାର ଏ ନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ବିଧିବଦ୍ଧି ବିଜ୍ଞପ୍ତି ଜାରି କରିଛନ୍ତି। ସେପଟେ ଦୀପାବଳି ଉପଲକ୍ଷେ ଭିଡ଼କୁ ନଜରରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି। ଏହି ଦୃଷ୍ଟିରୁ ଆଜି ଦିନତମାମ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ୪ ତାରିଖରେ ସିଂହଦ୍ବାର ଓ ଏହାର ଚତୁଃପାର୍ଶ୍ବରେ ଜନ ସମାଗମ ଉପରେ ରୋକ୍‌ ଲଗାଇବାକୁ ଯାଇ ୧୪୪ ଧାରା ଜାରି କରାଯାଇଛି। ଏହି କଟକଣା ୪ ତାରିଖ ଭୋର ୪ଟାରୁ ଲାଗୁ ହେବ। ଭୋର ୪ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଆସନ୍ତାକାଲି ସାଧାରଣ ଦର୍ଶନ ବନ୍ଦ ରହୁଥିବା ବେଳେ ନୀତିକାନ୍ତି ସ୍ବାଭାବିକ ଚାଲିବ।

ଅନ୍ୟପଟେ ଯେହେତୁ ଦୀପାବଳିରେ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଘୋଷଣା ହୋଇଥିଲା, ଏହି ଦୃଷ୍ଟିରୁ ଆଜି ସକାଳୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଭିଡ଼ ଲଗାଇଥିଲେ। ରାଜ୍ୟ ବାହାର ଭକ୍ତଙ୍କ ସହ ପୁରୀ ସହରବାସୀ ବି ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ। ସଂଧ୍ୟା ସୁଦ୍ଧା ପ୍ରାୟ ୩୫ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବା ଜଣାପଡ଼ିଛି। ପୁଣି ଶୁକ୍ରବାରଠାରୁ ଦର୍ଶନ ସ୍ବାଭାବିକ ହେବ। ଶୁକ୍ରବାର ଓ ଶନିବାର ମହାପ୍ରଭୁଙ୍କ ଦର୍ଶନ ପରେ ରବିବାର ଦର୍ଶନ ବନ୍ଦ ରହିବ।

ସମ୍ବନ୍ଧିତ ଖବର