ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା: ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତାର ପ୍ରତୀକ ଥିଲେ ବସନ୍ତ

ଭୁବନେଶ୍ୱର : ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତାର ପ୍ରତୀକ ଥିଲେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ। ସେ ଓଡ଼ିଶା ପ୍ରଶାସନିକ ସେବା ଚାକିରି ଛାଡ଼ି ସାମ୍ବାଦିକତା ଜଗତରେ ପାଦ ଥାପିଥିଲେ। ମିଡିଆ ଏକାଡେମି ପକ୍ଷରୁ ଅନ୍‌ଲାଇନ୍‌‌‌‌ରେ ଆୟୋଜିତ ବରିଷ୍ଠ ସାମ୍ବାଦିକ, ବିଶିଷ୍ଟ ସ୍ତମ୍ଭକାର, ସାହିତ୍ୟିକ ତଥା ରାଜନୈତିକ ବିଶ୍ଲେଷକ ସ୍ୱର୍ଗତ ବସନ୍ତ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଏପରି ମତବ୍ୟକ୍ତ କରିଛନ୍ତି। ଏକାଡେମିର ମୁଖ୍ୟ ସଂଯୋଜକ ତଥା ସମାଜସେବୀ ଡ. ଆର୍ଯ୍ୟକୁମାର ଜ୍ଞା‌ନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକାଡେମିର କର୍ମକର୍ତ୍ତା ଡ. ବଦ୍ରିନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ପରେ ଶ୍ରୀମଦ୍‌ ବାବାବଳିଆ ଦେଇଥିବା ବାର୍ତ୍ତା ଓ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବାର୍ତ୍ତା ପାଠ କରାଯାଇଥିଲା।

ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଓ ଖଣ୍ଡଗିରି ଦିବ୍ୟଜୀବନ ସଂଘର ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ କହିଥିଲେ ଯେ ବସନ୍ତ ବାବୁ ପରମାତ୍ମାଙ୍କ ପ୍ରତି ସମର୍ପିତ ଜଣେ ବ୍ୟକ୍ତିତ୍ବ ଥିଲେ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ ଯେ ବସନ୍ତ ବାବୁ ଅତ୍ୟନ୍ତ ବନ୍ଧୁବତ୍ସଳ ମଣିଷ ଥିଲେ। ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଆଚାରବିଚାରରେ ବସନ୍ତ ବାବୁ ଖାଣ୍ଟି କଟିକିଆ। ଓଡ଼ିଶା ରାଜନୀତିର ୫୦ ବର୍ଷ ଇତିହାସର ସେ ବେଲାଳସେନ ଥିଲେ। ସାମ୍ବାଦିକତା କ୍ଷେତ୍ରରେ ସେ ଏକ ମାଇଲ ଖୁଣ୍ଟ ବୋଲି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ। ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ପ୍ରଫେସର ହରେକୃଷ୍ଣ ଶତପଥୀ ତାଙ୍କୁ ଜ୍ଞାନର ଭଣ୍ଡାର ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଓ ଅରୁଣ କୁମାର ପଣ୍ଡା କହିଥିଲେ ଯେ ସାମ୍ବାଦିକମାନଙ୍କୁ ସଂଗଠିତ କରି ତାଙ୍କ ଦାବି ହାସଲ ପାଇଁ ଜଣେ ଦୃଢ଼ ସଂଗଠକ ଭାବେ ବସନ୍ତ ବାବୁଙ୍କ କାର୍ଯ୍ୟଶୈଳୀ ସ୍ୱତନ୍ତ୍ର ଥିଲା।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଶିଷ୍ଟ ସାମ୍ୟବାଦୀ ନେତା ଜନାର୍ଦ୍ଦନ ପତି, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ଜର୍ମାନରୁ ଡ. ରାଜେନ୍ଦ୍ର ପ୍ରସାଦ ଦାସ, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ଶିକ୍ଷାବିତ୍‌ ଡ. ହିମାଂଶୁ କୁମାର ମହାନ୍ତି, ସାହ୍ୟିତିକ ଡ. ବିଜୟାନନ୍ଦ ସିଂହ, ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଡ. ହୃଷୀକେଶ ମଲ୍ଲିକ, ଚଳଚ୍ଚିତ୍ର ପ୍ରଯୋଜିକା ବିୟୋତପ୍ରଜ୍ଞା ତ୍ରିପାଠୀ, ଉତ୍କଳ ବିଦ୍ୱତ ପରିଷଦ ପକ୍ଷରୁ ମନୋଜ ରଥ ପ୍ରମୁଖ ବସନ୍ତ ବାବୁଙ୍କ ସ୍ମୃତିଚାରଣ କରିଥିଲେ।

ବସନ୍ତ ବାବୁଙ୍କ ଏକମାତ୍ର ପୁତ୍ର ଚନ୍ଦନ ଦାସ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରବଚକ, ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ବେଦପାଠ, ଶିକ୍ଷାବିତ୍‌ ଡ. ଆର୍ତ୍ତତ୍ରାଣ ମିଶ୍ର ଗଣେଶ ବନ୍ଦନା ଓ ମିଡିଆ ଏକାଡେମିର କର୍ମକର୍ତ୍ତା ଡ. ସୌରେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର