ବିରିବଟା ସମର୍ଥା ସେବକ ନିଲମ୍ବିତ, ସେବକଙ୍କ କାମ ବନ୍ଦ ଯୋଗୁଁ ନୀତିରେ ବିଳମ୍ବ

ପୁରୀ : ମହାପ୍ରଭୁଙ୍କ ନୀତିରେ ବିଳମ୍ବ କରିଥିବା ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ବିରିବଟା ସମର୍ଥା ସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ବିରିବଟା ସମର୍ଥା ସେବକ ରାମହରି ସମର୍ଥାଙ୍କୁ ସେବାରୁ ନିଲମ୍ବିତ କରାଯାଇଛି। ଏହି ସେବକଙ୍କ ବଦଳରେ ବିକଳ୍ପ ସେବକଙ୍କ ଦ୍ଵାରା ବିରିବଟା ଓ ଚୁନାକୁଟା କାମ କରାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୈନନ୍ଦିନ କୋଠ ଭୋଗ ପାଇଁ ଆବଶ୍ୟକ ଚାଉଳ କୁଟା ଓ ବିରିବଟା କାମ ଏହି ସେବକମାନେ କରିଥାନ୍ତି।

ତେବେ ଏହି ସେବା ପାଇଁ ନିଯୁକ୍ତ ସେବକ ଏକାକି କାର୍ଯ୍ୟ କରିବା ସମ୍ଭବ ନଥିରୁ ୫ ଜଣ ଶ୍ରମିକଙ୍କ ନିଯୁକ୍ତି ଦେଇ କାମ କରିଥାନ୍ତି। ସେବାରେ ନିୟୋଜିତ ଶ୍ରମିକଙ୍କ ପାଇଁ ପ୍ରଶାସନ ଦେଉଥିବା ପ୍ରାପ୍ୟ ବଢାଇବାକୁ ସେବକ ରାମହରି ସମର୍ଥା ଦାବି କରିଥିଲେ। ଏପରିକି ଏ ନେଇ ସେ ମାନ୍ୟବର ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। କୋର୍ଟ ମଧ୍ୟ ସଂପୃକ୍ତ ଶ୍ରମିକଙ୍କ ପ୍ରାପ୍ୟ ୪୦୦ ଟଙ୍କା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀମନ୍ଦିର ପ୍ରଶାସନ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ସେବକ ଗତକାଲି କାମ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। ଆଜି କାମ ବନ୍ଦ କରି ଦେଇଥିଲେ। ମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଜି ସେବକଙ୍କୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର