ପୁଲିସ୍‌ ଏଏସ୍‌ଆଇଙ୍କୁ ଆକ୍ରମଣ ଘଟଣା: ଜେଲ୍‌ ଗଲେ ୭ ଅଭିଯୁକ୍ତ

କାଳିଆପାଣି : ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ଆକ୍ରମଣ ଓ ଆଶାଳୀନ ବ୍ୟବହାର ମାମଲାରେ ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଗୁରୁଜଙ୍ଗ ଗାଁର କମ୍ବ ସିନ୍ଦୁରିଙ୍କ ପୁଅ ମାନସିଂ(୪୧), କାଳିଆପାଣି ବିର୍ସାନଗର ବସ୍ତିର ବିଜୟ କାରୁଆଙ୍କ ପୁଅ ସୁରେଶ(୨୫) ଓ ଅନ୍ୟ ୫ ଜଣଯାକ ଘାଗିଆସାହିର ବୋଲି ସୂଚନା ମିଳିଛି। ସେମାନେ ହେଲେ ସ୍ବର୍ଗତ ଲଧିଆ ହେମ୍ବ୍ରମ୍‌ଙ୍କ ପୁଅ ମଣ୍ଟୁ ଓରଫ୍ ରାମପତ୍(୨୦), ଅବଦୁଲା ମହାନ୍ତଙ୍କ ପୁଅ ରତ୍ନାକର ଓରଫ୍‌ ନଣ୍ଡା(୨୧), ଘାସିରାମ ମାଝିଙ୍କ ପୁଅ ମଜଲ ଓରଫ୍‌ ମଙ୍ଗଲ(୨୦), ସ୍ବର୍ଗତ କେଶବ ମାରାଣ୍ଡିଙ୍କ ପୁଅ ଭଜୁ ଓରଫ୍ ଡାକ୍ତର(୨୦) ଓ ଲକ୍ଷ୍ମଣ ସୋରେନଙ୍କ ପୁଅ ଦୁଖିଆ(୨୩)।

ଏଏସ୍‌ଆଇ ବିଜୟ କୁମାର ସାହୁଙ୍କ ଏତଲା କ୍ରମେ ଆଜି ସେମାନଙ୍କୁ କେସ୍ ନଂ ୨୩/୨୧ ଏବଂ ଆଇପିସି ଦଫା ୧୪୭, ୧୮୮, ୧୮୬, ୨୯୪, ୩୫୩, ୩୦୭ ଓ ୧୪୯ ଆଧାରରେ ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ସଂଘବଦ୍ଧ ଆକ୍ରମଣରେ ଲହୁଲୁହାଣ ହୋଇଥିବା ଏଏସ୍‌ଆଇ ଶ୍ରୀ ସାହୁ ଏବେ ଚିକିତ୍ସାଧୀନ ଅଛନ୍ତି।

ଏଏସ୍‌ଆଇ ଶ୍ରୀ ସାହୁଙ୍କ ଏତଲାରୁ ପ୍ରକାଶ ଯେ, ଗତକାଲି ସାପ୍ତାହିକ ଶନିବାର ହାଟ ସରିବା ପରେ କିଛି ଯୁବକ ସଂଘବଦ୍ଧ ଭାବେ ଘାଗିଆସାହି ଗାଁ ପାଖ ହାଣ୍ଡିଆ ପଡ଼ାରେ ଉତ୍ପାତ କରୁଥିବା ଖବର ମିଳିଥିଲା। ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦେଶ କ୍ରମେ ୨ କନଷ୍ଟେବଲ୍‌ ଗଦାଧର ହାଁସଦା ଓ ଅମରଜିତ ମିଞ୍ଜଙ୍କୁ ନେଇ ଶ୍ରୀ ସାହୁ ଉକ୍ତ ସ୍ଥାନକୁ ଯାଇଥିଲେ। ଏତିକିବେଳେ ଏକାଧିକ ଯୁବକ ପୁଲିସକୁ ଦୁର୍ବ୍ୟବହାର କରିଥିଲେ। ୩ ପୁଲିସଙ୍କୁ ସେମାନେ ଟଣା ଓଟରା କରିଥିଲେ। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ମାନସିଂ ଶ୍ରୀ ସାହୁଙ୍କ ମୁଣ୍ଡକୁ ଏକ ଶକ୍ତ ପ୍ରହାରକରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ଖବରପାଇ ସେକେଣ୍ଡ୍‌ ଅଫିସର ବିଭୂତି ଭୂଷଣ ମହାପାତ୍ର ଓ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ମନୋରଞ୍ଜନ ସେଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଅଭିଯୁକ୍ତମାନେ ସେଠାରୁ ପଳାଇ ଯାଇଥିଲେ। ପୁଲିସ ସାଦା ପୋଷାକରେ ବାଇକ୍‌ ଧରି ବୁଲିବା ସହ ସନ୍ଦିଗ୍ଧମାନଙ୍କ ଗତିବିଧି ନିରୀକ୍ଷଣ କରିଥିଲା। ଅଧିକାଂଶ ଅଭିଯୁକ୍ତ ରାତିରେ ଘାଗିଆସାହିରେ ଉକ୍ତ ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିବା ଦେଖି ପୁଲିସ ଘେରାବନ୍ଦୀ କରି ସମସ୍ତଙ୍କୁ କାବୁ କରିଥିଲା। ମୁଖ୍ୟ ଅଭିଯୁକ୍ତ ମାନସିଂକୁ ଗୁରୁଜଙ୍ଗ ପାଖ ଜଣେ ସଂପର୍କୀୟ ଘରେ ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର