ନିଆଁ ଲିଭାରେ ସାମିଲ ହେଲେ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ, ଜାତୀୟ ମିଡିଆର ଦୃଷ୍ଟି ଆକର୍ଷଣ କରି ଚର୍ଚ୍ଚାରେ ଅଛନ୍ତି

ବାରିପଦା: ଆଜି ନିଆଁ ଲିଭାରେ ନିଜକୁ ସାମିଲ କରିଛନ୍ତି ଶିମିଳିପାଳ ନିଆଁକୁ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆଣିପାରିଥିବା ଭଞ୍ଜ ବଂଶର ଦାୟଦ ତଥା ଯୁବ ଉଦ୍ୟୋଗୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ। ତାଙ୍କ ସହିତ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ମଧ୍ୟ ସାମିଲ ହୋଇଥିଲେ। ପରିବେଶବିତ୍‌ ସଂଯୁକ୍ତା ବସା, ସମାଜକର୍ମୀ ବିଭୂଦତ୍ତ ଦାସ ବାଙ୍ଗିରିପୋଷି ବ୍ଲକର ନିଶ୍ଚିତା, ବାସ୍କେତୋଳା, ଭାଗିରଥୀପୁର, ପାହାଡ଼ତଳ ସାହି, ତାଳବନ୍ଧ ସହିତ ଅନ୍ୟ କିଛି ସ୍ଥାନ ପରିଦର୍ଶନ କରି ସତ୍ୟାସତ୍ୟ ଅନୁଧ୍ୟାନ କରିଥିଲେ।

ସ୍ଥାନୀୟ ଜନସାଧାରଣଙ୍କ ସହିତ ନିଆଁ ଲାଗିବାର କାରଣ ସମ୍ବନ୍ଧରେ ଆଲୋଚନା କରି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଏହି ସମୟରେ ପ୍ରାୟ ୩/୪ ବର୍ଷ ହେବ ବନ ବିଭାଗ କମ୍ୟୁନିଟିକୁ ବିଶ୍ୱାସକୁ ନ ନେବା ଏବଂ ନିଆଁ ନ ଲାଇଗିବା ନିମନ୍ତେ ଅଥବା ନିଆଁକୁ ଲିଭାଇବା ନିମନ୍ତେ କୌଣସି ଯୋଜନା ହାତକୁ ନେଇ ନ ଥିବାକୁ ସ୍ଥାନୀୟ ଜନସାଧାରଣ ଉତ୍ତରଦାୟୀ କରିଛନ୍ତି । ତେବେ ଜଙ୍ଗଲରେ ଏହି ନିଆଁ କ୍ରମଶଃ ଅଣଆୟତ୍ତ ପରିସ୍ଥିତି ଦିଗକୁ ଗତି କରୁଥିବା ବିଷୟକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବେ ବୋଲି ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ପ୍ରକାଶ କହିଛନ୍ତି ।

ଏଥି ସହିତ ସେ ତାଙ୍କର ସମସ୍ତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ରାଜବାଟୀକୁ ଫେରି ଆସିବା ପରେ ଆଜି ଜଙ୍ଗଲ ପରିଦର୍ଶନରେ ଯାଇଥିଲେ ବୋଲି ସୂଚନା ଦେଇଛନ୍ତି ଅକ୍ଷୀତା। ଏହି ଗସ୍ତ ଅବସରରେ ଭାଗିରଥିପୁରରୁ ତାଳବନ୍ଧକୁ ଯାଉଥିବା ସମୟରେ ପାହାଡ଼ତଳ ସାହିରେ ଏକ ବିସ୍ତୃତ ଅଞ୍ଚଳରେ ନିଆଁ ଲାଗି ଜଙ୍ଗଲ ଦିଗରେ ମାଡ଼ି ଯାଉଥିବାର ଦେଖି ଅକ୍ଷୀତା ନିଜେ ନିଆଁ ଲିଭାଇବା ନିମନ୍ତେ ଅକ୍ଳାନ୍ତ ଉଦ୍ୟମ କରି ଶେଷରେ ସଫଳ ହୋଇଥିଲେ ।

ସମ୍ବନ୍ଧିତ ଖବର