ପୁରୁଣାଭୁବନେଶ୍ବର ଅଞ୍ଚଳରେ ଦୁଇ ମନ୍ଦିର ସଫେଇ କଲା ଆଞ୍ଚଳିକ ବିକାଶ ପରିଷଦ

ପୁରୁଣା ଭୁବନେଶ୍ବର:ଆଞ୍ଚଳିକ ବିକାଶ ପରିଷଦର ଶତାଧିକ ସଦସ୍ୟ ସ୍ବେଚ୍ଛାକୃତ ଭାବେ ଆଜି ପୁରୁଣାଭୁବନେଶ୍ବର ଅଞ୍ଚଳରେ ଦୁଇଟି ମନ୍ଦିରର ସଫେଇ କାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସଦସ୍ୟ ଓ କର୍ମକର୍ତ୍ତାମାନେ ପ୍ରଥମେ ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଚ୍ଛଦ ପାର୍ଶ୍ବରେ ଥିବା ଐଶାନେଶ୍ବର ମନ୍ଦିର ପରିସର ଓ ଏହାର ସମ୍ମୁଖ ପାର୍ଶ୍ବ ରାସ୍ତା ସଫା କରିଥିଲେ ।

ମନ୍ଦିର ପରିସର ଭିତରେ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିବା ପଥର ଇଟା ଓ ଖଣ୍ଡଗୁଡ଼ିକୁ ଗୋଟାଇ ଏକାଠି କରିବା ସହ ଶୁଖିଲା ଘାସ ଓ ଅନାବନା ଗଛଲତା ସବୁ କାଟି ସଫା କରିଥିଲେ । ମନ୍ଦିର ପରିସର ପରିତ୍ୟକ୍ତ ଅଂଶରେ ଏଣେତେଣେ ପଡ଼ିଥିବା ପଲିଥିନ , ଖାଲି ପ୍ଲାଷ୍ଟିକ ପାଣିବୋତଲ , ଗ୍ଲାସ ଓ ପଲିଥିନ ଗୋଟାଇ ବାହାରେ ଗଦା କରିଥିଲେ ।

ଏହାପରେ ମଙ୍ଗଳେଶ୍ବର ମନ୍ଦିର ପରିସର ଓ ପାପନାଶିନି ପୁଷ୍କରିଣୀ ସଂଲଗ୍ନ ଅଞ୍ଚଳ ସଫା କରିଥିଲେ । ଚଟାଣ ଉପରୁ ବାଲି ପରସ୍ତ ସଫା କରିଦେବା ସହ ସେଠାରେ ବିଭିନ୍ନ ସ୍ଥାନରେ ପଡ଼ିଥିବା ଇଟା ଓ ଅନ୍ୟାନ୍ୟ ପରିତ୍ୟକ୍ତ ସାମଗ୍ରୀ ବାହାରକୁ ନେଇଯାଇଥିଲେ । ପରେ ବିଏମସି ଗାଡ଼ି ପହଞ୍ଚି ବାହାରେ ଗଦା କରାଯାଇଥିବା ଅଳିଆ ଓ ପରିତ୍ୟକ୍ତ ସାମଗ୍ରୀ ସବୁକୁ ନେଇଯାଇଥିଲା ।

କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରୁଣାଭୁବନେଶ୍ବର ଅଞ୍ଚଳର ବରିଷ୍ଠ ନାଗରିକ ସଂଗଠନର ସଭାପତି ଧିରେନ ପଟ୍ଟନାୟକ , ବେଣୁଧର ପ୍ରାତ୍ର , ପୂର୍ବତନ କରପୋରେଟର ବିରଞ୍ଚି ନାରାୟଣ ମହାସୁପକାର , ବାବୁଲି ସମର୍ଥା ପହଞ୍ଚି ପରିଷଦର ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ , ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଲକ୍ଷ୍ମୀଧର ପ୍ରଧାନ ,ସୁମନ୍ତ ସୁବୁଦ୍ଧି , ଅକ୍ଷୟ ସ୍ବାଇଁ , ନିରଞ୍ଜନ ସେନାପତି , ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ , ପ୍ରଶାନ୍ତ ମିଶ୍ର , ପ୍ରକାଶ ସ୍ବାଇଁ , ବସନ୍ତ ମହାରଣା , ଅରୁଣ ପୁରୋହିତ , ଗଗନ ଭୋଇ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର