ସପ୍ତାହ ପାଇଁ ବଡ଼ବିଲ ସଟ୍‌ଡାଉନ୍‌ : ବିଜେପି ନେତାଙ୍କ ପରିବାରର ୪ ସଦସ୍ୟ ଓ ୭ କର୍ମୀ ଆକ୍ରାନ୍ତ

ବଡ଼ବିଲ : କେନ୍ଦୁଝର ଜିଲ୍ଲା‌ର ବଡ଼ବିଲ ସହରରେ ସ୍ଥାନୀୟ ସଂକ୍ରମଣର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୭ ଦିନ ପାଇଁ ସହରକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜଣେ ବିଜେପି ନେତାଙ୍କ ପରିବାରର ୪ ଜଣଙ୍କ ସହିତ ୭ ଜଣ କର୍ମକର୍ତ୍ତା ସଂକ୍ରମିତ ହୋଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଏଥିରେ ଦଳର ଛାମୁଆ କର୍ମକର୍ତ୍ତା ବି ରହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ସଂକ୍ରମିତ କର୍ମକର୍ତ୍ତାଙ୍କ ମଧ୍ୟରୁ କେତେଜଣ ବିଜେପିର ଗୃହ ସଂପର୍କ ଅଭିଯାନରେ ସାମିଲ ହୋଇ ଘରଘର ବୁଲି ଦଳୀୟ ପ୍ରଚାରପତ୍ର ବାଣ୍ଟିଥିଲେ।

ଅନୁସନ୍ଧାନରୁ ଯାହା ଜଣାପଡ଼ିଛି, ଗତ ମାସ ୧୪ ତାରିଖରେ ବିଜେପିର ଜଣେ ବରିଷ୍ଠ ନେତା ବଡ଼ବିଲ, ଯୋଡ଼ା ଓ ଚମ୍ପୁଆ ଅଞ୍ଚଳରେ ଦଳୀୟ ବୈଠକ କରିଥିଲେ। ଅସୁସ୍ଥ ହେଲା ପରେ ସେ ଭୁବନେଶ୍ବର ଚାଲିଯାଇଥିଲେ। ସେଠାରେ ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏନେଇ ଗତ ୨୮ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଥିଲା। ସେ ଭୁବନେଶ୍ବରରେ ଗତ ୮ ଦିନ ଧରି ରହୁଛନ୍ତି ବୋଲି ସେଥିରେ ଉଲ୍ଲେଖ କରାଯାଇଥିଲା। ତାଙ୍କ ବଡ଼ବିଲ ଗସ୍ତ ଓ ସଂସ୍ପର୍ଶରେ ଆସିଥିବା ତାଲିକା ପ୍ରସ୍ତୁତ କରିବା ପରେ ୪୫ ଜଣଙ୍କ ସ୍ବାବ୍ ନମୁନା ସଂଗ୍ରହ କରି ଗତ ୩୦ ତାରିଖରେ ପରୀକ୍ଷା ପାଇଁ ପଠାଯାଇଥିଲା। ଗତକାଲି ୪ ତାରିଖରେ ଏଥିରୁ ୧୧ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଗତକାଲି ରାତିରେ ସମସ୍ତ ୧୧ ଜଣଙ୍କୁ କେନ୍ଦୁଝର ରାଙ୍କିସ୍ଥିତ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ବାବ୍ ପରୀକ୍ଷା ପାଇଁ ପଠାଯିବା ପରେ ବି କିଛି କର୍ମୀ ଯୋଡ଼ା, ବିଲେଇପଦା ଅଞ୍ଚଳରେ ଗତ ୩ ତାରିଖରେ ଗୃହ ସମ୍ପର୍କ ଅଭିଯାନ କରିଛନ୍ତି। କେତେ ଘରକୁ ଯାଇ ଲୋକଙ୍କୁ ଭେଟିଛନ୍ତି, ତାହାର ତାଲିକା କରିବା ଏବେ ପ୍ରଶାସନ ପାଇଁ କାଠିକର ପାଠ ହେବ।

ସେହିପରି ଅନ୍ୟଜଣେ ସଂକ୍ରମିତ ନିଜର ଗାଡ଼ି ବ୍ୟବସାୟ କରିବା ସହ ବଡ଼ବିଲ ବସ୍‌ଷ୍ଟାଣ୍ଡରେ ଟିକଟ କାଟିଥାନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସଂକ୍ରମିତ ୧୧ ଜଣଙ୍କ ପରିବାର ସଦସ୍ୟଙ୍କ ସ୍ବାବ୍ ସଂଗ୍ରହ କରାଯାଇଥିବା ପ୍ରଶାସନିକ ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ ସଂକ୍ରମଣର ବ୍ୟାପକତା ଦୃଷ୍ଟିରୁ ବଡ଼ବିଲ ସହରକୁ ଆସନ୍ତାକାଲିଠାରୁ ଏକସପ୍ତାହ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର