କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ, କରୋନାରୁ ମୁକୁଳିବା ପରେ ଫୁସଫୁସ୍‌ ସଂକ୍ରମିତ

ଖୁବ୍‌ ଶୀଘ୍ର ମିଲାପ୍‌ ଜରିଆରେ ହେବ ଫଣ୍ଡ୍‌ ରେଜିଂ
ଅଭିଜ୍ଞ ଡାକ୍ତରୀଦଳ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ପରିବାର

ଭୁବନେଶ୍ୱର : ଦୀର୍ଘ ୨୭ ଦିନ ହେଲା ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଓଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ର। କରୋନାରେ ଆକ୍ରାନ୍ତ ହୋଇ ଗତ ମେ’ ୨୦ ତାରିଖରେ ସେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା‌ରେ ସୁଧାର ନ ଆସିବାରୁ ତାଙ୍କୁ ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ‌କରୋନାରୁ ମୁକ୍ତ ହୋଇଥିଲେ ଓ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିନ୍ତୁ କରୋନା ଯୋଗୁଁ ତାଙ୍କ ଫୁସ୍‌ଫୁସ୍‌ର ୭୫ ପ୍ରତିଶତ ସଂକ୍ରମିତ ହୋଇସାରିଛି। ଏବେ ତାଙ୍କୁ ସମ୍‌ ପ୍ରାଇଭେଟ୍‌ ଆଇସିୟୁରେ ଭର୍ତ୍ତି କରାଯାଇଛି। ଶରୀରରେ ଅମ୍ଳଜାନ ସ୍ତର ବାରମ୍ବାର ଉପର ତଳ ହେଉଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରେ ଲାଗିଛି। ୧୦୦% ଅକ୍ସିଜେନ ସପୋର୍ଟରେ ରହିଥିଲେ ସୁଦ୍ଧା ତାଙ୍କ ଶରୀରରେ ଅମ୍ଲଜାନସ୍ତର ତଳକୁ ଖସୁଛି। ତେଣୁ ଡାକ୍ତରମାନେ ଏକ୍‌ମୋ ମେସିନ୍‌ ଲଗାଇବାକୁ ପରାମର୍ଶ ଦେଇପାରନ୍ତି ବୋଲି ତପୁଙ୍କ ବଡ଼ ଭଉଣୀ ଧ୍ରୁତିଦୀପା କହିଛନ୍ତି।

ଧ୍ରୁତିଦୀପା କହିଛନ୍ତି, କରୋନା କାଳ ସମସ୍ତଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥିବା ବେଳେ ଗତ କିଛି ଦିନ ହେଲା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସହୃଦୟତା ସାରା ଦେଶ ଦେଖିଛି। ଅମ୍ରିତ ଓ ଅଭିଷେକଙ୍କ ଭଳି ଅନେକ ରୋଗୀ ଏକ୍‌ମୋ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି ଓ ସାରା ଓଡ଼ିଶା ଏଥିପାଇଁ ମାନସିକ ଓ ଆର୍ଥିକ ସମର୍ଥନ ଯୋଗାଇ ଦେଇଛି। ତପୁ ମିଶ୍ର ଓଡ଼ିଶାର ଜଣେ ସ୍ବନାମଧନ୍ୟା କଣ୍ଠଶିଳ୍ପୀ। ବିଶ୍ବାସ ଅଛି, ତାଙ୍କୁ ସାହାଯ୍ୟ ପାଇଁ ଓଡ଼ିଶାବାସୀ ଆଗେଇ ଆସିବେ। ତପୁଙ୍କର ଏବେ ଲମ୍ବା ସମୟ ଧରି ଚିକିତ୍ସା ଚାଲିବ ଏବଂ ଆବଶ୍ୟକ ପଡ଼ିଲେ ଏକ୍‌ମୋ ଚିକିତ୍ସା ତଥା ଫୁସ୍‌ଫୁସ୍‌ ପ୍ରତିରୋପଣ ପାଇଁ ବି ଡାକ୍ତର କହିପାରନ୍ତି। ଏଣୁ ଖୁବ୍‌ଶୀଘ୍ର ଆମେ ‘ମିଲାପ୍‌’ ଜରିଆରେ ତପୁଙ୍କ ପାଇଁ ଫଣ୍ଡ ରେଜ୍‌ ଆରମ୍ଭ କରିବୁ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଅନୁରୋଧ କରିଛନ୍ତି ଯେ ଏକ ଅଭିଜ୍ଞ ଡାକ୍ତରୀଦଳଙ୍କୁ ତପୁଙ୍କ ଚିକିତ୍ସା ପାଇଁ ନିୟୋଜିତ କରାଯାଉ। ସମ୍‌ର ଡାକ୍ତରମାନେ ପ୍ରାଣପଣେ ତପୁଙ୍କୁ ବଞ୍ଚାଇବାକୁ ଚେଷ୍ଟା ଚଳାଇଥିବା ବେଳେ ଏକ ବୈଷୟିକ ଟିମ୍‌ର ଆବଶ୍ୟକତା ରହିଥିବାରୁ ରାଜ୍ୟ ସରକାର ଏ ନେଇ ସହୃଦୟତା ପ୍ରକାଶ କରିବେ ବୋଲି ତପୁଙ୍କ ପରିବାର ଆଶା ବ୍ୟକ୍ତ କରିଛନ୍ତି।

ତପୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବାକୁ ଚାହୁଁଥିବା ବ୍ୟକ୍ତି ଧ୍ରୁତିଦୀପା ମିଶ୍ରଙ୍କ ଆକାଉଣ୍ଟ ନମ୍ବର ୯୨୧୦୧୦୦୨୦୩୦୨୪୯୧ (ଆଇଆଇଏଫ୍‌ସି-ୟୁଟିଆଇବି୦୦୦୦୦୨୪; ଏମ୍‌ଆଇସିଆର-୭୫୧୨୧୧୦୦୨)ରେ କିମ୍ବା ଏକ୍ସିସ୍ ବ୍ୟାଙ୍କ ୟୁପିଆଇ ଆଇଡି-୮୨୪୯୪୮୯୦୦୪)ରେ ସିଧାସଳଖ ଅର୍ଥ ପଠାଇପାରିବେ।

ସମ୍ବନ୍ଧିତ ଖବର