ମୁକୁନ୍ଦପୁର ଯାତ୍ରାରେ ଗଣ୍ତଗୋଳ ଘଟଣା, ୬ ଗିରଫ

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ଚକ୍ରଧରପୁର ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଯାତ୍ରାରେ ଘଟିଥିବା ଗଣ୍ତଗୋଳ ମାମଲାରେ ଜେନାପୁର ପୁଲିସ ୬ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ସଂଗ୍ରାମ କିଶୋର ସାହୁ (୩୧), ଉଦୟ ନାରାୟଣ ସାହୁ (୩୮), କାଳିଆ ରାଉଳ (୨୪), ସୌମ୍ୟରଂଜନ ସାହୁ (୩୦), ଭୀମସେନ ଓଝା (୫୦) ଓ ବାସୁଦେବ ପ୍ରଧାନ (୧୮)।

ସୂଚନା ମୁତାବକ, ଗତମାସ ୨୮ ତାରିଖ ରାତିରେ ମୁକୁନ୍ଦପୁର ଗ୍ରାମରେ ଯାତ୍ରା ଚାଲିଥିବା ବେଳେ ଜଣେ ଝିଅକୁ ଜେନାପୁର ଅଞ୍ଚଳର ଦୁଇଜଣ ଯୁବକ ଅଶ୍ଳୀଳ ଇଂଗିତ କରିଥିଲେ। ଏହାକୁ ମୁକୁନ୍ଦପୁର ଗ୍ରାମର ଜଣେ ଯୁବକ ବିରୋଧ କରିଥିଲେ। ଫଳରେ ଦୁଇଯୁବକ ଓ ସେମାନଙ୍କ ସହଯୋଗୀ ମିଶି ବିରୋଧ କରିଥିବା ଯୁବକଙ୍କୁ ମାଡ଼ ମାରି ଅଚେତ କରିଦେଇଥିଲେ। ଏହି ଘଟଣାରେ ଜେନାପୁର ପୁଲିସ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗାଡ଼ିରେ ବସାଇ ଥାନାକୁ ନେଉଥିବା ବେଳେ କିଛିଲୋକ ଏହାର ବିରୋଧ କରିଥିଲେ। ଏହି ଘଟଣା ଗାଁ କମିଟିରେ ବିଚାର ହେବ କହି ପୁଲିସ ଗାଡ଼ିରୁ ଦୁଇ ଅଭିଯୁକ୍ତଙ୍କୁ ଜୋର ଜବରଦସ୍ତ ଟାଣିନେବା ସହ ପୁଲିସକୁ ଧକ୍କା ମାରିଥିଲେ। ଏପରିକି ଠେଲାପେଲାରେ ପୁଲିସ ଗାଡ଼ିର କିଛି ଅଂଶ ମଧ୍ୟ ଜଖମ ହୋଇଥିଲା। ପରେ ପୁଲିସ ସମ୍ପୃକ୍ତ ଦୁଇଯୁବକଙ୍କୁ ଥାନାକୁ ନେଇଯାଇଥିଲା।

ପରଦିନ ଏହି ଘଟଣାର ଆପୋସ ସମାଧାନ ହୋଇଥିଲା। ହେଲେ ପୁଲିସକୁ ବିରୋଧ କରିବା, ଧକ୍କା ମାରିବା ଏବଂ ପୁଲିସ ଗାଡ଼ି ଭାଙ୍ଗିବା ଅଭିଯୋଗରେ ଥାନା କେସ୍‌ ନମ୍ବର ୯୦/୨୧ ଦଫା ୩୪୧, ୨୯୪, ୪୦୭, ୩୨୩, ୩୫୩, ୪୨୭, ୫୦୬, ୩୪ ଆଇପିସି, ୭ ସିଆର ଧାରା ୩ ଏସ୍‌ସି ଏସ୍‌ଟି ଆକ୍ଟରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର