ମିସେସ୍‌ ଇଣ୍ଡିଆ ୟୁନିଭର୍ସ ପାଇଁ ଓଡ଼ିଶାରୁ ୬ ମନୋନୀତ

ଭୁବନେଶ୍ବର : ମିସେସ୍‌ ଇଣ୍ଡିଆ ୟୁନିଭର୍ସ ସିଜିନ୍‌ ୩ ପାଇଁ ଓଡ଼ିଶାରୁ ୮ ମହିଳା ମନୋନୀତ ହୋଇଛନ୍ତି। ୩ଟି ପର୍ଯ୍ୟାୟରେ ପରୀକ୍ଷାମୂଳକ ପ୍ରଦର୍ଶନ ପରେ ବିଚାରକମାନେ ସେମାନଙ୍କୁ ମନୋନୀତ କରିଛନ୍ତି। ଗତ ୨ଟି ସିଜିନ୍‌ରେ ଓଡ଼ିଶାରୁ କୌଣସି ମହିଳା ଏହି ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିପାରିନଥିଲେ। ଏହାକୁ ଉପଲବ୍ଧି କରିବା ପରେ ଚଳିତ ବର୍ଷ ଅକ୍ଟୋବରରେ ମରିସସ୍‌‌‌ରେ ହେବାକୁ ଯାଉଥିବା ମିସେସ୍‌ ଇଣ୍ଡିଆ ୟୁନିଭର୍ସ ପ୍ରତିଯୋଗିତା ପାଇଁ ମହିଳା ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା।

ଏନେଇ ଆଜି ହୋଟେଲ୍‌ ହିନ୍ଦୁସ୍ତାନ ଇଣ୍ଟରନାସ୍‌ନାଲ୍‌ (ଏଚ୍‌ଏଚ୍‌ଆଇ)ରେ ବିବାହିତ ମହିଳାମାନଙ୍କୁ ନେଇ ଦୁଇଟି ବର୍ଗରେ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ୪୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୨୦ରୁ ୩୫ବର୍ଷ ମଧ୍ୟରେ କ୍ରୀତି ଭଗତ(ବିଜେତା), କାଞ୍ଚନ ସିଂହ, ଖୁସୀ ହଂସ୍‌ ଓ ସ୍ବାଗତିକା ଦାସ ଏବଂ ୩୫ରୁ ୫୫ବର୍ଷ ବୟସ ମଧ୍ୟରେ ପ୍ରସନ୍ନା ପତି (ବିଜେତା), ମୁନମୁନ୍‌ ସିଂହ, ସୋନାଲିରାଜ ମହାନ୍ତି ଓ ପୁନମ ପାଠକ ମରିସସ୍‌ରେ ହେବାକୁ ଯାଉଥିବା ମିସେସ୍‌ ଇଣ୍ଡିଆ ୟୁନିଭର୍ସ ଫାଇନାଲ୍‌ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ତୁଷାର ଧଲିୱାଲ୍‌, ଅର୍ଚନା ତୋମେର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ରୋଜାଲିନ୍‌ ପାଟ୍ଟଶାଣୀ, ରୂପସୀ ୱାଧାଓନ୍‌ ଓ ସୁଖ୍‌ପ୍ରୀତ କୌର ପ୍ରମୁଖ ବିଚାରକ ଭାବେ ଯୋଗଦେଇ ପ୍ରତିଭା ଚୟନ କରିଥିଲେ।

ଏହି ପ୍ରତିଯୋଗିତାର ମୁଖ୍ୟ ପୁରୋଧା ସାଜିଥିବା ହେଡ୍‌ ଟର୍ଣ୍ଣର୍‌ ସେଲୁନ୍‌ ଓ ସ୍ପା’ର ଓଡ଼ିଶା ଫ୍ରାଞ୍ଚାଇଜ୍‌ ନିର୍ଦେଶିକା ଝୁଣ୍ଟି ହୋତା କହିଛନ୍ତି, ମିସେସ୍‌ ଇଣ୍ଡିଆ ୟୁନିଭର୍ସ ଭଳି ପ୍ରତିଯୋଗିତାରେ ବିବାହିତ ମହିଳାମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁଛି। ମାତ୍ର ଗତ ୨ବର୍ଷ ହେଲା ଆୟୋଜିତ ହୋଇଆସୁଥିବା ଏହି ପ୍ରତିଯୋଗିତାରେ କୌଣସି ଓଡ଼ିଆ ମହିଳା ଏଥିରେ ଅଂଶଗ୍ରହଣ କରିନଥିଲେ। ଏହା ମତେ ‌ଦୁଃଖ ଦେଇଥିଲା। ତେଣୁ ଏଥିରେ କିଭଳି ଓଡ଼ିଶା ଅଂଶୀଦାର ହେବ, ସେନେଇ ଆମେ ପ୍ରଚେଷ୍ଟା ଆରମ୍ଭ କରିଛୁ। ଆଗାମୀ ସିଜିନ୍‌ମାନଙ୍କରେ ଅଧିକରୁ ଅଧିକ ବିବାହିତ ମହିଳା ସାମିଲ୍‌ ହେବା ପାଇଁ ଏହି ଉଦ୍ୟମ ଉତ୍ସାହ ଓ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି। ବିବାହିତ ମହିଳାମାନଙ୍କୁ ଜାତୀୟସ୍ତରରେ ପ୍ରତିଭା ପ୍ରଦର୍ଶନ ପାଇଁ ମଞ୍ଚ ଯୋଗାଇ ଦେବାକୁ ଆମର ଏହି ଉଦ୍ୟମ ବୋଲି କ୍ରିଏଟିଭ୍‌ ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି।

ଏନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି, ବିବାହିତ ମହିଳାମାନଙ୍କ ପାଇଁ ଏଭଳି ସୁଯୋଗ ସୃଷ୍ଟି କରିବା ହିଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ପ୍ରତିଭା ଚୟନ ପାଇଁ ଯେଉଁ ଗୁରୁ ଦାୟିତ୍ବ ମତେ ଦିଆଯାଇଛି, ତାକୁ ମୁଁ ଠିକ୍‌ ଭାବେ ନିଭାଇବାକୁ ଚେଷ୍ଟା କରିଛି। ମିସେସ୍‌ ଇଣ୍ଡିଆ ୟୁନିଭର୍ସ ମଞ୍ଚରେ ନିଶ୍ଚିତ ଓଡ଼ିଆଙ୍କ ବିଜୟ କାମନା କରିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର