‘ସିଆର୍‌ଜେଡ୍‌’ ଆଇନର ଖୋଲା ଉଲ୍ଲଂଘନ : ଲୁଣା ଜଙ୍ଗଲ କାଟି ନଈ ଭିତରେ କୋଠା ନିର୍ମାଣ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ ଭିତରେ ତିଆରି ଚାଲିଛି କୋଠା। ଜୁଆରକୁ ଅଟକାଇ ନଦୀ ଭିତରେ କୋଠା ନିର୍ମାଣ ହେଉଛି। ସେଠାରେ ଥିବା ବିରଳ ଲୁଣା ଜଙ୍ଗଲକୁ କାଟି ଦିଆଯାଇଛି। କୋଷ୍ଟାଲ ରିଜୋଲ୍ୟୁସନ ଜୋନ (ସିଆରଜେଡ୍‌) ଆଇନର ଖୋଲା ଉଲ୍ଲଂଘନ କରି ନିର୍ମାଣ ଚାଲିଛି କୋଠା। ନଈ ମଧ୍ୟରେ ଦିନ ଦ୍ବିପ୍ରହରରେ ଜୁଆରକୁ ଅଟକାଯାଇ କୋଠା ନିର୍ମାଣ ହେଉଥିବା ବେଳେ ବନ ବିଭାଗ ପଦକ୍ଷେପ ନ ନେଇ ଚୁପ ବସିବା ଉଦ୍‌ବେଗର ବିଷୟ ହୋଇଛି।

ରାଜନଗର ବ୍ଲକର ତାଳଚୁଆ ନିକଟରେ ବୈତରଣୀ ନଦୀ ମଧ୍ୟରେ କୋଠା ନିର୍ମାଣ ଚାଲିଛି। ଏହି ନଦୀ କୂଳରେ ଦୀର୍ଘ ବର୍ଷ ଧରି ବିରଳ ଲୁଣା ଜଙ୍ଗଲ ରହିଥିଲା। କୋଠା ନିର୍ମାଣ ସ୍ଥାନରେ ଥିବା ବନୀ ଓ ଗୁଆଁ ଗଛକୁ କାଟି ସେଠାରେ କୋଠାଘର ନିର୍ମାଣ କରାଯାଉଛି। ନଦୀ ଭିତରେ ଖମ୍ବ ଉଠାଯାଇଛି। ତାହା ଉପରେ ଛାତ ପକାଯାଉଛି। ନିର୍ମାଣାଧୀନ କୋଠା ତଳେ ନଦୀର ଜୁଆର ଲହଡ଼ି ଭାଙ୍ଗୁଛି। ଜୁଆର ଅଟକାଯାଇ ନିର୍ମାଣ ହେଉଥିବା କୋଠା ସ୍ଥାନଟି ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଯାଉଛି। ‘ସିଆରଜେଡ-୨୦୧୧’ ବିଜ୍ଞପ୍ତି ଅନୁଯାୟୀ, ନଦୀ ଓ ସମୁଦ୍ରପଠାରେ କୌଣସି ସ୍ଥାୟୀ ନିର୍ମାଣ ହୋଇପାରିବ ନାହିଁ। ସ୍ଥାୟୀ ନିର୍ମାଣ ପୂର୍ବରୁ ଓଡିଶା କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟର ଅନୁମତି ଓ ଏନ୍‌ଓସି ନେବେ ବାଧ୍ୟତାମୂଳକ। ତେବେ ଏଠାରେ ସିଆରଜେଡ୍‌ ଆଇନ ଓ ଜାତୀୟଉଦ୍ୟାନ ଆଇନର ଉଲ୍ଲଂଘନ କରାଯାଇ କିପରି କୋଠା ନିର୍ମାଣ କରାଯାଉଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମାସେ ଧରି ଏହି କାମ ଚାଲିଥିବା ବେଳେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ଦୂରର କଥା, ନୋଟିସଟିଏ ବି ଦେଇନାହିଁ। ପରିବେଶ ସୁରକ୍ଷା ଆଇନ-୧୯୮୬ ବଳରେ ୧୯୯୧ ଫେବ୍ରୁଆରି ୧୯ ତାରିଖରେ ସିଆରଜେଡ୍‌ ଆଇନ ଲାଗୁ କରାଯାଇଥିଲା। ସିଆରଜେଡ ନିୟମ ମୁତାବକ ନଦୀର ଜୁଆର ମାଡୁଥିବା ସ୍ଥାନଠାରୁ ୫ଶହ ମିଟର ଦୂରତା ମଧ୍ୟରେ କୌଣସି ନିର୍ମାଣ ହୋଇପାରିବ ନାହିଁ ବୋଲି କଟକଣା ରହିଛି। ନଦୀପଠାର ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ, ବିଶ୍ବତାପନ ଯୋଗୁଁ ସମୁଦ୍ର ଜଳପତନ ବୃଦ୍ଧି ପାଉଥିବାରୁ ଏହି ନିୟମ କଡ଼ାକଡ଼ି କରାଯାଉଛି। ଅନ୍ୟ ରାଜ୍ୟଗୁଡିକରେ ଏହି ନିୟମ କଡ଼ାକଡ଼ି ପାଳନ ହେଉଥିବା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଯାଉଥିବା ନଦୀ ପଠାରେ କିପରି କୋଠା ନିର୍ମାଣ କରାଯାଉଛି, ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଏ ସଂପର୍କରେ କନିକା ରେଂଜ ଅଫିସର ସୁବ୍ରତ କୁମାର ପାତ୍ର ତାଙ୍କ ପ୍ରତିକ୍ରିୟାରେ କୁହନ୍ତି ଯେ ନଦୀପଠାରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ। ଏ ନେଇ ନୋଟିସ ଦିଆଯିବ ଓ ଉକ୍ତ କୋଠାକୁ ଭଙ୍ଗାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର