ମେ’ ସୁଦ୍ଧା ସବୁ ସହରରେ ସ୍ମାର୍ଟ ଏଲ୍‌ଇଡି

ଭୁବନେଶ୍ବର : ରାଜ୍ୟର ୧୧୩ଟି ସହରାଞ୍ଚଳକୁ ଆସନ୍ତା ମେ’ ମାସ ସୁଦ୍ଧା ଆଲୋକୀକରଣ କରାଯିବ। ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ସ୍ମାର୍ଟ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍ ଲାଗିବ। ୫ମାସ ମଧ୍ୟରେ ୬୧,୦୭୯ ଏଲ୍‌ଇଡି ଲାଇଟ୍ ଲାଗିବ। ଏଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ତିନିଟି ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ଯୋଜନାରେ ୨୬୯.୮୩କୋଟି ଟଙ୍କା ଖର୍ଚ୍ଚ ହେବ। ଷ୍ଟ୍ରିଟ୍‌ ଲାଇଟ୍ ଲଗାଇବାକୁ ଥିବା ସଂସ୍ଥା ୭ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବ।

ଆଜି ଏନେଇ ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ରାଜ୍ୟସ୍ତରୀୟ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ଏଥିରେ ନଗର ଉନ୍ନୟନ ବିଭାଗ, ‌ପୌରସଂସ୍ଥା ଏବଂ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବାକୁ ଥିବା ସଂସ୍ଥା ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି।

ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଏବେ କୌଣସି ସହରରେ ଅନ୍ଧାରୁଆ ଅଞ୍ଚଳ ରହିବନି। ସବୁଠି ଶକ୍ତି ସଞ୍ଚୟକାରୀ ସ୍ମାର୍ଟ ଏଲ୍‌ଇଡି ଲାଗିବ। ଏଥିରେ ମୁଖ୍ୟତଃ ଯେଉଁ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଲାଗିନି ସେଠାରେ ମର୍କ୍ୟୁରି କି ସୋଡିୟମ ଲାଇଟ୍ ନଲଗାଇ ଏଲ୍‌ଇଡି ଲାଇଟ୍‌ ଲଗାଯିବ। ଏହାଦ୍ବାରା କମ୍ ବିଦ୍ୟୁତ୍‌ ଖର୍ଚ୍ଚରେ ସବୁଠି ଆଲୋକୀକରଣ ହୋଇପାରିବ। ସେହିପରି ରିଓଫିଟିଙ୍ଗ୍‌ ଯୋଜନାରେ ଏବେ ଯେପରି ପୁରୁଣା ସୋଡିୟମ ଲାଇଟ୍ ବଦଳାଇ ସ୍ମାର୍ଟ ଏଲ୍ଇଡି ଲାଗୁଛି ତାହାବି ଲାଗିବ। ଏବେ ୭୫% କାର୍ଯ୍ୟ ଶେଷ ହୋଇଥିବାବେଳେ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଲାଇଟ୍ ବଦଳାଯିବ।

ସୂଚନାଯୋଗ୍ୟ ଯେ, ସ୍ମାର୍ଟ ଏଲ୍‌ଇଡି ଲଗାଇବା ପାଇଁ ୧୧୩ଟି ପୌରାଞ୍ଚଳକୁ ୫ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ଏଥିରେ କ୍ଲଷ୍ଟର ଏ ଓ ବି ଅଞ୍ଚଳରେ ମୁମ୍ବାଇର କ୍ରମ୍ପଟନ୍ ଗ୍ରିପ୍‌ସ, କ୍ଲଷ୍ଟର ‘ସି’ରେ ନୂଆଦିଲ୍ଲୀର ସୂର୍ଯ୍ୟା ରୋସ୍‌ନି, କ୍ଲଷ୍ଟର ଡି ଓ ଇ ଅଞ୍ଚଳରେ ନାସିକ୍‌ର ଆକାଂକ୍ଷା ପାୱାର ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ ଲିମିଟେଡ୍ ଏଲ୍ଇଡି ଲାଇଟ୍ ଲଗାଇବ।

ଆଜିର କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ, ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ପ୍ରେମ୍‌ କୁମାର ଝା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପୌରସଂସ୍ଥାଗୁଡ଼ିକୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର