ଭିତରକନିକା ବିଳାସପୂର୍ଣ୍ଣ ବୋଟ୍‌ରୁ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ଗାଏବ

୨୫ କିଲୋମିଟର ଦୂରରୁ ଜବତ ହେଲା ସାମଗ୍ରୀ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନକୁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କୁ ନୌଯାତ୍ରା ବେଳେ ଉଚ୍ଚଶ୍ରେଣୀର ବିଳାସପୂର୍ଣ୍ଣ ଆତିଥ୍ୟ ଯୋଗାଇ ଦେବା ପାଇଁ ଆସିଥିବା ୪ଟି ବୋଟରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ବିଳାସ ସାମଗ୍ରୀ ଗାଏବ ହୋଇଯାଇଛି। ବୋଟ ରହୁଥିବା ସ୍ଥାନଠାରୁ ୨୫ କିଲୋମିଟର ଦୂରରେ ଥିବା ଏକ ଘର ମଧୢରୁ ଏହି ସାମଗ୍ରୀ ଜବତ କରାଯାଇଛି। ତେବେ ବୋଟ ଚଳାଇବାକୁ ଠିକା ନେଇଥିବା କମ୍ପାନୀ ସ୍ଥାନୀୟ ବଜାରରୁ ବିଭିନ୍ନ ସାମଗ୍ରୀ ବାକି ନେଇଥିବାରୁ ବ୍ୟବସାୟୀମାନେ ସେମାନଙ୍କ ଟଙ୍କା ପାଇବା ପାଇଁ ଉକ୍ତ ସାମଗ୍ରୀ ଗୁଡ଼ିକୁ ଛାଡି ନଥିବା ଜଣାପଡ଼ିଛି।

ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ (ଆଇସିଜେଡଏମପି) ଆର୍ଥିକ ଅନୁଦାନରେ ୨୦୧୪ ଜୁଲାଇ ମାସରେ ୪ଟି ବିଳାସପୂର୍ଣ୍ଣ ବୋଟ ଭିତରକନିକାକୁ ଅଣାଯାଇଥିଲା। ୫ କୋଟି ୯୮ ଲକ୍ଷ ୭୫ ହଜାର ୨୬୫ ଟଙ୍କାରେ ଏହି ୪ଟିି ବୋଟ କିଣାଯାଇଥିଲା। ବୋଟରେ ପର୍ଯ୍ୟଟକମାନେ ଯାତ୍ରା କରିବା ସହିତ ରାତ୍ରୀଯାପନର ସୁବିଧା ବି ଥିଲା। ଗୋଟିଏ ବୋଟରେ ୨୦ ଜଣ ଯାତ୍ରା କରିବାର ସୁବିଧା ଥିଲା। ସେଥିରେ ପର୍ଯ୍ୟଟକଙ୍କ ପାଇଁ ଫ୍ରିଜ, ଫ୍ରିଜର, ଗିଜର, ବେଡ୍‌, ଗଦି, ଚେୟାର, ଓଭନ ସହିତ ସମସ୍ତ ଅତ୍ୟାଧୁନିକ ବିଳାସ ସାମଗ୍ରୀ ଥିଲା।ଥରେ ବୋଟ ନେଲେ ପର୍ଯ୍ୟଟକମାନେ ୮ ହଜାର ଟଙ୍କା ଦେଉଥିଲେ। ମାତ୍ର ଏହି ୪ଟି ବୋଟ ଚଳାଇବାରେ ବନବିଭାଗ ବିଫଳ ହେବା ପରେ ୨୦୧୬ ଜାନୁଆରି ୧ ତାରିଖରେ ୩ବର୍ଷ ପାଇଁ ଏହି ବିଳାସପୂର୍ଣ୍ଣ ବୋଟ ସହିତ ୩ଟି କାଟାମାରାନ ବୋଟର ପରିଚାଳନା ଦାୟିତ୍ବ କେରଳର ‘ସମୁଦ୍ର ସିପୟାର୍ଡ ପ୍ରାଇଭେଟ ଲିମିଟେଡ’ କମ୍ପାନୀକୁ ଦିଆଯାଇଥିଲା। ୬ମାସ ହେଲା ବୋଟଗୁଡିକ ଗୁପ୍ତିଠାରେ ରଖା ଯାଇଥିବା ବେଳେ ପର୍ଯ୍ୟଟକଙ୍କୁ ଦିଆଯାଉ ନ ଥିଲା। ଏ ନେଇ ଅଭିଯୋଗ ହେବା ପରେ ଗତ ୪ ତାରିଖ ଦିନ ଭୁବନେଶ୍ବରଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଚଳିତମାସ ୩୧ତାରିଖ ସୁଦ୍ଧା ବୋଟ ଗୁଡିକୁ ବନବିଭାଗକୁ ହସ୍ତାନ୍ତର କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା। ହସ୍ତାନ୍ତର ପୂର୍ବରୁ ବୋଟଗୁଡିକର ଯାଞ୍ଚ ବେଳେ ସେଥିରୁ ୩୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ ସାମଗ୍ରୀ ଗାଏବ ହୋଇଥିବା ଜଣା ପଡିଥିଲା। ଖୋଜାଖୋଜି ବେଳେ ଘରୋଇ କମ୍ପାନୀର ମ୍ୟାନେଜର ଓ ଉଚ୍ଚ ଅଧିକାରୀମାନେ ରହୁଥିବା ଘରେ ଏହି ସାମଗ୍ରୀଗୁଡିକ ଥିବା ଜଣାପଡିଥିଲା। ବୋଟ ରହୁଥିବା ସ୍ଥାନଠାରୁ ୨୫ କିମି ଦୂର ସାନବଡ଼ଗୋପାଳପୁରଠାରେ ଏକ ଘରେ ଏହି ସାମଗ୍ରୀ ଥିବା ନେଇ ଗତ ୨୫ ତାରିଖ ଦିନ ରାଜନଗର ଏସିଏଫ୍‌ ଅମରେଶନାଥ ପ୍ରଧାନ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଆଜି ପୁଲିସ, କମ୍ପାନୀ ଅଧିକାରୀ ଓ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବିଳାସ ସାମଗ୍ରୀ ଜବତ କରାଯିବା ସମୟରେ ସ୍ଥାନୀୟ ବ୍ୟବସାୟୀ ଦେବବ୍ରତ ରାଉତ, ଜନ୍ମେଜୟ ମହାନ୍ତି, ଗଣେଶ୍ବର ବେହେରା ପ୍ରମୁଖ ସେଠାରେ ପହଞ୍ଚି ସମୁଦ୍ର ସିପୟାର୍ଡ କମ୍ପାନୀର ମ୍ୟାନେଜର ଅନିଲ ରାଉତରାୟ ସେମାନଙ୍କଠାରୁ ବୋଟ ଚଳାଇବା ପାଇଁ ତେଲ ଓ ରାସନସାମଗ୍ରୀ ବାକିରେ ନେଇଥିବା କହିଥିଲେ। ସେ ବାବଦକୁ ଲକ୍ଷାଧିକ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେବା ଯାଏଁ ସାମଗ୍ରୀ ଏଠାରୁ ଯାଇ ପାରିବ ନାହିଁ ବୋଲି ଜିଦ୍‌ ଧରିଥିଲେ। ସାମଗ୍ରୀ ବାକିରେ ନିଆଯାଇ ବୋଟ ପରିଚାଳନା କାମରେ ଲାଗିଥିବାରୁ ମ୍ୟାନେଜର ଆସିବା ଯାଏଁ ସାମଗ୍ରୀକୁ ଘର ମଧୢରେ ରଖି ତାଲା ଦିଆଯାଇଛି।

ପର୍ଯ୍ୟଟକ ବ୍ୟବହାର କରିବା ପାଇଁ କିଣାଯାଇଥିବା ବିଳାସ ସାମଗ୍ରୀ ବୋଟ ରହିଥିବା ସ୍ଥାନଠାରୁ ୨୫ କିମି ଦୂର ଯାଏଁ ଆସିଲା କିପରି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସିଏଫ ଶ୍ରୀ ପ୍ରଧାନ କହିବା ଅନୁଯାୟୀ ବୋଟରୁ ସାମଗ୍ରୀ ବାହାରକୁ ଆସିବା ସ˚ପର୍କରେ ସେମାନେ ଜାଣି ନ ଥିଲେ। ଖୋଜାଖୋଜି ପରେ ଏହା ନ ମିଳିବାରୁ ଥାନାରେ ଏତଲା ଦିଆଯାଇଥିଲା।

ସମ୍ବନ୍ଧିତ ଖବର