ପଂଚାୟତ ପୋଖରୀରେ ମାଛ ଜାଆଁଳା ଛାଡ଼ିବାକୁ ନେଇ ଦୁଇ ପରିବାର ବାସନ୍ଦ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ହଳଦି ଗ୍ରାମରେ ଏକ ପଞ୍ଚାୟତ ପୋଖରୀରେ ମାଛ ଜାଆଁଳା ଛାଡ଼ିବାକୁ ନେଇ ୨ଟି ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ହଳଦି ଗ୍ରାମବାସୀ ପ୍ରାୟ ଦେଢ଼ ମାସ ହେଲା ଦୁଇ ପରିବାରକୁ ବାସନ୍ଦ କରିଛନ୍ତି। ସେମାନଙ୍କୁ ଗ୍ରାମ ଲୋକ କଥାବାର୍ତ୍ତା ବନ୍ଦ କରିଥିବା ବେଳେ ଗ୍ରାମରେ ଥିବା ଦୋକାନରୁ କୌଣସି ଦ୍ରବ୍ୟ ନେଣଦେଣ ଉପରେ ରୋକ ଲଗା ଯାଇଛ। ବାସନ୍ଦ ଦୁଇ ପରିବାରର କୌଣସି କାର୍ଯ୍ୟରେ ସହଯୋଗ ନ କରିବାକୁ ଗ୍ରାମବାସୀ ନିଷ୍ପତି ନେଇଛନ୍ତ।

ତେବେ ସାମାଜିକ ବାସନ୍ଦ ହୋଇଥିବା ଦୁଇ ପରିବାର ଗାଁରେ ନିସହାୟ ହୋଇ ପଡିଛନ୍ତି। ଡାବୁଗାଁ ପୁଲିସକୁ ଏ ନେଇ ଦୁଇ ପରିବାର ଗ୍ରାମର କେତେ ଜଣ ବିରୁଦ୍ଧରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ମାମଲାକୁ ପଞ୍ଚାୟତ ସ୍ତରରେ ସମାଧାନ କରିବାକୁ କହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଚଚରାଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ହଳଦି ଗ୍ରାମରେ ଏକ ପୋଖରୀ ଲିଜ ଆକାରରେ ଦିଆଯାଇଛି। ଏହି ପୋଖରୀରେ ଗ୍ରାମବାସୀ ପ୍ରତିବର୍ଷ ମାଛ ଚାଷ କରୁଛନ୍ତି। ପୋଖରୀ ନିକଟରେ ହଳଦି ଗ୍ରାମର ଧନୁର ସିଂ ଓ ଜମିର ସିଂ ପରିବାରର କିଛି ଜମି ରହିଛି। ଗତ ଦେଢ଼ ମାସ ତଳେ ଏହି ପୋଖରୀରେ ହଳଦି ଗ୍ରାମବାସୀ ମାଛ ଜାଆଁଳା ଛାଡ଼ିଥିଲେ।

ତେବେ ମାଛ ଯାଆଁଳା ଛାଡ଼ିବା ସମୟରେ ଧନୁର ସିଂ ଓ ଜମିର ସିଂ ଗ୍ରାମବାସୀଙ୍କୁ ବିରୋଧ କରିବା ସହ ଯୁକ୍ତିତର୍କ କରିଥିଲେ। ମାଛ ଜାଆଁଳା ଛାଡ଼ିବା ଦ୍ୱାରା ପୋଖରୀର ପାଣି ଦୁହିଁଙ୍କ ଜମିକୁ ଯିବାରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ତାଙ୍କର ଅଭିଯୋଗ ରହିଥିଲା। ତେବେ ଗ୍ରାମବାସୀ ତାଙ୍କ କଥାରେ ଗୁରୁତ୍ୱ ଦେଇ ନ ଥିବା ବେଳେ ଗ୍ରାମବାସୀଙ୍କୁ ଅଯଥା ଯୁକ୍ତିତର୍କ କରିବା ଏବଂ ମାଛ ଜାଆଁଳା ଛାଡ଼ିବା ସମୟରେ ବାରଣ କରିବାରୁ ଗ୍ରାମବାସୀ ଏଥିରେ କ୍ଷୁବ୍ଧ ହୋଇ ଏହି ଦୁଇ ପରିବାରକୁ ଗ୍ରାମର ସମସ୍ତ ପ୍ରକାର ସାମାଜିକ, ଆର୍ଥିକ କଟକଣା ଲଗାଇବା ସହ କଥାବାର୍ତ୍ତା ବନ୍ଦ କରି ଦେଇଛନ୍ତି।

ଗତ ଜୁନ ୨୨ ତାରିଖ ଗୁରୁବାର ଦିନ ହଳଦି ଗ୍ରାମବାସୀ ପୋଖରୀ ନିକଟରେ ପାଣି ବାନ୍ଧିବା ପାଇଁ ହିଡ ବାନ୍ଧିଥିଲେ। ଦୁଇ ପରିବାର ପୋଖରୀରେ ହିଡ ବାନ୍ଧିଲେ ତାଙ୍କ ଜମିରେ ପାଣି ଯିବାରେ ସମସ୍ୟା ସୃଷ୍ଟି ହେବ ବୋଲି ଅଭିଯୋଗ କରିଥିବା ବେଳେ ପୋଖରୀରେ ହିଡ ନ ବାନ୍ଧିଲେ ମାଛ ସବୁ ଖାଲୁଆ ରାସ୍ତାରେ ଚାଲି ଯିବେ ବୋଲି ଗ୍ରାମବାସୀ କହିଛନ୍ତ। ଏହି ହିଡ ବାନ୍ଧିବା ପରେ ଧନୁର ସିଂ ଓ ଜମିର ସିଂ ଗ୍ରାମବାସୀଙ୍କ ବିରୋଧାଭାସ ହୋଇଛନ୍ତି। ଦୁଇ ପରିବାରକୁ ଗ୍ରାମବାସୀ କେବଳ ପାଣିକୁ ଛାଡ଼ିଦେଲେ ସମସ୍ତ ପ୍ରକାର ସାମାଜିକ, ଆର୍ଥିକ କଟକଣା ଲଗାଇଛନ୍ତି।

କେହି ଏହି ପରିବାରକୁ କୌଣସି କ୍ଷେତ୍ରରେ ସହଯୋଗ କଲେ ୫୦୦୦ ଟଙ୍କାର ତଣ୍ଡ ଗଣିବେ ବୋଲି ଗ୍ରାମ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ସାମାଜିକ ବାସନ୍ଦ ପରେ ଦୁଇ ପରିବାର ୨ କିମି ଦୂରରେ ଥିବା ଚିକିଲି ଓ ବରଗୁଡ଼ା ଗ୍ରାମ ଉପରେ ନିର୍ଭର କରୁଛନ୍ତି। ଆବଶ୍ୟକୀୟ ଜିନିଷ ଏହି ଦୁଇ ଗ୍ରାମରୁ ଆଣୁଛନ୍ତି। ତେବେ ବାସନ୍ଦର ଶିକାର ହୋଇଥିବା ଦୁଇ ପରିବାର ଭିଟା ମାଟି ଛାଡ଼ିବାକୁ ନାରାଜ ଥିବା ବେଳେ ପ୍ରଶାସନିକ ସ୍ତରରେ ଏହି ମାମଲାକୁ ହସ୍ତକ୍ଷେପ କରାଯାଇ ସମାଧାନ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର