ବାଲେଶ୍ବର : ଦୃଢ଼ ଇଚ୍ଛାଶକ୍ତି ବଳରେ ଯେ ଜଣେ ଲକ୍ଷ୍ୟ ହାସଲ କରିପାରେ, ତା’ର ଉଦାହରଣ ହେଉଛନ୍ତି ସୋହନ ଦିଣ୍ଡା। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଗାଜିପୁର ଗ୍ରାମର ଡ. ସୁବାସ ଚନ୍ଦ୍ର ଦିଣ୍ଡା ଓ ମାଆ କାତ୍ୟାୟନୀ ଦିଣ୍ଡାଙ୍କ ପୁଅ ସେ। ସୋହନ ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିଲେ। ପାଠପଢ଼ା ପ୍ରତି ଥିବା ଆଗ୍ରହ ତାଙ୍କୁ ବାଟ କଢ଼ାଇନେଲା। ପ୍ରାଥମିକଠାରୁ ଏମ୍ବିବିଏସ୍ ଯାଏ, ସବୁ ପରୀକ୍ଷାରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହେଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏତିକିରେ ତାଙ୍କର ଦକ୍ଷତା ସୀମିତ ନଥିଲା। ଚଳିତ ବର୍ଷ ସେ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା (କେଭିପିୱାଇ) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୩୬ ନମ୍ବର ଏବଂ ଓଡ଼ିଶାରେ ୧ ନମ୍ବର ରୢାଙ୍କ ରଖି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ମେଡିକାଲ୍ ବିଭାଗରେ ସର୍ବଭାରତୀୟ ସ୍ତରରେ ୨୯୦ ନମ୍ବର ରୢାଙ୍କ ଏବଂ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରବେଶିକା ପରୀକ୍ଷାରେ ୬୬୪ ନମ୍ବର ରୢାଙ୍କ ରଖି ନିଜ ଅଞ୍ଚଳର ଗୌରବ ବଢ଼ାଇଛନ୍ତି।
ଏନେଇ ସୋହନଙ୍କ ସହ ‘ସମ୍ବାଦ’ ପ୍ରତିନିଧି କଥା ହୋଇଥିଲେ। ସେ ବୈଜ୍ଞାନିକ ହୁଅନ୍ତୁ ବୋଲି ଇଚ୍ଛା ରଖିଥିବା ଜେଜେବାପା ସ୍ବର୍ଗତ ବିମଳ ଚନ୍ଦ୍ର ଦିଣ୍ଡାଙ୍କ ସ୍ବପ୍ନ ସାକାର କରିବା ପାଇଁ ପ୍ରଥମେ ଏମ୍ବିବିଏସ୍ ପଢ଼ିଲେ। ତେବେ ବର୍ତମାନ ଗବେଷଣା ପାଇଁ ନିଜକୁ ତୈୟାର କରିବା ସହ ଜଣେ ପ୍ରତିଷ୍ଠିତ ଡାକ୍ତର ହୋଇ ଜନସେବା କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।