ଲକଡାଉନରେ ଦୁର୍ଘଟଣାରେ ଶିକାର ଶ୍ରମିକ, ସ୍ୱାମୀଙ୍କୁ ଭଲ କରିବା ପାଇଁ ଭିକ ମାଗୁଛନ୍ତି ପତ୍ନୀ 

ଭୋକ ଉପବାସରେ ଦିନ କାଟୁଛନ୍ତି ୬ପ୍ରାଣୀ କୁଟୁମ୍ବ

ଚାନ୍ଦବାଲି: ସରକାର ମୋ ସ୍ୱାମୀଙ୍କୁ ଭଲ କରି ଦିଅ। ନହେଲେ ଆମ୍ଭ ୬ପ୍ରାଣୀଙ୍କ ମୁହଁରେ ଦାନା  କିଏ ଦେବ?  ଚାନ୍ଦବାଲି ମେଡିକାଲ ବେଡରେ ଜଣେ ୩୫ ବର୍ଷିୟ ଯୁବକ ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଯତ୍ନ ନେଉଥିବା ପତ୍ନୀ ଭୋ ଭୋ ହୋଇ କାନ୍ଦି ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଛନ୍ତି । ଏଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୃଶ୍ୟ।

ଚାନ୍ଦବାଲି ବ୍ଲକ ନଳଗୋହୀରା ପଞ୍ଚାୟତରେ ବଡ଼ରୂପା ଗାଁର ଦୈତ୍ୟାରୀ ଜେନା ଓ ମା ଶିଶିରକାନ୍ତି ଜେନାଙ୍କ ଏକମାତ୍ର ପୁଅ ଗଣେଶ ଜେନା (୩୫) ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରି ପରିବାର ଚଳାଇଥାନ୍ତି। ହେଲେ  କାମ କରୁଥିବା ବେଳେ ଛାତରୁ ଖସିପଡ଼ିବାରୁ ତାଙ୍କର ମେରୁଦଣ୍ଡ ହାଡ଼ ଫାଟିଯାଇଥିଲା। ଏବେ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି। ପରିବାର ମୁହଁରେ ଦାନା ଦେବା ପାଇଁ  ଏବଂ ଗଣେଶଙ୍କୁ ଭଲ କରିବା ପାଇଁ ପତ୍ନୀ ପର ଘରେ  ଭିକ୍ଷାମାଗି  ଆକୁଳ ନିବେଦନ କରୁଛନ୍ତି ।

ଗଣେଶ ଏକମାତ୍ର ରୋଜଗାରିଆ ହୋଇଥିବା ବେଳେ ତାଙ୍କ ଉପରେ ବୃଦ୍ଧ ବାପା ମା, ସ୍ତ୍ରୀ ଓ ଦୁଇ ଜଣ ଛୋଟ ପିଲା ନିର୍ଭର କରିଥାନ୍ତି।  ପରଘରେ କାମଦାମ କରି ଯାହା ରୋଜଗାର ହୁଏ, ସେଥିରେ ପରିବାର ବହୁ କଷ୍ଟରେ ଚଳିଥାଏ। ମାତ୍ର କରୋନା ମହାମାରୀ ସମୟରେ  କାମଦାମ କିଛି ନ ମିଳିବାରୁ ୬ପ୍ରାଣୀ କୁଟିମ୍ବଙ୍କ ମୁହଁରେ ଦାନା ଦେବା ଅସମ୍ଭବ ହୋଇପଡ଼ିଥିଲା।  ଗତ ଅଗଷ୍ଟ ମାସରେ  ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିବାରୁ ପରିବାର ଅର୍ଥ ସଂଗ୍ରହ ପାଇଁ ଭୁବନେଶ୍ୱର ଚାଲିଆସିଥିଲେ।

ସେଠାରେ  ରାଜମିସ୍ତ୍ରୀ ହେଲପର ଭାବରେ କାର୍ଯ୍ୟ କରୁଥିଲେ। ହେଲେ କୈାଣସି କାରଣବଶତଃ  ଛାତରୁ ଖସିପଡ଼ି ମେରୁଦଣ୍ଡ ହାଡ଼ ଭାଙ୍ଗିଯିବାରୁ  ସଂଗେସଂଗେ ଠିକାଦାର  ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲରେ ଭର୍ତ୍ତି କରିଥିଲେ।  ଏସମ୍ପର୍କରେ ଗଣେଶଙ୍କ ପରିବାରଲୋକଙ୍କୁ ମଧ୍ୟ ସୁଚନା ଦେଇଥିଲେ। ହେଲେ   ଖବର ପାଇ ଗାଁରେ ରହୁଥିବା ସ୍ତ୍ରୀ ମେଡିକାଲରେ ପହଞ୍ଚିବା ପରେ ଠିକାଦାର ଛୁ ମାରିଥିଲେ। ହାଇଟେକ ମେଡିକାଲ ପକ୍ଷରୁ ଦୁଇ ଥର ଅସ୍ତ୍ରୋପଚାର କରିଥିବା ବେଳେ ଏଥିପାଇଁ ୭/୮ଲକ୍ଷ ଟଙ୍କା ନେଇଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି। ତେବେ ଗରିବ ପରିବାର ହୋଇଥିବାରୁ ଗ୍ରାମବାସୀ ଓ ନିଜର ଜମି ଖଣ୍ଡିକ ବିକ୍ରି କରି ସର୍ବସ୍ୱ ହରାଇଥିବା ବେଳେ ଗଣେଶଙ୍କ ସ୍ୱାସ୍ଥ୍ୟର କୌଣସି ଉନ୍ନତି ହୋଇନଥିଲା । ମାତ୍ର ପୁନଶ୍ଚ ଦୁଇ ଲକ୍ଷ ଟଙ୍କା ଆଣିବା ପାଇଁ ହାଇଟେକ ମେଡିକାଲ ପକ୍ଷରୁ କୁହାଯାଇଥିବା ବେଳେ ଏତେ ଟଙ୍କା  କେଉଁଠୁ ଆଣିବେ ଏବଂ ସ୍ୱାମୀଙ୍କୁ ଭଲ କରିବେ ବୋଲି ଚିନ୍ତାରେ ପଡ଼ିଗଲେ। ପରେ ଗ୍ରାମବାସୀଙ୍କ ସାହାଯ୍ୟକ୍ରମେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ଦୁଇଦିନ ଚିକିତ୍ସା କରାଇ ଘରକୁ ପଠାଇ ଦେଇଥିଲେ। ଘରେ କିଛି ଦିନ ରହିବା ପରେ ଗଣେଶଙ୍କ ପିଚା ଓ ପିଠି ଜଙ୍ଘରେ ବଡ଼ବଡ଼ ୪ଗୋଟି ଘା’ ହୋଇଗଲାଣି। ଦିନକୁ ଦିନ  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରାଯାଇ କେବଳ ଡ଼୍ରେସିଂ କରାଯାଉଛି।

ଗଣେଶଙ୍କୁ ଭଲ କରିବା ପାଇଁ ତାଙ୍କ ପରିବାର ସମସ୍ତ ସମ୍ପତ୍ତି ବିକ୍ରି କରିସାରିଥିବା ବେଳେ ଏବେ ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଯୋଗାଉଥିବା ଗଣେଷକୁ ଭଲ କରିବା ପାଇଁ ଓଡ଼ିଶାର ମାନବିକତା ସଂଗଠନ ଓ  ଗ୍ରାମବାସୀ ନିବେଦନ କରିଛନ୍ତି । ପୁଅର ଏପରି ଅବସ୍ଥାକୁ ନେଇ ବୃଦ୍ଧ ବାପା ଦୈତ୍ୟାରୀ ଜେନା (୮୦) ମାତା ଶିଶିରକାନ୍ତି ଜେନା( ୭୦ ) ଖାଇବା ପିଇବା ମଧ୍ୟ ଛାଡ଼ି ଦେଲେଣି। ମା ଶିଶିରକାନ୍ତି ଜେନାଙ୍କ ଆଖିକୁ ଭଲ ଦିଶୁନାର୍ହି ।

ଏପରିସ୍ଥଳେ ସରକାରୀ ସହାୟତା କହିଲେ କେବଳ ଟଙ୍କିକିଆ ଚାଉଳ ସହିତ ବୃଦ୍ଧ ବାପାଙ୍କ ୫ଶହ ଟଙ୍କା ଭତ୍ତା ଭରସା ପାଲଟିଛି । ମା ଶିଶିରକାନ୍ତିଙ୍କ ବୟସ ୭୦ ପାର ହୋଇଯାଇଥିବା ବେଳେ ସରକାରଙ୍କ ନିକଟରେ ତାଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦିନେ ଖାଇଲେ ଦୁଇ ଦିନ  ଉପବାସରେ ଦିନ କାଟୁଥିବା ଏହି  ଗରିବ ପରିବାର   ପ୍ରତି ସରକାର ଦୃଷ୍ଟି ଦେଲେ ଗଣେଶ ଭଲ ହୋଇ ପୁଣି ୬ପ୍ରାଣୀଙ୍କ ମୁହଁରେ ଦାନା ଯୋଗାଡ଼ କରିପାରନ୍ତେ। ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ   ସ୍ତ୍ରୀ ଓ ଦୁଇ ନାବାଳକ ଶିଶୁ ପୁତ୍ର ଗଣେଶଙ୍କୁ ଦେଖାଶୁଣା କରୁଥିବା ବେଳେ ଖବର ପାଇ କିଛି ସ୍ୱେଚ୍ଛାସେବୀ ସଂଗଠନ ସେମାନଙ୍କୁ ଖାଇବାକୁ ଯୋଗାଇ ଦେଉଥିବା ବେଳେ ସରକାରୀସ୍ତରରେ ତାଙ୍କର ଚିକିତ୍ସା କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର