ଶ୍ରମିକ ଟ୍ରେନ୍‌ରେ ଫେରିଲେଣି ୩ ଲକ୍ଷରୁ ଅଧିକ

ଓଡ଼ିଶାକୁ ଆସିଛି ୨୪୭ ଟ୍ରେନ୍‌, ପୂର୍ବତଟରୁ ଯାଇଛି ୧୪ଟି

ଭୁ‌ବନେଶ୍ବର : କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ମେ’ ପହିଲାରୁ ଚଳାଚଳ କରୁଥିବା ଏହି ଟ୍ରେନ୍‌ରେ ୩ ଲକ୍ଷରୁ ଅଧିକ ଲୋକ ଓଡ଼ିଶା ଫେରିଛନ୍ତି। ରାଜ୍ୟ ସରକାରଙ୍କ ଚାହିଦା ଅନୁସାରେ, ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଯୋଗାଇ ଦିଆଯାଉଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ଆହୁରି କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶାନୁଯାୟୀ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା କାର୍ଯ୍ୟ ଜୁନ୍‌ ୨୪ ସୁଦ୍ଧା ଶେଷ ହେବାର ଥିଲା। ପୂର୍ବତଟ ରେଳପଥରେ ଏହି କାର୍ଯ୍ୟ ସମୟ ସୀମା ମଧ୍ୟରେ ସରିଛି। ଯେହେତୁ ବିଭିନ୍ନ ରାଜ୍ୟରୁ ପୂର୍ବତଟ ରେଳପଥକୁ ଆସିବା ପାଇଁ ଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ ସଂଖ୍ୟା ଅତି କମ୍‌ ରହିଛି, ତେଶୁ ପୂର୍ବତଟ ରେଳପଥ ପକ୍ଷରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ବିଭିନ୍ନ ରାଜ୍ୟକୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ପଠାଇ ଆବଶ୍ୟକତା ପୂରଣ କରାଯାଉଛି।

ମେ’ ପ୍ରଥମ ସପ୍ତାହରୁ ପୂର୍ବତଟ ରେଳପଥ ପାଖାପାଖି ୬୩୪ଟି ଟ୍ରେନ୍ ପରିଚାଳନା କରିଛି। ସେଥିମଧ୍ୟରୁ ୨୫୦ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ବାହାର ରାଜ୍ୟରୁ ପୂର୍ବତଟ ରେଳପଥକୁ ଆସିଛି। ସେଥିରେ ଓଡ଼ିଶାକୁ ୨୪୭ଟି ଓ ଆନ୍ଧ୍ର ପ୍ରଦେଶକୁ ୩ଟି ଆସିଛି। ୧୪ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ ପୂର୍ବତଟ ରେଳପଥରୁ(ସମ୍ବଲପୁରରୁ ଗୋଟିଏ, ଭୁବନେଶ୍ୱରରୁ ୨ଟି, ବିଶାଖାପାଟଣାରୁ ୧୧ଟି)ଦେଶର ବିଭିନ୍ନ ସ୍ଥାନକୁ ପଠାଯାଇଛି। ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶରୁ ଏହି ଟ୍ରେନ୍‌ଗୁଡ଼ିକ ଓଡ଼ିଶାକୁ ଆସିଥିଲା। ପ୍ରାୟ ୩୭୨ଟି ଟ୍ରେନ୍‌ ପୂର୍ବତଟ ରେଳପଥ ଦେଇ ଯାଇଥିଲା। ଯେଉଁଗୁଡ଼ିକରେ ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନ୍‌ରେ ଖାଦ୍ୟ ତଥା ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଥିଲା। ଆଇଆରସିଟିସି ସହଯୋଗରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକରେ ପୂର୍ବତଟ ରେଳପଥ ପକ୍ଷରୁ ୧୨ଲକ୍ଷରୁ ଅଧିକ ନିଃଶୁଳ୍କ ଖାଦ୍ୟ ଓ ପାଣି ବୋତଲ ଯାତ୍ରୀଙ୍କୁ ଯୋଗାଇ ଦିଆଯାଇଛି। ଯେତେବେଳେ ବି ଆବଶ୍ୟକତା ହେବ, ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଯୋଗାଇଦେବା ନିମନ୍ତେ ସମସ୍ତ ରାଜ୍ୟ ସରକାରଙ୍କୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।

ସମ୍ବନ୍ଧିତ ଖବର