ଅନୁଗୁଳ : ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାଓ୍ଵାର ଲିମିଟେଡ୍ (ଜେଏସ୍ପିଏଲ୍) ଅନୁଗୁଳଠାରେ ୬ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିଛି। ଏଥିରେ କଂପାନି ବର୍ତ୍ତମାନ ସୁଦ୍ଧା ୩୫ ହଜାର କୋଟି ଟଙ୍କା ନିବେଶ କରିସାରିଲାଣି। କାରଖାନାରେ ହେବାକୁ ଥିବା ୯୫% ପୁଞ୍ଜିନିବେଶ ଆମେ କରିସାରିଲୁଣି। ଆଉ ବଳକା ୧୦୦୦ କୋଟି ଟଙ୍କା ପାଖାପାଖି ନିବେଶ କରାଯିବ ବୋଲି ଜେଏସ୍ପିଏଲ୍ର ମୁଖ୍ୟ ନବୀନ ଜିନ୍ଦଲ କହିଛନ୍ତି। କୋଲ୍ ଗ୍ୟାସିଫିକେସନ୍ କାରଖାନାରେ ୧୦ ହଜାର କୋଟି ଟଙ୍କା ନିବେଶ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ଜିନ୍ଦଲ କହିଛନ୍ତି ଯେ, ଆମର କୋଲ୍ ଗ୍ୟାସିଫିକେସନ୍ ପ୍ଲାଣ୍ଟ୍ ପାଇଁ ୨ ନିୟୁତ ଟନ୍ କୋଇଲାର ଆବଶ୍ୟକତା ରହିଛି। ପାରାଦୀପ ରିଫାଇନାରିର ପେଟ୍ କୋକ୍ ଜରିଆରେ ୧୫-୨୦% ଆବଶ୍ୟକତା ପୂରଣ କରିବାକୁ ଯୋଜନା ରହିଛି। ଏହା ବ୍ୟତୀତ ୩୦-୪୦% କୋଇଲାକୁ ଆମଦାନି କରାଯିବ। ଏମ୍ସିଏଲ୍ଠାରୁ ଖୁବ୍ଶୀଘ୍ର ଆମକୁ କୋଇଲା ଲିଙ୍କେଜ୍ ମିଳିଯିବ ବୋଲି ଆମେ ଆଶା କରୁଛୁ ବୋଲି ସେ କହିଛନ୍ତି। କଂପାନି କୋକ୍ ଓଭେନ୍ ଗ୍ୟାସ୍କୁ ନିଜର ଡିଆର୍ଆଇ କାରଖାନାରେ ବ୍ୟବହାର କରିବାକୁ ମଧ୍ୟ ଯୋଜନା ରଖିଛି।
ବର୍ତ୍ତମାନ କଂପାନିର ଅନୁଗୁଳ କାରଖାନାରେ ମାସକୁ ଅଢ଼େଇ ଲକ୍ଷ ଟନ୍ ଇସ୍ପାତ ଉତ୍ପାଦନ ହେଉଛି। କାରଖାନାଟି ସ୍ଥାପିତ କ୍ଷମତାର ୫୦% ଉପଯୋଗ କରିପାରୁଛି। ଆଗାମୀ ଦିନରେ କଂପାନି ଏହାର ଉତ୍ପାଦନ କ୍ଷମତା ବଢ଼ାଇବ ଓ ବର୍ଷକ ଭିତରେ ମାସିକ ୫ ଲକ୍ଷ ଟନ୍ ଇସ୍ପାତ ଉତ୍ପାଦନ କରାଯିବ ବୋଲି ସେ କହିଛନ୍ତି।
ରାଜ୍ୟରେ କୋଇଲା ବ୍ଲକ୍ ନିଲାମ ପାଇଁ ଉପଲବ୍ଧ ହେଲେ କଂପାନି ସେଥିରେ ନିଶ୍ଚିତ ଭାଗ ନେବ ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତ ପ୍ରତିବର୍ଷ ପାଖାପାଖି ୨୦ ହଜାର କୋଟି ଟଙ୍କା ଖର୍ଚ କରି ୮୦% ଜାଳେଣି କୋଇଲା ଆମଦାନି କରୁଛି।