ଏସିପି ସଂଜୀବ ଶତପଥୀଙ୍କ ପୁଅର ଆତ୍ମହତ୍ୟା

ଭୁବନେଶ୍ବର : କମିସନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ୍ ଏସିପି ସଞ୍ଜୀବ ଶତପଥୀଙ୍କ ଏକମାତ୍ର ପୁଅ ଆୟୁଷ ଶତପଥୀ (୧୨) ଶନିବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଛନ୍ତି। ଚନ୍ଦ୍ରଶେଖରପୁରର ଏକ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲରେ ୭ମ ଶ୍ରେଣୀରେ ପଢ଼ୁଥିବା ଆୟୁଷ ଗତକାଲି ବିଳମ୍ବିତ ରାତିରେ ଏକ ଜିନ୍ସ ପ୍ୟାଣ୍ଟ ସହାୟତାରେ ଫ୍ୟାନ୍‌ରେ ଝୁଲି ପଡ଼ିବା‌ରୁ ତାଙ୍କର ମୃତ୍ୟୁ ହୋଇଛି।

ପ୍ରାଥମିକ ତଦନ୍ତ ପରେ ନୂଆପଲ୍ଲୀ ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆୟୁଷ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍‌ ଦେଖୁଥିଲେ। ମୋବାଇଲ୍ ରଖି ଶୋଇବା ପାଇଁ ତାଙ୍କ ମା’ ଆକଟ କରିଥିଲେ। ଏହାପରେ ଆୟୁଷ ତାଙ୍କ ଶୋଇବା ଘରକୁ ଚାଲି ଯାଇଥିଲେ। କିନ୍ତୁ କିଛି ସମୟ ପରେ ପରିବାର ଲୋକ ଆୟୁଷଙ୍କୁ ଡାକିଥିଲେ ହେଁ ସେ କିଛି ଉତ୍ତର ଦେଇନଥିଲେ। ସନ୍ଦେହ ହେବାରୁ ପରିବାର ଲୋକ ତାଙ୍କ ଶୋଇବା ଘରକୁ ଯାଇ ଆୟୁଷଙ୍କୁ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ।

ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଏହାପରେ ଶ୍ରୀ ଶତପଥୀଙ୍କ ସରକାରୀ କ୍ବାର୍ଟର୍ସ (ଡି-୨୧)ରେ ପୁଲିସ କମିସନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ସମ୍ବନ୍ଧିତ ଖବର