ଘରୋଇ ବ୍ୟାଙ୍କ‌ରେ ମହାପ୍ରଭୁଙ୍କ ସମସ୍ତ ପାଣ୍ଠି! ଶହେ କୋଟିର ହୁଣ୍ଡି ଟଙ୍କାକୁ ବି ଟେକି ଦେଇଛନ୍ତି

ଅନ୍ଧାରରେ ଅର୍ଥ ଓ ପରିଚାଳନା କମିଟି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ପରିଚାଳନା କମିଟି

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କର୍ପସ ପାଣ୍ଠିକୁ ଘରୋଇ ବ୍ୟାଙ୍କକୁ ଟେକି ଦେବା ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। ପରିଚାଳନା କମିଟି ଓ ଅର୍ଥ ସବ୍‌ କମିଟି ସଦସ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ମହାପ୍ରଭୁଙ୍କ ସବୁ ସମ୍ପତ୍ତିକୁ ଟେକି ଦେଇଥିବା ଅଧିକାରୀଙ୍କ ମନମାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଏହି ବ୍ୟାଙ୍କରେ କେବଳ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ନୁହେଁ ବରଂ ତାହା ସହିତ ମହାପ୍ରଭୁଙ୍କୁ ହୁଣ୍ଡିରୁ ଆଦାୟ ହୋଇଥିବା ୧୦୦ କୋଟିରୁ ଅଧିକ ଟଙ୍କା ବା ଫାଉଣ୍ଡେସନ୍‌ ଫଣ୍ଡ୍‌କୁ ମଧ୍ୟ ସମାନ ବ୍ୟାଙ୍କରେ ଜମା କରିଦେଇଛନ୍ତି। ଏକାବେଳେ ଏତେ ଟଙ୍କା ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ କାହିଁକି ଜମା ହେଲା ସେ ନେଇ କମିଟି ଉଦ୍‌ବେଗ ପ୍ରକାଶକରିଛି।

ଘରୋଇ ବ୍ୟାଙ୍କର ସବୁ ଟଙ୍କା ଗୋଟିଏ ବ୍ୟାଙ୍କରେ ଜମା କରି ମହାପ୍ରଭୁଙ୍କ ପାଣ୍ଠିକୁ ବିପଦ ଭିତରକୁ ଠେଲି ଦିଆଯାଇଥିବା ନେଇ ଅର୍ଥ ସବ୍‌ କମିଟି ଓ ପରିଚାଳାନା କମିଟି ସଦସ୍ୟ ଆଜି ଗୁରୁତର ଅଭିଯୋଗ ଆଣିଛନ୍ତି। ସମସ୍ତ ପାଣ୍ଠିର ମାଲିକ ମନ୍ଦିର ପରିଚାଳନା କମିଟି ‌ହୋଇଥିବାବେଳେ କମିଟିକୁ ନ ଜଣାଇ ଦୁଇଟି ପାଣ୍ଠିକୁ ଗୋଟିଏ ବ୍ୟାଙ୍କରେ କିଭଳି ଜମା କରାଗଲା ତାକୁ ନେଇ ପ୍ରଶ୍ନ କରିବା ସହ ତୁରନ୍ତ ଏହାର ତଦନ୍ତ ଦାବି କରିଛନ୍ତି। ଦରକାର ପଡ଼ିଲେ ଏହା ବ‌ିରୋଧରେ ପରିଚାଳନା କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ବୋଲି ଚେତାବନୀ ଦେଇଛି। ଗୋଟିଏ ବ୍ୟାଙ୍କରେ ଦୁଇଟି ପାଣ୍ଠିର ଅର୍ଥ ଜମା କରିବା ରହସ୍ୟ ବଢ଼ାଇଛି। ମହାପ୍ରଭୁଙ୍କ ପାଣ୍ଠିରେ ଥିବା ଏହି ଜମା ଟଙ୍କାର ସୁଧରେ ମନ୍ଦିର ପରିଚାଳନା କରାଯାଇଥାଏ। ମାତ୍ର କିଛି ଅଧିକ ସୁଧ ଆଶାରେ ମହାପ୍ରଭୁଙ୍କ ସମସ୍ତ ସଂପତ୍ତି, ପାଣ୍ଠିକୁ ଏକ ନିର୍ଦ୍ଦିଷ୍ଟ ‌ଘରୋଇ ବ୍ୟାଙ୍କରେ ଜମା କରି ପାଣ୍ଠିର ନିରାପତ୍ତାକୁ ବିପଦ ଭିତରକୁ ଠେଲି ଦେଇଛନ୍ତି। ଅନ୍ୟପକ୍ଷରେ ଫାଉଣ୍ଡେସନ ଫଣ୍ଡ ବା ହୁଣ୍ଡି ଟଙ୍କା ରଖିବା ପାଇଁ ସବୁ ନିୟମର ଉଲ୍ଲଂଘନ କରାଯାଇଛି। ଏହି ପାଣ୍ଠିର ମୁଖ୍ୟ ଖୋଦ୍‌ ମୁଖ୍ୟମନ୍ତ୍ରୀ ଥିବାବେଳେ ତାକୁ ମଧ୍ୟ ଅବମାନନା କରାଯାଇଛି। ଏଥିରେ ଏକ ବଡ କାରବାରର ଗନ୍ଧ ଥିବା ସନ୍ଦେହ କରାଯାଉଛି। ସଂପୂର୍ଣ୍ଣ ବେଆଇନ ଭାବେ ଏ ଟଙ୍କା ରଖାଯାଇଛି।

ଗତ ପରିଚାଳନା କମିଟି ବୈଠକ‌ରେ ଆଲୋଚନା ହେବା ପରେ ୨୪ ତାରିଖରେ ଏ ନେଇ ହୋଇଥିବା ସାନି ଟେଣ୍ଡରରେ ମଧ୍ୟ ପରିଚାଳନା କମିଟି ସହିତ ଆଲୋଚନା ହୋଇନାହିଁ। ସୁଧ ଲୋଭରେ ମହାପ୍ରଭୁଙ୍କ ସବୁ ଟଙ୍କାକୁ ଗୋଟିଏ ବ୍ୟାଙ୍କରେ ରଖି ବିପଦକୁ ବରଣ କରାଯାଇଛି। ଅନ୍ୟପକ୍ଷରେ ଏଥିରେ ମନ୍ଦିର ପ୍ରଶାସନର କିଛି ବରିଷ୍ଠ ଅଧିକାରୀଙ୍କ ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି। ଜାତୀୟକରଣ ବ୍ୟାଙ୍କରେ ନ ରଖି ଏସ୍‌ ବ୍ୟାଙ୍କରେ ଅର୍ଥ ଜମା କରିବା ପଛରେ ଥିବା ରହସ୍ୟକୁ ଉନ୍ମୋଚନ କରିବାକୁ ଦାବି ହୋଇଛି। ଏହି କାରବାରରେ କେତେ ଟଙ୍କାର ଅନୁକମ୍ପା କିଏ ନେଇଛନ୍ତି, ଏଥିରେ କିଏ କିଏ ସାମିଲ ହୋଇଛନ୍ତି, ତା’ର ତଦନ୍ତ କରିବାକୁ ଦାବି ହୋଇଛି। ଅର୍ଥ ସବ୍‌ କମିଟି ସଦସ୍ୟ ମାଧବ ମହାପାତ୍ରଙ୍କୁ ପଚାରିବାରେ ଏ ନେଇ ପରିଚାଳନା କମିଟି କିମ୍ବା ଅର୍ଥ କମିଟିର ମଧ୍ୟ ଅନୁମତି ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର