ବାତ୍ୟା ପୂର୍ବରୁ ଅଘଟଣ : ଉଡ଼ିଗଲା ନୀଳଚକ୍ର ବାନା

ଅଧିକ ବର୍ଷା, ପବନ ହେଲେ ବନ୍ଦ ରହିବ ରଥ ନିର୍ମାଣ

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଯେଉଁ ଅଘଟଣ ଘଟିଥିଲା, ବାତ୍ୟା ‘ଅମ୍ପାନ’ ଆସିବା ପୂର୍ବରୁ ସେହି ଅଘଟଣର ପୁନରାବୃତ୍ତି ଘଟିଛି। ଆଜି ଶ୍ରୀମନ୍ଦିର ନୀଳଚକ୍ର ବାନା ପବନରେ ଛିଣ୍ଡିଯିବା ସହ କେଉଁ ଆଡ଼େ ଉଡ଼ିଯାଇଛି। ଏହା ଶୁଭଙ୍କର ନୁହେଁ ବୋଲି ଭକ୍ତଙ୍କ ମହଲରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେହି କେହି ଏହାକୁ ଅଘଟଣର ପୂର୍ବାଭାସ ବୋଲି ମତ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ହଠାତ୍‌ ନୀଳଚକ୍ରର ଶୀର୍ଷରେ ଲାଗିଥିବା ବାନା କେଉଁଆଡ଼େ ଉଡ଼ିଯାଇଥିଲା। ନୀଳଚକ୍ର ଖାଲି ଥିବା‌ ଦେଖି ଭକ୍ତଙ୍କ ମହଲରେ ଆଲୋଡ଼ନ ପରେ ଚୁନରା ସେବକମାନେ ପୁନର୍ବାର ବାନା ବାନ୍ଧିଥିଲେ। କିଛି ଦିନ ପୂର୍ବରୁ ନୀଳଚକ୍ର ବାନା ଚିରିଯିବାର ଦେଖିବାକୁ ମିଳିଥିଲା। ଏହାର କିଛିଦିନ ପୂର୍ବରୁ ନୀଳଚକ୍ର ବାନାରେ ନିଆଁ ଲାଗିଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ବାରମ୍ବାର ନୀଳଚକ୍ରରେ ଚିଲ ବସିବାର ଦୃଶ୍ୟ ବି ଦେଖିବାକୁ ମିଳୁଛି। ଶ୍ରୀମନ୍ଦିରରେ ଏଭଳି ଗୋଟିଏ ପରେ ଗୋଟିଏ ଅଘଟଣ ଭକ୍ତଙ୍କୁ ଦୁଶ୍ଚିନ୍ତାରେ ପକାଇଛି।

ଅଧିକ ବର୍ଷା, ପବନ ହେଲେ ବନ୍ଦ ରହିବ ରଥ ନିର୍ମାଣ
ପୁରୀ : ବାତ୍ୟା ‘ଅମ୍ପାନ’ ଭୟଙ୍କର ରୂପ ନେଉଛି। ଯଦି ‘ଅମ୍ଫାନ’ ଯୋଗୁ ପୁରୀରେ ଅଧିକ ବର୍ଷା ହେବା ସହ ଜୋର୍‌ରେ ପବନ ବହେ ରଥଖଳାରେ ଦୁଇ ଦିନ ପାଇଁ ରଥ ନିର୍ମାଣ ବନ୍ଦ ରହିବ । ସ୍ଥିତିକୁ ନଜରରେ ରଖିମେ’ ୧୯ ଓ ୨୦ ତାରିଖ, ଦୁଇଦିନ ଶ୍ରୀମନ୍ଦିର ପ୍ରଶାସନ ରଥ ନିର୍ମାଣ ବନ୍ଦ ହେବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବ। ଏ ସଂପର୍କରେ ମହାରଣା ସେବକ, ଭୋଇ ସେବକ, ରୂପକାର ସେବକ, ଓଝା ସେବକ ଆଦିଙ୍କୁ ଅବଗତ କରି ଦିଆଯାଇଛି।

ସମ୍ବନ୍ଧିତ ଖବର