କରୋନା ସାଙ୍ଗକୁ ଅମ୍ଫାନ ବିପଦ : ବାଲେଶ୍ୱରରେ ସ୍ଥାନାନ୍ତରିତ ହେବେ ୩ ଲକ୍ଷ, ମିଶନ ଜିରୋ କାଜୁଆଲିଟି ଆରମ୍ଭ

ବାଲେଶ୍ବର : ଭୟଙ୍କର ରୂପ ନେଇପାରେ ବାତ୍ୟା ଅମ୍ଫାନ। ସେଥିପାଇଁ ବାଲେଶ୍ବର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରିଛି। ମଙ୍ଗଳବାରଠାରୁ ବର୍ଷା ଓ ପବନ ଆରମ୍ଭ ହେବାକୁ ଭିଡିଓ କନଫରେନସିଂ ଜରିଆରେ ବ୍ଲକ୍‌ସ୍ତରୀୟ ଅଧିକାରୀମାନଙ୍କୁ ସତର୍କ କରାଯାଇଛି। ଜିଲ୍ଲାର ୫ଟି ବ୍ଲକ୍‌ରେ ୧୩୬ଟି ପଞ୍ଚାୟତରୁ ଅତିକମ୍‌ରେ ୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି।

ସୂଚନା ଅନୁସାରେ, ବିଡିଓ, ତହସିଲଦାର, ସିଡିପିଓ, ପୁଲିସ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ମୁକାବିଲା ଲାଗି ବ୍ଲକ୍‌ସ୍ତରରେ ବରିଷ୍ଠ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରାଯାଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ଉପକୂଳର ୩ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅସୁରକ୍ଷିତ ଅଂଚଳର ଲୋକଙ୍କୁ ମେ’ ୧୯ ତାରିଖ ଅପରାହ୍ନ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି। ଜିଲ୍ଲାରେ ଥିବା ୧୪୦ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୫୮ଟି ଏବେ କରୋନା ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି) ଭାବେ କାର୍ଯ୍ୟ କରୁଥିବାରୁ ସେ ଅଞ୍ଚଳର ସ୍କୁଲ ଘରଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରିବାକୁ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି କ୍ରମରେ ପ୍ରାୟ ୪ଶହ ସ୍କୁଲ ଘରକୁ ଚିହ୍ନଟ କରାଯାଇ ସେଠାରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଅନ୍ୟପକ୍ଷରେ ଆଜି ସଂଧ୍ୟାରୁ ଆସନ୍ତା ୨୧ ତାରିଖ ସକାଳ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲାକୁ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି। ୨୧ ତାରିଖ ପର୍ଯ୍ୟନ୍ତ କୌଣସି ଟ୍ରେନ୍ ବାଲେଶ୍ବର ଆସିବ ନାହିଁ। ଭୋଗରାଇ, ରେମୁଣା ଓ ବାଲିଆପାଳ ଅଞ୍ଚଳରେ କଚ୍ଚାଘର, ଦୁର୍ବଳ ଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଗର୍ଭବତୀ ଓ ରୋଗୀମାନଙ୍କୁ ମେଡିକାଲରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାକୁ ଅତିରିକ୍ତ ୨ଟି ଏନ୍‌ଡିଆରଏଫ୍‌ ଦଳ ଆସିଥିବା ବେଳେ ସେମାନଙ୍କୁ ଭୋଗରାଇ ଓ ସଦରରେ ରଖାଯାଇଥିବା ବେଳେ ଆସିଥିବା ଅତିରିକ୍ତ ଦୁଇ ଓଡ୍ରାଫ୍‌ ଟିମ୍‌କୁ ବାଲିଆପାଳ ଓ ଇଞ୍ଚୁଡ଼ି ପଠାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ୮ ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇ ସେସବୁ ସ୍ଥାନକୁ ଉଦ୍ଧାରକାରୀ ଦଳ ପଠାଯାଇଛି। ଖାଦ୍ୟଶସ୍ୟ ସୁରକ୍ଷିତ ରଖିବାକୁ ଗୋଦାମ ଘର ଖୋଲାରଖିବା ସହିତ ତାର୍ପୋଲିନର ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ କୁହାଯାଇଛି। ଆଶ୍ରୟସ୍ଥଳଗୁଡ଼ିକରେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ପ୍ରତି ବ୍ଲକରେ ୨ଟି ଲେଖାଏଁ ଜେସିବି ମେସିନ ପ୍ରସ୍ତୁତ କରି ରଖିବାକୁ ପୂର୍ତ ବିଭାଗକୁ କୁହାଯାଇଛି। ସମସ୍ତ ଅଂଚଳରେ ପାନୀୟ ଜଳର ବ୍ୟବସ୍ଥା କରିବା ଏବଂ ଓଭରହେଡ ଟ୍ୟାଙ୍କଗୁଡିକୁ ପୂର୍ଣ୍ଣ କରି ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ପଲିଥିନ ମହଜୁଦ କରି ରଖିବାକୁ ଜିଲ୍ଲା ଜରୁରିକାଳୀନ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ନେସ୍କୋକୁ ଟିମ୍‌ ପ୍ରସ୍ତୁତ କରି ବିଭିନ୍ନ ଉପକୂଳ ଅଞ୍ଚଳରେ ଆଗୁଆ ସଜାଗ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ସମ୍ବନ୍ଧିତ ଖବର