୨୧ରୁ କଟକଣାମୁକ୍ତ କାଳିଆ ଦର୍ଶନ

ଆବଶ୍ୟକ ପଡ଼ିବନି ‌କରୋନା ନେଗେଟିଭ୍‌ ଓ ଟିକା ପ୍ରମାଣପତ୍ର, ହଟିବ କିଓସ୍କ ବ୍ୟବସ୍ଥା, ମାସ୍କ ଓ ସାନିଟାଇଜ୍‌ ବାଧ୍ୟତାମୂଳକ

ପୁରୀ : ଦୀର୍ଘ ଦୁଇବର୍ଷର କଟକଣାଯୁକ୍ତ କାଳିଆ ଦର୍ଶନରୁ ମୁକୁଳିବେ ଭକ୍ତ। ଆଉ ଆବଶ୍ୟକ ପଡ଼ିବନି କରୋନା ନେଗେଟିଭ୍‌ ରିପୋର୍ଟ କି ଡବଲ୍‌ ଡୋଜ୍‌ ଟିକା ପ୍ରମାଣପତ୍ର। ଫେବ୍ରୁଆରି ୨୧ରୁ ଆରମ୍ଭ ହେବ କଟକଣାମୁକ୍ତ କାଳିଆ ଦର୍ଶନ। ହଟିବ କିଓସ୍କ ବ୍ୟବସ୍ଥା। କିନ୍ତୁ ମାସ୍କ ପରିଧାନ ଓ ସାନିଟାଇଜ୍‌ ବ୍ୟବସ୍ଥା ବାଧ୍ୟତାମୂଳକ ରହିବ। ଆଜି ଛତିଶାନିଯୋଗ ବୈଠକ ପରେ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ‌କରୋନାର ଭୟାବହତା ଓ ସଂକ୍ରମଣ ହାର କମିବାପରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ଫଳରେ ଭକ୍ତମାନେ ପୂର୍ବଭଳି ଶ୍ରୀମନ୍ଦିରରେ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସ୍ଥିତି ଅନୁଧ୍ୟାନ ପରେ ମାର୍ଚ୍ଚ ୧୦ ତାରିଖରେ ପୁନର୍ବାର ଛତିଶାନିଯୋଗ ବୈଠକରେ ଦର୍ଶନ ଉପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ତେବେ ପୂର୍ବଭଳି ପ୍ରତି ରବିବାର ଦର୍ଶନ ବନ୍ଦ ରହିବ।

କରୋନା ସଂକ୍ରମଣ ହାର ବଢ଼ିବା ପରେ ୨୦୨୦ ମସିହା ମାର୍ଚ୍ଚ ୨୨ରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ କରି ଦିଆଯାଇଥିଲା। ଏହା ପରଠାରୁ ଭକ୍ତମାନେ କଟକଣା ଭିତରେ ମହାପ୍ରଭୁଙ୍କ ଦର୍ଶନ କରି ଆସୁଛନ୍ତି। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ କରୋନା ନେଗେଟିଭ୍‌ ରିପୋର୍ଟ ଅବା ଡବଲ୍‌ ଡୋଜ୍‌ ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଛି। ଇତିମଧ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଏକାଧିକ ଥର ଶ୍ରୀମନ୍ଦିର ବନ୍ଦ କରାଯାଇଛି। ତେବେ ଏବେ ସଂକ୍ରମଣ କମିଛି। ଏଣୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ ଉପରେ ଆଜି ଅପରାହ୍ନରେ ଛତିଶାନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି, ବିଭିନ୍ନ ନିଯୋଗର ସଭାପତି, ସଂପାଦକଙ୍କ ସହ ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର କହିଛନ୍ତି ଯେ ଛତିଶାନି‌ଯୋଗର ପ୍ରସ୍ତାବ ଓ ସର୍ବସମ୍ମତି ନିଷ୍ପତ୍ତିକ୍ରମେ ଆସନ୍ତା ୨୧ ତାରିଖରୁ ଭକ୍ତଙ୍କୁ କଟକଣାମୁକ୍ତ ଦର୍ଶନ ସୁଯୋଗ ଦେବାକୁ ସ୍ଥିର ‌ହୋଇଛି।

ଅନ୍ୟପଟେ ଭୋର ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ମଙ୍ଗଳଆଳତି ଦର୍ଶନରୁ ବଞ୍ଚିତ ହୋଇ ଆସୁଛନ୍ତି। ଏଣୁ ଭକ୍ତମାନେ ମଙ୍ଗଳଆଳତି ଦର୍ଶନ ପାଇଁ ଦାବି କରି ଆସୁଛନ୍ତି। ଏ ଉପରେ ଅନେକ ଥର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିସାରିଛି। ତଥାପି ଫେବ୍ରୁଆରି ୨୦ରୁ ୨୫ ତାରିଖ ଭିତ‌ରେ ପୁନର୍ବାର ଛତିଶାନିଯୋଗ ବୈଠକ ଡକାଯିବ। ଦ୍ବାରଫିଟାଠାରୁ ରାତ୍ରପହୁଡ଼ ପର୍ଯ୍ୟନ୍ତ ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା ହେବ। ଆପାତତଃ ଦ୍ବାରଫିଟା ପରେ ଅର୍ଥାତ୍‌ ମଙ୍ଗଳଆଳତି ସହ ଅନ୍ୟାନ୍ୟ ନୀତିକାନ୍ତି ବେଳେ ଭକ୍ତମାନେ କିଭଳି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେ ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଡ. କୁମାର କହିଛନ୍ତି।

ସମ୍ବନ୍ଧିତ ଖବର