ଅଦିନରେ ରଥଯାତ୍ରା ପ୍ରସଙ୍ଗ : ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ବଡ଼ଦାଣ୍ଡ ହେବ ହେରିଟେଜ୍‌ କରିଡର୍‌
ଗଠନ ହେବ ମଠ ଉନ୍ନୟନ ସମିତି
ସେବାୟତ ମଙ୍ଗଳ ଯୋଜନାକୁ ଗୁରୁତ୍ବ

ପୁରୀ : ବଡ଼ଦାଣ୍ଡ ହେବ ହେରିଟେଜ୍ କରିଡ଼ର। ଶ୍ରୀଜଗନ୍ନାଥ ସଂସ୍କୃତି ସହ କଳିଙ୍ଗର କଳା ଭାସ୍କର୍ଯ୍ୟରେ ସଜେଇ ହେବ ଶ୍ରୀ‌କ୍ଷେତ୍ରର ଐତିହ୍ୟପୂର୍ଣ୍ଣ ରଥଦାଣ୍ଡ। ମଠ ସଂସ୍କୃତି ସହ ଶ୍ରୀମନ୍ଦିର ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଏବଂ କଳିଙ୍ଗର କଳା ଭାସ୍କର୍ଯ୍ୟରେ ବି ମଠ, ମନ୍ଦିରକୁ ଶୋଭିତ କରାଯିବ। ଏଥି ଲାଗି ଆବଶ୍ୟକ ପରାମର୍ଶ ଦେବା ନିମନ୍ତେ ମଠ ଉନ୍ନୟନ ସମିତି ଗଠନ ହେବ। ସେହିପରି ଅଦିନରେ ରଥଯାତ୍ରା ଆୟୋଜନ ପରମ୍ପରାକୁ ଭଙ୍ଗ କରୁଥିବାରୁ ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ଚିଠି ଲେଖିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଏପରି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାବାଦ୍ ଶ୍ରୀଗୁଣ୍ଡିଚା ମନ୍ଦିର, ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନୟନ କାର୍ଯ୍ୟ ଦିଗରେ ଗୁରୁତ୍ବାରୋପ କରାଯାଇଛି। ସେବାୟତମାନଙ୍କ ପାଇଁ ପ୍ରସ୍ତାବିତ ଗୁରୁକୁଳଠାରୁ ଆରମ୍ଭ କରି ପରିବାରର ଶୈକ୍ଷିକ ବାତାବରଣରେ କିଭଳି ଉନ୍ନତି ଆସିପାରିବ ସେ ଦିଗ ପ୍ରତି ବି ଦୃଷ୍ଟି ଦିଆଯାଇଛି।

ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂଙ୍କ ସମେତ ପରିଚାଳନା କମିଟିର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ବୈଠକ ଆରମ୍ଭରୁ ଅଦିନରେ ରଥଯାତ୍ରାକୁ ନେଇ ପରିଚାଳନା କମିଟି ସଦସ୍ୟମାନେ ଟିପ୍ପଣୀ ରଖିଥିଲେ। ନିକଟରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ଖଣ୍ଡପଡ଼ା ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକ। ଏହା ପରମ୍ପରାକୁ କ୍ଷୁଣ୍ଣ କରୁଥିବାରୁ ଏ ଦିଗରେ ପଦକ୍ଷେପ ନିହାତି ଜରୁରି ବୋଲି ଶ୍ରୀ ପଟ୍ଟନାୟକ ବିଧାନସଭାରେ ଦାବି ରଖିଥିଲେ। ଆଜି ପରିଚାଳନା କମିଟି ଶ୍ରୀ ପଟ୍ଟନାୟକଙ୍କ ଏହି ଦାବିକୁ ଦୃଢ଼ ସମର୍ଥନ ଜଣାଇଛି।

ଶ୍ରୀକ୍ଷେତ୍ର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର କ୍ଷେତ୍ର। ଏଠାକାର ରଥଯାତ୍ରା ବିଶ୍ବବିଦିତ। ଏଥି ପାଇଁ ସ୍ବତନ୍ତ୍ର ତିଥି, ନୀତି, ପରମ୍ପରା ଧାର୍ଯ୍ୟ ହୋଇଛି। କିନ୍ତୁ ଦେଶ ବିଦେଶରେ ଏହାକୁ ବିକୃତ କରାଯାଉଛି। ତିଥି ନ ଥାଇ ବି ଅଦିନରେ ରଥଯାତ୍ରା ପାଳନ କରାଯାଉଛି। ଏହା ଶ୍ରୀଜଗନ୍ନାଥ ପରମ୍ପରା ପ୍ରତି ଉପହାସ। ତେଣୁ ଏଥିରେ ପ୍ରତିବନ୍ଧକ ଲଗାଇବାକୁ ପରିଚାଳନା କମିଟି ସଦସ୍ୟମାନେ ମତ ଦେଇଥିଲେ। ଗଜପତି ମହାରାଜଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି। ଏ ଦିଗରେ ସଚେତନତା ସୃଷ୍ଟି ଲାଗି ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ତିଥି, ନୀତି, ପରମ୍ପରା ସଂପର୍କରେ ରାଜ୍ୟ ତଥା ରାଜ୍ୟ ବାହାରେ କିପରି ଲୋକେ ଜାଣିପାରିବେ ଓ ରଥଯାତ୍ରା ଦିନ ହିଁ କିପରି ରଥଯାତ୍ରା ପାଳିବେ, ସେ ଉପରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ସଂଗଠନ ଆଦିଙ୍କୁ ଅବଗତ କରିବାକୁ ନିଷ୍ପତ୍ତି ହୋଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଏହା ଉପରେ ଏକ ପ୍ରସ୍ତାବ ପାରିତ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବା ନିମନ୍ତେ ବୈଠକରେ ସ୍ଥିର ହୋଇଛି।

ସେହିପରି ପ୍ରସ୍ତାବିତ ସେବାୟତ ଗୁରୁକୁଳର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା। ଆସନ୍ତା ପରିଚାଳନା କମିଟି ବୈଠକରେ ଏହାର ଡିଜାଇନ୍ ଉପସ୍ଥାପନ କରାଯିବ। ଗଠିତ ସବ୍‌କମିଟି ଏହାର ଡିଜାଇନ୍ ପ୍ରସ୍ତୁତ କରି ପରିଚାଳନା କମିଟିରେ ଉପସ୍ଥାପନ କରିବା ପରେ ଗୁରୁକୁଳ କାର୍ଯ୍ୟ ଆରମ୍ଭ ହେବ। ସେବାୟତ ପରିବାରର ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି, ‌ମେଧାବୃତ୍ତି ସହ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଉପରେ ଆଲୋଚନା କରାଯିବା ସହ ବଡ଼ଦାଣ୍ଡକୁ ହେରିଟେଜ୍ କରିଡରରେ ପରିଣତ କରିବାକୁ ନିଷ୍ପତ୍ତି ହୋଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟ ନୂଆ ରୂପ ପାଇବ। ମନ୍ଦିର ପରିସର ଓ ଚତୁଃପାର୍ଶ୍ବ ଉନ୍ନୟନ ଉପରେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନକୁ ନୂଆ ରୂପ ଦିଆଯିବ। ରାଜ୍ୟ ସରକାରଙ୍କ ଐତିହ୍ୟ ସହର ଯୋଜନାରେ ସମସ୍ତ ପ୍ରକଳ୍ପଗୁଡ଼ିକୁ ପୂର୍ଣ୍ଣ ରୂପ ଦେବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଗଣମାଧ୍ୟମକୁ କହିଛନ୍ତି। ଶ୍ରୀମନ୍ଦିର ଚାରିପାର୍ଶ୍ବକୁ ଶ୍ରଜଗନ୍ନାଥ ସଂସ୍କୃତି ସହ କଳିଙ୍ଗର ଐତିହ୍ୟରେ ସଜାଯିବ ବୋଲି ଶ୍ରୀ କୁମାର କହିଥିଲେ।

ମଠଗୁଡ଼ିକର ଉନ୍ନୟନ କାର୍ଯ୍ୟ ପାଇଁ ମଠ ଉନ୍ନୟନ ସମିତି ଗଠିତ ହେବ। ଏହି ସମିତି ମଠ ମହନ୍ତ, ବିଭିନ୍ନ ବ୍ୟବସାୟୀଙ୍କ ସହ ବିଚାରବିମର୍ଶ କରିବ। ଆବଶ୍ୟକ ପରାମର୍ଶ ନେବା ପରେ ଏ ସଂପର୍କରେ ପରିଚାଳନା କମିଟିକୁ ଜଣାଇବ। ସେହି ଅନୁଯାୟୀ ମଠଗୁଡ଼ିକର ଉନ୍ନୟନ କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀମନ୍ଦିର ଜମିଜମା ବିକ୍ରିବଟା ପାଇଁ ଅନୁମୋଦିତ ୟୁନିଫର୍ମ ପଲିସି ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇସାରିଛି। ଇ-ଅକ୍ସନ୍ ଜରିଆରେ ଜମି ବିକ୍ରିବଟା ସମସ୍ୟା ଦୂର କରାଯିବ। ଏଥି ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସେଲ୍‌ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର