ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଆଜି ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସୂକ୍ଷ୍ମ ଅବତରଣ କରିବାକୁ ଯୋଜନା ହୋଇଥିଲା। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ। ହେଲେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରଯାନ-୨ ଅବତରଣ କରିବା ଯୋଜନା ପଛରେ ଅନେକ ଗୁରୁତ୍ବପୂର୍ଣ୍ଣ କାରଣ ରହିଛି। ଦୀର୍ଘ ଧରି ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହି ଆସିଛି। ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ପ୍ରାୟ ୧୦୦ ମିଲିଅନ୍ ଟନ୍ ଜଳ ଥିବା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ମେରୁ ଅଞ୍ଚଳର ଘନ ଅନ୍ଧକାର ଅଞ୍ଚଳରେ ଜଳ ଥିବା ସମ୍ଭାବନା ରହିଛି। ଚନ୍ଦ୍ରର ଉତ୍ତର ମେରୁ ଅଞ୍ଚଳ ଅପେକ୍ଷା ଦକ୍ଷିଣ ମେରୁ ଅଞ୍ଚଳ ମାତ୍ରାଧିକ ବଡ଼। ଏଠାରେ ଜଳ ଏବଂ ବିପୁଳ ପରିମାଣରେ ଖଣିଜ ପଦାର୍ଥ ଥିବା ଆଶା କରାଯାଉଛି। ଦକ୍ଷିଣ ମେରୁରେ ଅବତରଣ ସଫଳତା ମିଳିଥିଲେ ଚନ୍ଦ୍ର ସଂପର୍କରେ ଅନେକ ରହସ୍ୟ ଉନ୍ମୋଚିତ ହୋଇଥାନ୍ତା
Sambad is now on WhatsApp
Join and get latest news updates delivered to you via WhatsApp
ଲକ୍ଷ୍ୟ କ’ଣ ଥିଲା
ଚନ୍ଦ୍ରର ଉତ୍ପତ୍ତି ଏବଂ ଏହାର କ୍ରମବିକାଶ ଦିଗ ଅଧ୍ୟୟନ କରିବା ଚନ୍ଦ୍ରଯାନ -୨ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଜଳବାୟୁ ସଂକ୍ରାନ୍ତ ଅଧ୍ୟୟନ ଏବଂ ଖଣିଜ ବିଶ୍ଳେଷଣ ଦ୍ବାରା ଚନ୍ଦ୍ରର ବିଭିନ୍ନ ଦିଗ ଗୁଡ଼ିକୁ ଅଧ୍ୟୟନ କରିଥାନ୍ତା ଚନ୍ଦ୍ରର ପୃଷ୍ଠଭାଗରେ ମଧ୍ୟ କିଛି ଗବେଷଣା ଲକ୍ଷ୍ୟ ରହିଥିଲା।
ଲ୍ୟାଣ୍ଡରର ନାମ ବିକ୍ରମ କାହିଁକି?
ଇସ୍ରୋ ଏହାର ପ୍ରତିଷ୍ଠାତା ତଥା ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ନାମ ଅନୁଯାୟୀ ଲ୍ୟାଣ୍ଡରର ନାମ ‘ବିକ୍ରମ’ ରଖିଛି। ସେ ଇସ୍ରୋ ପ୍ରତିଷ୍ଠା କରିଥିଲେ ଏବଂ ଭାରତରେ ମହାକାଶ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଯୋଜନା କରିଥିଲେ। ଚଳିତ ବର୍ଷ ଡକ୍ଟର ବିକ୍ରମ ସରାଭାଇଙ୍କ ଶହେ ତମ ଜୟନ୍ତୀ ହୋଇଥିବାରୁ ତାଙ୍କ ସ୍ମୃତିରେ ଲ୍ୟାଣ୍ଡରର ନାମ ବିକ୍ରମ ରଖାଯାଇଛି।