ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ଜିଲ୍ଲାପାଳ, ଓବିସିସି, ଏଏସ୍‌ଆଇକୁ କୋର୍ଟଙ୍କ ନୋଟିସ୍‌

ଜୁନ୍‌ ୨୮ରେ ହାଜର ନିର୍ଦ୍ଦେଶ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ତୀବ୍ର ହେବାରେ ଲାଗିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣ ବେଆଇନ୍‌ ବୋଲି ହାଇକୋର୍ଟରେ ପ୍ରତ୍ନତତ୍ତ୍ବ ବିଭାଗର ସତ୍ୟପାଠ ଦାଖଲ ପରେ ଏହି ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। କିନ୍ତୁ ଆଇନର ଦ୍ବାହି ଦେଇ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରଖିଛି ଠିକା ସଂସ୍ଥା। ଏହି ପ୍ରସଙ୍ଗରେ ପୁରୀ ଓକିଲ ସଂଘ ପକ୍ଷରୁ ଦାୟର ଦେୱାନୀ ମାମଲା(୧୭୯/୨୨)ର ଶୁଣାଣି କରି ଆଜି ପୁରୀ ସିଭିଲ୍‌ ଜଜ୍‌(ସିନିୟର) ଡିଭିଜନ୍‌ କୋର୍ଟ କେନ୍ଦ୍ର ସଂସ୍କୃତି ବିଭାଗ, ଜିଲ୍ଲାପାଳ, ଓବିସିସି, ଏଏସ୍‌ଆଇ, ଏନ୍‌ଏମ୍‌ଏ, ଟାଟା କମ୍ପାନି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ପୌରସଂସ୍ଥାକୁ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ଜୁନ୍‌ ୨୮ ତାରିଖରେ କୋର୍ଟରେ ହାଜର ହୋଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଆଜି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସୁଦର୍ଶନ ନାୟକ ଓ ଓଡ଼ିଆ ଲେଖକ ଲେଖିକା ପରିଷଦ ମୁଖ୍ୟ ସଂଯୋଜକ ଭୁବନାନନ୍ଦ ମହାନ୍ତିଙ୍କ ତରଫରୁ ଏହି ମାମଲା ଦାୟର କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷାକୁ ଗୁରୁତ୍ବ ଦିଆଯାଉ, କୌଣସି ପ୍ରକଳ୍ପକୁ ନୁହେଁ। ସଂପୂର୍ଣ୍ଣ ଭାବେ ଯାଞ୍ଚ ଓ ସ୍ଥିତି ଅନୁଧ୍ୟାନ ପରେ ନିୟମ ଅନୁଯାୟୀ ନିର୍ମାଣ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ରାଜ୍ୟ ସରକାର, କେନ୍ଦ୍ର ସରକାର, ଏନଏମଏ, ଏଏସଆଇ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପରିଷଦକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦୀପକ କୁମାର ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର