ରା.ଉଦୟଗିରି : ଚାକିରି ସ୍ଥାୟୀତ୍ବ ଓ ବକେୟା ଦରମା ପ୍ରଦାନ ଦାବିରେ ସିଡ଼ିଏମ୍ଓଙ୍କୁ ଦାବିପତ୍ର ଦେଇ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣେ ଷ୍ଟାଫନର୍ସଙ୍କ ଜୀବନ। ଏହା ସହ ଅନାଥ ହେଇଯାଇଛନ୍ତି ତିନି ତିନିଟି ସନ୍ତାନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୋହନା ବ୍ଲକ୍ ଅଞ୍ଚଳରେ। ମୃତ ଷ୍ଟାଫନର୍ସ ଜଣକ ହେଲେ ପ୍ରେମାଦିନି ନାୟକ। କର୍ପସ ଫଣ୍ଡ ଅଧୀନରେ ଷ୍ଟାଫନର୍ସ ଭାବେ ଚାକିରି କରୁଥିବା ମୋହନା ବ୍ଲକ୍ ବିରିକୋଟର ପ୍ରେମାଦିନି ନିଜ ବ୍ଲକ୍ ଦୁଇ ସହକର୍ମୀ ଓ ରା.ଉଦୟଗିରି ବ୍ଲକର ଦୁଇ ସହକର୍ମୀଙ୍କ ସହ ମିଶି ଗଜପତି ସିଡିଏମଓଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିଲେ। ସେମାନେ ଦାବିପତ୍ର ପ୍ରଦାନ କରି ଏକ ଅଟୋ ଯୋଗେ ସନ୍ଧ୍ୟାରେ ଫେରୁଥିବା ବେଳେ ରା. ଉଦୟଗିରି ଠାରେ ୨ ଜଣ ଷ୍ଟାଫନର୍ସ ଓହ୍ଲାଇ ପଡ଼ିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରେମାଦିନି ତାଙ୍କ ୨ ସହକର୍ମୀଙ୍କ ସହ ଘର ଅଭିମୁଖେ ଫେରୁଥିବା ବେଳେ ଛେଳିଗଡ଼ ନିକଟସ୍ଥ ପାଟପାଣିଠାରେ ତାଙ୍କ ଅଟୋ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ପ୍ରେମାଦିନିଙ୍କୁ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଚନ୍ଦ୍ରଗିରି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ସମସ୍ତ ବକେୟା ଦରମା ମିଳିଯାଇଥିଲେ ଏପରି ଦୁର୍ଘଟଣା ଦେଖିବାକୁ ପଡ଼ିନଥାନ୍ତା ବୋଲି ଅନ୍ୟ ଷ୍ଟାଫନର୍ସ ମାନେ କହିଛନ୍ତି। ସେହିପରି ପ୍ରେମାଦିନିଙ୍କ ୨ ପୁଅ ଓ ୧୬ ମାସର ଶିଶୁକନ୍ୟା ମାଆ ଛେଉଣ୍ଡ ହୋଇଯାଇଛନ୍ତି।