ବିଜେଡି ଦଳିତଙ୍କୁ ଶୋଷଣ କରୁଛି: ବିଜେପି

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ଓଡିଶାରେ ବିଜେଡି ଦଳିତଙ୍କ ଭୋଟରେ ଶାସନ କ୍ଷମତା ଅକ୍ତିଆର କରିଥିବାବେଳେ ଦଳିତଙ୍କ ବିକାଶ ପାଇଁ ସରକାରଙ୍କର କୌଣସି ଆନ୍ତରିକତା ନାହିଁ। ବରଂ ଦଳିତଙ୍କୁ ଶୋଷଣ କରି, ଧୋକା ଦେଇ ସାଂଘାତିକ ଅପରାଧ କରୁଛି। ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋ‌ଗଦେଇ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ୍ ସିଂ ଆର୍ଯ୍ୟ ଏହା କହିଛନ୍ତି।

ଶ୍ରୀ ଆର୍ଯ୍ୟ କହିଛନ୍ତି ଯେ, ଓଡିଶା ସରକାରଙ୍କ ତରଫରୁ ଦଳିତଙ୍କୁ ନ୍ୟାୟ ମିଳୁ ନାହିଁ। ଦଳିତଙ୍କ ବିକାଶ ପାଇଁ କେନ୍ଦ୍ରରୁ ଆସୁଥିବା ପର୍ଯ୍ୟାପ୍ତ ପରିମାଣର ଅର୍ଥକୁ ଅଲଗା ଯୋଜନାରେ ଖର୍ଚ୍ଚ କରୁଛନ୍ତି। ଅନୁସୂଚିତ ଜାତିର ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ କେନ୍ଦ୍ର ସରକାର କମିସନ ଗଠନ କରିଛନ୍ତି। ଦେଶର ଅନ୍ୟ ରାଜ୍ୟମାନେ ଅନୁସୂଚିତ ଜାତି କମିସନ ଗଠନ କରିଥିଲେ ହେଁ ଓଡ଼ିଶାରେ ଏହା ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟରେ ଅଧିକାଂଶ ଅନୁସୂଚିତ ଜାତିର ଲୋକ ଭୂମିହୀନ ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ସେମାନଙ୍କୁ ଚିହ୍ନଟ କରି ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଢିହ ସହ ବାସଗୃହ ଯୋଗାଇ ଦିଅନ୍ତୁ। ପ୍ରତ୍ୟେକ ଦଳିତଙ୍କୁ ପାଇଖାନା ଯୋଗାଇ ଦିଆଯାଉ ବୋଲି ଶ୍ରୀ ଆର୍ଯ୍ୟ କହିଛନ୍ତି ।

ଅପରପକ୍ଷେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାରୁ ନ୍ୟାୟ ନମିଳିବାରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ହାସଲ‌ କରିଛି। କିନ୍ତୁ ଦଳିତ ବିରୋଧୀ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ। ଅଧିକାଂଶ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଉନାହିଁ। ତେଣୁ ଏଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଅନୁସୂଚିତ ଜନଜାତିର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇ.ଟି.ଡି.ଏ ଯୋଜନା ଭଳି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ଆଇ.ଏସ୍‌.ସି.ଡି.ଏ. (ସମନ୍ବିତ ଅନୁସୂଚିତ ଜାତି ବିକାଶ ଉନ୍ନୟନ ଅଥରିଟି) ଗଠନ କରାଯାଇ ଦଳିତ ବର୍ଗଙ୍କ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କାର୍ଯ୍ୟକାରିଣୀ ବୈଠକରେ ଦାବି କରାଯାଇଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୁ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭୋଳା ସିଂହ, ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ତଥା ବିଧାୟକ ମୁକେଶ ମହାଲିଙ୍ଗ, ଉପସଭାପତି ସନାତନ ବିଜୁଳି, ନାଉରୀ ନାଏକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର