ସାମ୍ବାଦିକମାନଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କଲେ ରାଜ୍ୟ ସରକାର। ତୁରନ୍ତ କାର୍ଯ୍ୟକାରୀ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟ ସରକାର ସାମ୍ବାଦିକମାନଙ୍କ ନିମନ୍ତେ ବଡ଼ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ଓଡ଼ିଶାର ସାମ୍ବାଦିକମାନେ ବେଶ୍‌ ଉପକୃତ ହେବା ସହ ବିଭିନ୍ନ ପ୍ରକାରର ସୁବିଧା ପାଇପାରିବେ। ଏହି ଯୋଜନାରେ ରହିଛି ଯଦି କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଉଛି ତାଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଳିବ। ଏଥିସହିତ ଡି.ଏମ.ଇ.ଟି ସ୍ୱୀକୃତି ସହ ସ୍ୱାସ୍ଥ୍ୟବୀମା ପାଇଁ ୨ ଲକ୍ଷ ଟଙ୍କାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।

ସେହିପରି ୪ଚକିଆ ଯାନ କିଣିଲେ ୪ଲକ୍ଷ ଟଙ୍କା ଋଣ ପର୍ଯ୍ୟନ୍ତ ୩ ପ୍ରତିଶତ ସୁଧ ଛାଡ। ଋଣ ପ୍ରଦାନ କରିଥିବା ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ସୁଧ ଛାଡ ପରିମାଣ ପ୍ରତି ବର୍ଷ ପ୍ରଦାନ କରିବେ। କୌଣସି କାରଣରୁ କାର୍ଯ୍ୟରତ ସାମ୍ବାଦିକ ଦୁର୍ଘଟଣାରେ ଅର୍କମଣୀୟ ହୋଇ ପଡିଲେ ସେମାନଙ୍କୁ ୨ଲକ୍ଷ ଟଙ୍କାର ସହାୟତା ମଧ୍ୟ ମିଳିବ। ଏହାସହ ସାମ୍ବାଦିକମାନଙ୍କୁ ଗୃହ ଋଣ ମଧ୍ୟ ମିଳିବ, ଯାହା ୩ପ୍ରତିଶତ ହିସାବରେ ୨୫ ଲକ୍ଷ ଟଙ୍କାର ଗୃହ ଋଣ ଦେବେ ରାଜ୍ୟ ସରକାର। ଏହାସହ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ ପାଇଁ ନିଷ୍ପତ୍ତି। ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ସୁଧ ଛାଡ ପରିମାଣ ପ୍ରତି ବର୍ଷ ପ୍ରଦାନ କରାଯିବ।

ମୃତ ସାମ୍ବାଦିକ ପିଲାମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଆର୍ଥିକ ସହାୟତା କରିବେ ରାଜ୍ୟ ସରକାର। ମୃତ ସାମ୍ବାଦିକଙ୍କ ପିଲାମାନଙ୍କୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦୦ ଟଙ୍କା ଏବଂ ଉଚ୍ଚଶିକ୍ଷା ପାଇଁ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତି ନେଇଛନ୍ତି ସରକାର। ଏହାବ୍ୟତୀତ ସାମ୍ବାଦିକମାନଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ ଦେବାପାଇଁ ସରକାର ସହାୟତା ଯୋଗାଇଦେବେ। ଆଇ.ଆଇ.ଏମ.ସି ପରି ସଂସ୍ଥା ଗୁଡିକରେ ୨୫ରୁ ୩୨ଜଣ ସାମ୍ବାଦିକଙ୍କୁ ରାଜ୍ୟ ଭିତରେ ୩ ଦିନିଆ, ଏକ ସପ୍ତାହ କିମ୍ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ।

ରାଜ୍ୟ ସରକାର ୫ ବର୍ଷିୟା ବ୍ଲକ ପିରିୟଡ ମଧ୍ୟରେ ଜଣକା ପିଛା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ। ଏହି ସବୁ ସୁବିଧା ତୁରନ୍ତ କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଗତ ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଜୀବୀ ସାମ୍ବାଦିକମାନଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩,୨୩୩ ଜଣ କର୍ମଜୀବୀ ସାମ୍ବାଦିକମାନଙ୍କ ପାଇଁ ଜୁନ ପହିଲାରୁ ଏହି ସ୍ୱାସ୍ଥ୍ୟବୀମା ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର