ସାମ୍ବାଦିକ ସମ୍ମିଳନୀରେ ବିକଳ୍ପ ଓଡ଼ିଶାର ଅଭିଯୋଗ: ରାଜ୍ୟରେ ଏବେ ଦୁର୍ନୀତିଗ୍ରସ୍ତ, ଅହଂକାରୀ ଅମଲାଙ୍କ ଶାସନ ଚାଲୁଛି

ଭୁବନେଶ୍ବର: ଓଡ଼ିଶାରେ ଏବେ ନେତା, ମନ୍ତ୍ରୀଙ୍କ ବଦଳରେ ଅମଲାମାନଙ୍କ ଶାସନ ଚାଲୁଛି। ଅମଲାମାନେ ଉଭୟ ରାଜନୈତିକ ଓ ପ୍ରଶାସନିକ କ୍ଷମତାକୁ କରାୟତ୍ତ କରିବାକୁ ସକ୍ଷମ ହୋଇଛନ୍ତି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ଶୁକ୍ରବାର ୟୁନିଟ୍‌-୯ସ୍ଥିତ ଲୋହିଆ ଏକାଡେମି ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ‌ରେ ଏପରି ଅଭିଯୋଗ କରିଛନ୍ତି ବିକଳ୍ପ ଓଡ଼ିଶା ସଂଗଠନର ସଭାପତି କୈଳାଶ ମିଶ୍ର। ସାମ୍ବାଦିକମାନଙ୍କୁ ଶ୍ରୀ ମିଶ୍ର କହିଥିଲେ ଯେ ଓଡ଼ିଶାର ନିର୍ବାଚିତ ପ୍ରତିନିଧିମାନେ ଆଜି ଅମଲାତନ୍ତ୍ର ଆଗରେ ନତମସ୍ତକ। ଅସହାୟ ବିଧାୟକ, ମନ୍ତ୍ରୀ ଓ ସାଂସଦମାନେ ଅମଲାମାନଙ୍କ ଆଗରେ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି। ସେମାନଙ୍କ କଥାକୁ ବି ଅମଲାମାନେ ଶୁଣୁନାହାନ୍ତି। ଅମଲାତନ୍ତ୍ର ଦୁର୍ନୀତିଗ୍ରସ୍ତ, ଅହଂକାରୀ ଓ ଅପାରଗ ହୋଇଯିବାରୁ ରାଜ୍ୟରେ ଦୁର୍ନୀତି ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ଯେଉଁଭଳି ଭାବେ ଖଣି ଲୁଟ୍‌ ଚାଲିଛି, କେଇ ଦଶନ୍ଧି ଭିତରେ ଓଡ଼ିଶାରୁ ସମସ୍ତ ଖଣିଜ ସଂପଦ ଶେଷ ହୋଇଯିବ।‌ ହେଲେ ଏ ନେଇ କାହାର ଚିନ୍ତା ନାହିଁ।

ସେ ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ହାତରେ ଏବେ ସବୁ କ୍ଷମତା କେନ୍ଦ୍ରୀଭୂତ ହୋଇ ରହିଛି। ସେ ଉଭୟ ରାଜନୈତିକ ଓ ପ୍ରଶାସନିକ କ୍ଷମତାକୁ କରାୟତ୍ତ କରିଛନ୍ତି। ଏପରିକି ମୁଖ୍ୟ ସଚିବଙ୍କ ଦପ୍ତର ୫-ଟି ଅଧୀନକୁ ଚାଲି ଯାଇଛି। ସେ ମୁଖ୍ୟମନ୍ତ୍ରୀଙ୍କ ଭଳି ବିନା କ୍ୟାବିନେଟ୍‌ ଅନୁମୋଦନରେ ପ୍ୟାକେଜ୍‌ ଘୋଷଣା କରୁଛନ୍ତି। ନିକଟରେ ମା’ ସାରଳାଙ୍କ ଦର୍ଶକ ସମୟରେ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ବ୍ୟୟ କରିବା କଥା କହିଛନ୍ତି। କ୍ଷମତାର ଏହି କେନ୍ଦ୍ରୀକରଣ ଓଡ଼ିଶାରେ ଅମଲାମାନଙ୍କ ଦ୍ବାରା ଅଚିନ୍ତନୀୟ ଦୁର୍ନୀତିର ରାସ୍ତା ଖୋଲି ଦେଇଛି।

ଅତୀତରେ ମୁଖ୍ୟମନ୍ତ୍ରୀଙ୍କ କିଛି ବକ୍ତବ୍ୟକୁ ସ୍ମରଣ କରାଇ ଶ୍ରୀ ମିଶ୍ର କହିଥିଲେ ଯେ ଏକଦା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଉତ୍ତରାଧିକାରୀ ସଂପର୍କରେ ଯେବେ ଗଣମାଧ୍ୟମ ପଚାରିଥିଲା, ସେବେ ସ୍ବୟଂ ନବୀନ ପଟ୍ଟନାୟକ କହିଥିଲେ ଯେ ମୋର ଉତ୍ତରାଧିକାରୀ କେହି ନାହାନ୍ତି। ଓଡ଼ିଶାର ଉତ୍ତରାଧିକାରୀ ସ୍ବୟଂ ରାଜ୍ୟବାସୀ ବାଛିବେ। ହେଲେ ନିକଟରେ ତାଙ୍କ ଉତ୍ତରାଧିକାରୀ ଜଣେ ମହିଳା ଆଇଏଏସ୍ ଅଫିସର ବୋଲି ସୋସିଆଲ୍ ମିଡ଼ିଆରେ ଖବର ବୁଲିଲା। ଏହାକୁ ଏଯାଏ କେହି ବି ଆନୁଷ୍ଠାନିକ ଭାବେ ଖଣ୍ଡନ କଲେନାହିଁ। ବାସ୍ତବରେ ନିଜେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ନା ଏହା ଆଉ କାହାର କଳ୍ପନାପ୍ରସୂତ ତାହା ଉପରୁ ମଧ୍ୟ ସନ୍ଦେହ ଦୂରୀଭୂତ ହୋଇନାହିଁ।

ଶ୍ରୀ ମିଶ୍ର ଏହି ପ୍ରସଙ୍ଗରେ ଆହୁରି ଉଦାହରଣ ଦେଇ କହିଥିଲେ, ‌‌ଅତୀତରେ ଛୋଟ ଛୋଟ ଭୁଲ୍‌ ପାଇଁ ରଘୁ ମହାନ୍ତି, ପ୍ରଦୀପ ମହାରଥୀ, ବିଷ୍ଣୁ ଦାସ ଓ ଦାମବାବୁଙ୍କୁ ଦଣ୍ଡର ସାମ୍ନା କରିବାକୁ ପଡ଼ିଛି। କିନ୍ତୁ ଏବେ ହତ୍ୟା, ଧର୍ଷଣ ଭଳି ଅନେକ ଅଭିଯୋଗରେ ଅଭିଯୁକ୍ତ ମନ୍ତ୍ରୀମାନଙ୍କୁ ସରକାର ବା ଦଳରୁ ବିଦା କରାଯାଉନାହିଁ। କାହିଁକି ଏଭଳି ଆଭିମୁଖ୍ୟରେ ପରିବର୍ତ୍ତନ ହେଲା, ତାହା ବି ଅନୁସନ୍ଧାନ ସାପେକ୍ଷ। ଓଡ଼ିଶାକୁ ଏହି ଦୁର୍ନୀତିଗ୍ରସ୍ତ ଅମଲାମାନଙ୍କ ହାତରୁ ବଞ୍ଚାଇବା ପାଇଁ ଦଳମତ ନିର୍ବିଶେଷରେ ବିକଳ୍ପ ଓଡ଼ିଶା ନେତୃତ୍ବରେ ଏକଜୁଟ୍‌ ହୋଇ ମାଟି ପାଇଁ ଲଢ଼ିବାକୁ ଶ୍ରୀ ମିଶ୍ର ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର