ଅତ୍ୟାଧୁନିକ ବିଦ୍ୟୁତ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ

ରାଜ୍ୟ ସରକାର ୧୧୭ କୋଟି, କେନ୍ଦ୍ର ସରକାର ୪୨ କୋଟି ଖର୍ଚ୍ଚ କରିବେ

ଭୁବନେଶ୍ବର : ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇବା ଲକ୍ଷ୍ୟରେ ଆଜିଠୁ ଅତ୍ୟାଧୁନିକ ବିଦ୍ୟୁତ୍ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏଥିରେ ଉପଭୋକ୍ତାଙ୍କ ମିଟର ରିଡିଂ, ବିଲିଂ, ବିଲ୍‌ ପୈଠ, ନୂତନ ବିଦ୍ୟୁତ୍ ସଂଯୋଗ ଓ ଅଭିଯୋଗ ସମାଧାନ ପାଇଁ ଏକ ସମନ୍ୱିତ ଅନ୍‌ଲାଇନ ସୁବିଧା ରହିଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଏହି ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ୧୧୭କୋଟି ଟଙ୍କା ଓ କେନ୍ଦ୍ର ସରକାର ୪୨ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଏଥିରେ ରାଜ୍ୟର ପ୍ରାୟ ୭୩ ଲକ୍ଷ ଉପଭୋକ୍ତା ଉପକୃତ ହେବେ। ବିଦ୍ୟୁତ୍‌ ସଂଯୋଗ, ବିଲ୍ ପଇଠ କ୍ଷେତ୍ରରେ କୌଣସି ସଂଶୋଧନ ଆଦି ବିଷୟରେ ଗ୍ରାହକମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତି ପର୍ଯ୍ୟାୟରେ ସଦ୍ୟତମ ସ୍ଥିତି ଜାଣିପାରିବେ। ସମସ୍ତ ବିତରକ କମ୍ପାନି ଅଂଚଳରେ ସ୍ବତନ୍ତ୍ର ଗ୍ରାହକ ସେବା କେନ୍ଦ୍ର କାର୍ଯ୍ୟ କରିବ। ବିଦ୍ୟୁତ୍ ସେବା ଯୋଗାଣର ଗୁଣାତ୍ମକ ମାନ ବଢ଼ାଇବା ସହ ବିଦ୍ୟୁତ୍‌ ଯୋଗାଣରେ ବୈଷୟିକ ଓ ବ୍ୟବସାୟିକ କ୍ଷତିକୁ ବର୍ତ୍ତମାନର ୩୦ ପ୍ରତିଶତରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ତଥା ବାର୍ଷିକ ୨ ରୁ ୩ ପ୍ରତିଶତ ପର୍ଯ୍ୟନ୍ତ କମାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଓପିଟିସିଏଲ୍ ଜରିଆରେ ଏହି ବ୍ୟବସ୍ଥା ପରିଚାଳିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ଯୋଜନା ଅଧୀନରେ ଭୁବନେଶ୍ୱରରେ ଅତ୍ୟାଧୁନିକ ଡାଟା ସେଣ୍ଟର ସ୍ଥାପିତ ହେବ। ଏହି ନୂଆ ବ୍ୟବସ୍ଥାରେ ଗ୍ରାହକ ସୁବିଧା ପାଇଁ ବହୁମୁଖୀ ପ୍ରଯୁକ୍ତି ବିଦ୍ୟା ମଡେଲ୍ ପ୍ରୟୋଗ କରାଯାଇଛି। ଗୁଗୁଲ୍‌ କ୍ଲାଉଡ୍‌ରେ ଆପଦକାଳୀନ ତଥ୍ୟ ପୁନରୁଦ୍ଧାର ବ୍ୟବସ୍ଥା ମଧ୍ୟ ରହିଛି। ଟିପିଏନ୍ଓଡିଏଲ(ପୂର୍ବର ନେସ୍କୋ), ଟିପିଡବ୍ଲ୍ୟୁଓଡିଏଲ୍(ପୂର୍ବର ୱେସ୍କୋ) ଏବଂ ଟିପିଏସ୍ ଓଡିଏଲ୍ (ପୂର୍ବର ସାଉଥ୍‌କୋ) ଅଂଚଳ ଅନ୍ତର୍ଭୁକ୍ତ ୫୧୭ଟି ବିଦ୍ୟୁତ ବିତରକ କଂପାନି କାର୍ଯ୍ୟାଳୟକୁ ପ୍ରଯୁକ୍ତିବିଦ୍ୟା, କମ୍ପ୍ୟୁଟର ଏବଂ ନେଟ୍‌ୱାର୍କ ଯନ୍ତ୍ରପାତି ସହ ନବୀକରଣ କରାଯିବା ବ୍ୟବସ୍ଥା ରହିଛି। ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଅତିରିକ୍ତ ସଚିବ ଲିପ୍ସା ଦାଶଙ୍କ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ ମିଶ୍ର, ଗ୍ରିଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭର୍ଦ୍ଦେଶଭାଇ ମେହେଟ୍ଟା, ଜେନେରାଲ୍ ମ୍ୟାନେଜର ପ୍ରିୟଦର୍ଶନ ପାତ୍ର, ଗ୍ରିଡ୍‌କୋ ଏମ୍‌ଡି ତ୍ରିଲୋଚନ ପଣ୍ଡା, ଆର୍ଥ ଗ୍ରୀଡ୍‌କୋ ନିର୍ଦେଶକ ଗଗନ ସ୍ୱାଇଁ ଓ ଏସ୍‌ଏଲ୍‌ଡିସି ନିର୍ଦେଶକ ବିବି ମେହେଟା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର