ଉଚ୍ଚଶିକ୍ଷା ବିଭାଗର ଷଡ଼୍‌ଯନ୍ତ୍ର: ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା

ସ୍ନାତକର ସବୁ, ସ୍ନାତକୋତ୍ତର ୮ ପାଠ୍ୟକ୍ରମ ବନ୍ଦ ନିର୍ଦେଶ

ଭୁବନେଶ୍ୱର : ଚରମ ଅବ୍ୟବସ୍ଥାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ। ପ୍ରତିଷ୍ଠାର ୮ ବର୍ଷ ପରେ ବି ଏହି ବିଶ୍ବବିଦ୍ୟାଳୟ ପାଇଁ ସ୍ବତନ୍ତ୍ର ଅଧ୍ୟାପକ ନିଯୁକ୍ତି କରାନଯିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏପରିକି ଚଳିତ ଶିକ୍ଷା ବର୍ଷରେ ସ୍ନାତକ ପାଠ୍ୟକ୍ରମ ବନ୍ଦ କରି ଦିଆଯିବା ସହିତ ସ୍ନାତକୋତ୍ତର ପାଠ୍ୟକ୍ରମକୁ ୧୪ରୁ ୬ରେ ସୀମିତ ରଖିବାକୁ କୁହାଯାଇଛି। ଆଶ୍ଚର୍ଯ୍ୟ ବିଷୟ ହେଲା, ଏହି ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ଅନୁମୋଦନ କଲାନାହିଁ। ବର୍ତ୍ତମାନ ଅଧ୍ୟାପକ ଅଭାବ କାରଣରୁ ବିଶ୍ବବିଦ୍ୟାଳୟକୁ କାହିଁକି ବନ୍ଦ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ପ୍ରଶ୍ନ କରାଯାଉଛି। ଏଥିରୁ ସମ୍ବଲପୁରସ୍ଥିତ ଏହି ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ନେଇ ଉଚ୍ଚଶିକ୍ଷା ବିଭାଗର ଷଡ଼୍‌ଯନ୍ତ୍ର ଜଳଜଳ ହୋଇ ଦେଖାଯାଉଛି। ଫଳରେ ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ୨୦୧୫ ମସିହାରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ। ୨୦୧୭ ମସିହାରେ ୟୁଜିସି ଟିମ୍‌ ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ୫ ବର୍ଷ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ପାଇଁ ଅନୁମତି ପ୍ରଦାନ କରିଥିଲା। ୨୦୨୦ ମସିହାରେ ୟୁଜିସି ନୀତିର ପରିବର୍ତ୍ତନ ହେବା ସହିତ ଏହାକୁ କଡ଼ାକଡ଼ି କରାଯାଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ମୁକ୍ତ ବିଶ୍ବବିଦ୍ୟାଳୟକୁ ମଧ୍ୟ ସ୍ବତନ୍ତ୍ର ଅଧ୍ୟାପକ ନିଯୁକ୍ତିର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୦୨୧ ଏପ୍ରିଲ ୧୨ରେ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୨୫ ଅଧ୍ୟାପକ ପଦ ସୃଷ୍ଟି ପାଇଁ ଆବେଦନ କରାଯାଇଥିଲା। ମାତ୍ର ଉଚ୍ଚଶିକ୍ଷା ବିଭାଗ ଅଧ୍ୟାପକ ପଦ ଅନୁମୋଦନ କରିବା ପରିବର୍ତ୍ତେ ପାଠ୍ୟକ୍ରମ ୧୪ରୁ୯କୁ ହ୍ରାସ କରିବା ପାଇଁ ପରାମର୍ଶ ଦିଆଯାଇ ଥିଲା। ଏହାପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ୬୫ ଶିକ୍ଷକ ଏବଂ ୩୨ ଅଣଶିକ୍ଷକ ପଦ ସୃଷ୍ଟି ପାଇଁ ପୁନର୍ବାର ଆବେଦନ ହେଲା। ମାତ୍ର ଏହା ମଧ୍ୟ ଗ୍ରହଣ ନହେବାରୁ ଅତି କମରେ ୪୮ ଅଧ୍ୟାପକ ପଦ ସୃଷ୍ଟି ପାଇଁ ବିଶ୍ବବିଦ୍ୟାଳୟ ଆବେଦନ କରିଥିଲା। ଏହାକୁ ଉଚ୍ଚ ଶିକ୍ଷା ବିଭାଗ ଗ୍ରହଣ କରି ଅର୍ଥ ବିଭାଗକୁ ପଠାଇଥିଲା। ଆଶା କରାଯାଉଥିଲା ନଭେମ୍ବର ମାସ ସୁଦ୍ଧା ଏହି ପଦ ପାଇଁ ଅନୁମତି ମିଳିବ। ମାତ୍ର ତାହା ହେଲା ନାହିଁ। ଜାନୁଆରି ମାସରେ ଉଚ୍ଚଶିକ୍ଷା ବିଭାଗର କମିଟି ବୈଠକରେ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମକୁ ୬ରେ ସୀମିତ କରିବା ପାଇଁ କୁହାଯାଇଥିଲା। ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟର ଦୂର ନିରନ୍ତର ଶିକ୍ଷା ଚାଲିଥିବା ବେଳେ ମୁକ୍ତ ବିଶ୍ବବିଦ୍ୟାଳୟର ଆବଶ୍ୟକ କ’ଣ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା। ଏଥିସହିତ ଏହାକୁ କାହିଁକି ବନ୍ଦ କରାଯିବ ନାହିଁ କିମ୍ବା ଜିଏମ ବିଶ୍ବବିଦ୍ୟାଳୟ ସହିତ ମିଶାଇ ଦିଆଯିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପ୍ରଶ୍ନ କରିଥିଲା।

Wikimedia Commons

ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ବିଶ୍ବବିଦ୍ୟାଳୟରେ କମ୍ପୁଟର ବିଜ୍ଞାନ, ଗଣିତ ବିଜ୍ଞାନ, ବାଣିଜ୍ୟ, ମନୋବିଜ୍ଞାନ, ପରିବେଶ, ଓଡ଼ିଆ ପଢାଇବାକୁ କୁହାଯାଇଛି। ପ୍ରଯୁକ୍ତିଭିତ୍ତିକ ୨୫ଟି ସର୍ଟଟର୍ମ ପାଠ୍ୟକ୍ରମ ଚଳାଇବାକୁ କୁହାଯାଇଛି। ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଥିବା ଏହି ବିଶ୍ବବିଦ୍ୟାଳୟ ନାକ‌୍ ମାନ୍ୟତା, ବିଶ୍ବବିଦ୍ୟାଳୟ ଶିକ୍ଷକ-୧୨ବି ମାନ୍ୟତା ପାଇଁ ଆବେଦନ ମଧ୍ୟ କରାଯାଇ ପାରିନାହିଁ। ଅନ୍ୟଦିଗରେ, ୨୦୨୧-୨୨ ବର୍ଷ ପାଇଁ ମୁକ୍ତ ବିଶ୍ବବିଦ୍ୟାଳୟରେ ସମୁଦାୟ ୨୯,୫୭୯ ବିଦ୍ୟାର୍ଥୀ ଅଛନ୍ତି। ଏଥିମଧ୍ୟରେ ୧୮,୯୦୯ ସ୍ନାତକୋତ୍ତର, ୧୦,୦୨୨ ସ୍ନାତକ, ୬୪୮ ଡିପ୍ଲୋମା ପାଇଁ ରହିଛନ୍ତି। ୨୦୨୦ ମସିହାରେ ଏହି ସଂଖ୍ୟା ୨୫,୮୬୬, ୨୦୧୯ ମସିହାରେ ୧୨,୭୦୪, ୨୦୧୮ ମସିହାରେ ୪୮୨୨ ଜଣ ବିଦ୍ୟାର୍ଥୀ ଥିଲେ। ଅର୍ଥାତ ପ୍ରତିବର୍ଷ ଏହି ବିଶ୍ବବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସଂଖ୍ୟା କାହିଁରେ କେତେ ବଢିବାରେ ଲାଗିଛି। ଅବସରପ୍ରାପ୍ତଙ୍କ ଠାରୁ ଆରମ୍ଭ କରି ଅଧାରୁ ପାଠଛାଡ଼ିଥିବା, ଅତିରିକ୍ତ ପାଠ୍ୟକ୍ରମରେ ସ୍ନାତକ କିମ୍ବା ସ୍ନାତକୋତ୍ତର ପାଇଁ ଆଗ୍ରହୀ ବିଦ୍ୟାର୍ଥୀ, ବୃତ୍ତିଧାରୀ ଏଠାରୁ ନାମ ଲେଖାଉଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଗ୍ରାମାଞ୍ଚଳରୁ ଆସୁଛନ୍ତି। ସମ୍ବଲପୁରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟର ୫ଟି ଆଞ୍ଚଳିକ, ୮୯ଟି ଷ୍ଟଡି ସେଣ୍ଟର ରହିଛି। ମାତ୍ର ଏହା ବନ୍ଦ କରାଗଲେ ବିଦ୍ୟାର୍ଥୀଙ୍କ ପାଇଁ ଶକ୍ତ ଧକ୍କା ହେବ।

ସମ୍ବନ୍ଧିତ ଖବର