ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ସବୁ ଜାଣିଛି, କମିଟି ଗଠନ କରି ଚୁପ୍‌

୩୦ ସୁଦ୍ଧା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ରିପୋର୍ଟ ଦିଆଯିବ: ସଦସ୍ୟ ସଚିବ, ମହାନଦୀର ୧୧ଟି ଚାନେଲରେ ପ୍ରଦୂଷଣର ମାତ୍ରା ଅଧିକ

ଭୁବନେଶ୍ବର : ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ମହାନଦୀ ଜଳକୁ ନେଇ ଜନଆନ୍ଦୋଳନ ଓ ରାଜନୈତିକ ଲଢ଼େଇ ଯାଇ ପହଞ୍ଚିଛି ସୁପ୍ରିମକୋର୍ଟରେ। ଅଥଚ ମହାନଦୀର ଜଳ ଯେ କେତେ ମାତ୍ରାରେ ପ୍ରଦୂଷିତ ହେଲାଣି ସେଥିପାଇଁ କେବଳ କାଗଜ କଲମରେ ଲେଖାପଢ଼ି ଚାଲିଛି। ପ୍ରଦୂଷିତ ହେବା ନେଇ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ ରେକର୍ଡ଼ କରି ଚୁପ ହୋଇ ବସିଛି। ଗତକାଲି ମହାନଦୀ ପ୍ରଦୂଷିତ ହେବା ନେଇ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସ୍ଥାନ ପାଇବା ପରେ ନିୟନ୍ତ୍ରଣ ବୋର୍ଡ଼ର ଚେତା ପଶିଛି। ଖାଲି ମହାନଦୀ ନୁହେଁ ଏହାର ଶାଖା ନଦୀ ସମେତ ରାଜ୍ୟର ୧୯ଟି ନଦୀର ଜଳ ପ୍ରଦୂଷିତ ହୋଇଥିବା ବୋର୍ଡ଼ କହିଲାଣି। କେବଳ ମହାନଦୀର ୧୧ଟି ଚାନେଲରେ ପ୍ରଦୂଷଣ ସ୍ତର ମାତ୍ରାଧିକ ବୋଲି ଚିହ୍ନଟ କରାଯାଇଛି। ଏ ନେଇ ଚଳିତ ମାସ ୩୦ ତାରିଖ ସୁଦ୍ଧା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଏକ ରିପୋର୍ଟ ପ୍ରଦାନ କରିବ।

ରାଜ୍ୟରେ ନଦୀ ଜଳ ପ୍ରଦୂଷଣ ନେଇ ଶୁକ୍ରବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସଦସ୍ୟ ସଚିବ ଦେବୀ ଦତ୍ତ ବିଶ୍ବାଳ କହିଥିଲେ, କେବଳ ଶିଳ୍ପାଞ୍ଚଳ ବର୍ଜ୍ୟବସ୍ତୁ ନଦୀକୁ ଛଡ଼ାଯିବା ଦ୍ବାରା ଜଳ ପ୍ରଦୂଷଣ ହେଉନି ବରଂ ସହରାଞ୍ଚଳ ବର୍ଜ୍ୟବସ୍ତୁ ଦ୍ବାରା ବେଶି ମାତ୍ରାରେ ନଦୀଜଳ ପ୍ରଭାବିତ ହେଉଛି। ସେହିପରି ଗ୍ରାମାଞ୍ଚଳରେ ବାହାରେ ମଳତ୍ୟାଗ ଯୋଗୁଁ ମଧ୍ୟ ନଦୀ ପ୍ରଦୂଷଣ ହେବା ମଧ୍ୟ ଅନ୍ୟ ଏକ କାରଣ ବୋଲି ଶ୍ରୀ ବିଶ୍ବାଳ କହିଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ରେକର୍ଡ଼ ଅନୁଯାୟୀ, ଭୁବନେଶ୍ବରର ଗଙ୍ଗୁଆ ନଦୀର ଡାଉନ ଷ୍ଟ୍ରିମ୍, ଭୁବନେଶ୍ବର ଦୟାନଦୀ ଡାଉନ ଷ୍ଟ୍ରିମ୍, କଟକରୁ ଓରାଳ ଭିତରେ ପ୍ରବାହିତ କାଠଯୋଡ଼ି ନଦୀ, ଖଣ୍ଡିକତାରୁ ଶଙ୍କରତରାସ ମଧ୍ୟରେ ସେରୁଆ ନଦୀ ମାତ୍ରାଧିକ ପ୍ରଦୂଷିତ ହୋଇଛି। ସେହିପରି ଭୁବନେଶ୍ବରରୁ ପୁରୀ ମଧ୍ୟରେ ପ୍ରବାହିତ ହୋଇଥିବା ରତ୍ନଚିରା ନଦୀ, ପୁରୀଠାରେ ମଙ୍ଗଳା ନଦୀ, ଉଗୁଳିରୁ ଭୁବନେଶ୍ବର ମଧ୍ୟରେ କୁଆଖାଇ, ସମ୍ବଲପୁର ଓ ପାରାଦୀପ ମଧ୍ୟରେ ପ୍ରବାହିତ ମହାନଦୀ, ଟାଙ୍ଗୀ-ଚୌଦ୍ବାରରେ କୁସୁମି ନଦୀ, ବିଜିପୁରରେ ଲୁଣାନଦୀ ଏବଂ ଜଗନ୍ନାଥ ପାଟଣା ଓ ରମ୍ଭା ମଧ୍ୟରେ ପ୍ରବାହିତ ହୋଇଥିବା ଶାବୁଳିଆ ନଦୀର ଜଳ ପ୍ରଦୂଷିତ ହୋଇଛି। ଏହିସବୁ ନଦୀ ଚାନେଲ ଗୁଡ଼ିକ ମହାନଦୀର ଉପନଦୀ ଓ ଶାଖାନଦୀ ବୋଲି ଚିହ୍ନଟ କରାଯାଇଛି। ଏହାବ୍ୟତୀତ ଅନ୍ୟ ନଦୀର ୮ଟି ପ୍ରଦୂଷିତ ସ୍ଥାନ ଚିହ୍ନଟ କରାଯାଇଥିବା ନେଇ ରେକର୍ଡ଼ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼।

ଏସବୁ ନଦୀର ଜଳ ପ୍ରଦୂଷିତ ହେବା ଜାଣି ବି କିଛି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ବସିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼। କେବଳ ଅନୁଧ୍ୟାନ କମିଟି ଗଠନ କରି ଦାୟିତ୍ବ ସାରି ଦେଇଛି। ରାଜ୍ୟର ୧୧ଟି ନଦୀର ୧୨୯ଟି ସ୍ଥାନରେ ଥିବା ଜଳ ଗୁଣବତ୍ତା ଯାଞ୍ଚ କେନ୍ଦ୍ରରୁ ୯୩ଟିରେ ମଣିଷ ବ୍ୟବହାର ଉପଯୋଗୀ ନୁହଁ ବୋଲି ଦୁଇବର୍ଷ ତଳୁ ବିଶେଷଜ୍ଞମାନେ ରିପୋର୍ଟ ଦେଇଥିଲେ। ଭୁବନେଶ୍ବର ଦେଇ ପ୍ରବାହିତ ହେଉଥିବା ଦୟାନଦୀର ଜଳ ୪ଟି ସ୍ଥାନରେ ବ୍ୟବହାର ଉପଯୋଗୀ ନୁହଁ ବୋଲି ମଧ୍ୟ ଚିହ୍ନଟ କରାଯାଇଥିଲା। ରାଜ୍ୟରେ ପ୍ରବାହିତ ହେଉଥିବା ନଦୀ ଜଳ ଏତେ ମାତ୍ରାରେ ପ୍ରଦୂଷିତ ଯେ ଅଧିକାଂଶ ନଦୀକୁ ସି ଶ୍ରେଣୀଭୁକ୍ତ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ। ଦୟାନଦୀରେ ଜୈବିକ ଉତ୍ସ ଦ୍ବାରା ପ୍ରଦୂଷିତ ପଦାର୍ଥ ତଥା ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି)ର ମାତ୍ରା ଅଧିକ ବୋଲି ମଧ୍ୟ ମିଳିଥିଲା। ଏଥିପାଇଁ ୨୦୧୭ ନଭେମ୍ବର ମାସରେ ତତ୍କାଳିନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଦୟା ଓ ଗଙ୍ଗୁଆ ନଦୀର ଜଳ ପ୍ରଦୂଷଣ ମାପିବାକୁ ଏକ ବିଶେଷଜ୍ଞ ଟିମ ଗଠନ ପାଇଁ ନିଷ୍ପତ୍ତି ହୋଇଥଲା। ବିଶେଷଜ୍ଞ ଟିମ ମଧ୍ୟ ଦୟା ଓ ଗଙ୍ଗୁଆ ନଦୀର ଜଳ ବ୍ୟବହାର ଉପଯୋଗୀ ନୁହଁ ବୋଲି ମଧ୍ୟ ରିପୋର୍ଟ ପ୍ରଦାନ କରିଥିଲେ। ଏପରିକି ଦୟା କୂଳରେ ବାସ କରୁଥିବା ଲୋକମାନେ ନଳକୂପ ଖନନ କରିବା ବେଳେ ଯେପରି ପ୍ରଦୁଷିତ ନଦୀର ଜଳ ଉତ୍ସ ସଂସ୍ପର୍ଶରେ ନଳକୂପ ପାଣି ନଆସିବ ସେଥିପାଇଁ ଦୃଷ୍ଟି ଦିଆଯିବ। ଅନ୍ୟପଟେ ଭୁବନେଶ୍ବର ସହରର ୧୦ଟି ପ୍ରାକୃତିକ ଡ୍ରେନ ମଧ୍ୟରୁ ୯ଟି ଡ୍ରେନର ପାଣି ଗଙ୍ଗୁଆ ନଦୀରେ ମିଶୁଥିବା ନେଇ ମଧ୍ୟ ଉଦବେଗ୍ର ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର