ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ ନେଇ ବୟାନବାଜି

ଭୁବନେଶ୍ବର : ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ ଘୋଷଣା କରିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଦ୍ରୌପଦୀଙ୍କ ପ୍ରାଥିତ୍ବ ସମ୍ପର୍କରେ ଆଲୋଚନା କରିଥିଲେ ବୋଲି ନବୀନ କରିଥିବା ଟ୍ବିଟ୍‌କୁ ସହଜରେ ଗ୍ରହଣ କରିପାରିନାହାନ୍ତି ରାଜ୍ୟ ବିଜେପି ନେତାମାନେ। ସେମାନେ ଏହାକୁ ସମାଲୋଚନା କରିଛନ୍ତି।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ କହିଛନ୍ତି, ନବୀନ ବାବୁ ପୂର୍ବରୁ କହିଥିଲେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ଆଲୋଚନା ହୋଇ ନାହିଁ। ଏବେ ନାମ ଘୋଷଣା ହେବା ପରେ କହିଲେ କଥା ହୋଇଥିଲୁ। ନବୀନ ବାବୁ ସବୁଥିରେ ନାଁ ନେବାକୁ ଚେଷ୍ଟା କରୁଛନ୍ତି। ଦ୍ରୌପଦୀ ମୁର୍ମୁ ଏନ୍‌ଡିଏ ପ୍ରାର୍ଥୀ ହେବା ବିଜେପିର ନିଷ୍ପତ୍ତି। ନବୀନ ବାବୁ ବିଜେପିରେ ନାହାନ୍ତି କି ଏନ୍‌ଡିଏରେ ନାହାନ୍ତି। ଆମ ସମ୍ପର୍କ ୨୦୦୯ରୁ କଟିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଓ ରାଜନାଥ ସିଂହ ପ୍ରମୁଖଙ୍କ ନେଇ ଗଠିତ କୋର୍ କମିଟିର ନିଷ୍ପତ୍ତି ଅନୁଯାୟୀ ପ୍ରାର୍ଥୀ ଚୟନ କରାଯାଏ। ଏଥିରେ ଅନ୍ୟମାନଙ୍କର କୌଣସି ଭୂମିକା ନ ଥାଏ।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଉ ପାଦେ ଆଗେଇ ଯାଇ କହିଛନ୍ତି, ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ପ୍ରାର୍ଥୀ କରାଯାଇଛି। ସେ ଜଣେ ଆଦିବାସୀ ଓ ମହିଳାମାନଙ୍କ ପ୍ରତିନିଧିତ୍ବ କରୁଛନ୍ତି। ଏହିଭଳି ପସନ୍ଦ ପ୍ରଧାନମନ୍ତ୍ରୀ ଓ ବିଜେପି ସଂସଦୀୟ ବୋର୍ଡର। ଯେଉଁମାନେ ସମର୍ଥନ ଦେଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଦେବି। ବିଜେଡିକୁ ଇଙ୍ଗିତ କରି ଅପରାଜିତା କହିଛନ୍ତି ଯେ ସେମାନେ ସମର୍ଥନ ନ ଦେଇ ଯିବେ କୁଆଡ଼େ? ଏହା ବେଷ୍ଟ୍ ଚଏସ୍ ଓ ବେଷ୍ଟ୍ ଚଏସ୍‌କୁ ସମସ୍ତେ ସମର୍ଥନ ଦେବେ।

ଏହା ଉପରେ ବିଜେଡି ଉପସଭାପତି ଦେବୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣକୁ ସବୁବେଳେ ଗୁରୁତ୍ବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ସମର୍ଥନ ଦେବା ସହ ଅନ୍ୟ ଦଳମାନେ ବି ସମର୍ଥନ ଦେବାକୁ ନିବେଦନ କରିଛନ୍ତି। ସମସ୍ତଙ୍କ ସଦିଚ୍ଛାରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ବିଜେଡି ଏକ ଆଞ୍ଚଳିକ ଦଳ ଓ ଓଡ଼ିଶାର ସ୍ବାର୍ଥ ପାଇଁ ସମର୍ଥନ ଦେଇଛନ୍ତି। ଏଥିରୁ ଦଳର ଆଭିମୁଖ୍ୟ ସ୍ପଷ୍ଟ। ଠିକଣା ସମୟରେ ମୁଖ୍ୟମନ୍ତ୍ରୀ ଠିକଣା ନିଷ୍ପତ୍ତି ନିଅନ୍ତି। ବିରୋଧୀ କ’ଣ କହିବେ, ତାହା ତାଙ୍କ ବ୍ୟାପାର।

ସମ୍ବନ୍ଧିତ ଖବର