ଚାଷୀଙ୍କ ପାଇଁ ବିଧାନସଭାରେ ଝଡ଼

କେନ୍ଦ୍ର ଆଇନକୁ ବିରୋଧ କରି ଗର୍ଜିଲା କଂଗ୍ରେସ
ବିଜେଡିର ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଲା
ବିଜେଡିର ଆଶଙ୍କା, ଏମ୍‌ଏସପି ଉଚ୍ଛେଦ ହୋଇଯାଇପାରେ
ଗୃହକୁ ଆଶ୍ବାସନା ଦେଲେ ମନ୍ତ୍ରୀ, ଚାଷୀଙ୍କ ସ୍ବାର୍ଥରେ ସବୁ ହେବ

ଭୁବନେଶ୍ୱର : କୃଷି ଓ କୃଷକଙ୍କ ସ୍ବାର୍ଥ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ତମ୍ବିତୋଫାନ ହୋଇଛି। ଚାଷୀ ସ୍ବାର୍ଥ ପ୍ରସଙ୍ଗକୁ ଉଭୟ କେନ୍ଦ୍ର ଓ ରାଜ୍ୟ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ଆଣି ଅସନ୍ତୋଷ ଝାଡ଼ିଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ କଡ଼ା ବିରୋଧ କରିବା ସହିତ ଏମ୍‌ଏସ୍‌ପି ବ୍ୟବସ୍ଥା ଉଚ୍ଛେଦ ଷଡ଼୍‌ଯନ୍ତ୍ର ରହିଥିବା କଂଗ୍ରେସ ଆଶଙ୍କା ପ୍ରକାଶ କରିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେଡି ମଧ୍ୟ ସମାନ ଆଶଙ୍କା ବ୍ୟକ୍ତ କରି ସୂଚାଇଥିଲେ ଯେ ଏମ୍‌ଏସ୍‌ପି ବ୍ୟବସ୍ଥା ଉଠିଯିବାର ଭୟ ରହିଛି। ଅନ୍ୟପକ୍ଷରେ କୃଷିମନ୍ତ୍ରୀ ଅରୁଣ ସାହୁ ଏ ପ୍ରସଙ୍ଗକୁ ଛୁଇଁନଥିଲେ ହେଁ, ଚାଷୀ ଓ ଚାଷର ସ୍ବାର୍ଥର ସୁରକ୍ଷିତ ଥିବା ନେଇ ଗୃହକୁ ଆଶ୍ବାସନା ଦେଇଥିଲେ। ବିଜେପିର ଚାଷୀ ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବା ଅଭିଯୋଗରେ ବିଧାୟକମାନେ ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ କରିଥିଲେ ଓ ପରେ କକ୍ଷତ୍ୟାଗ କରି ଚାଲିଯାଇଥିଲେ।

”କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ବ୍ୟାପକ ଚାଷୀ ଅସନ୍ତୋଷ” ଶୀର୍ଷକରେ ଆଜି କଂଗ୍ରେସର ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିଲେ। ଆଲୋଚନା ଆରମ୍ଭ କରି କଂଗ୍ରେସ ପକ୍ଷରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଅଗଣତାନ୍ତ୍ରିକ ଭାବେ କେନ୍ଦ୍ର ସରକାର ବିଲ୍ ପାରିତ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ୨ଟି କୃଷି ଅଧ୍ୟାଦେଶ ଜାରି କରିଛନ୍ତି। ହେଲେ ଜାଣିବାକୁ ମିଳୁଛି ଯେ ସେ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ବିଲ୍ ଆଣୁନାହାନ୍ତି। ଏହି ଆଇନକୁ ନେଇ ପଞ୍ଜାବ, ମହାରାଷ୍ଟ୍ରରେ ନିଆଁ ଜଳିଲାଣି। ରାଜ୍ୟ ସରକାର ବେଳହୁଁ ସତର୍କ ରୁହନ୍ତୁ। ଆଶଙ୍କା କରାଯାଉଛି, ଓଡ଼ିଶାରେ ନିଆଁ ଜଳିପାରେ। କାହିଁକି ନା ଏଥରେ ଚାଷୀର ସ୍ବାର୍ଥକୁ ହଡ଼ପ ହେବାକୁ ଉଦ୍ୟମ ହୋଇଛି। ସେ କହିଥିଲେ, ୨୦୦୨ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିଲା। ବଲାଙ୍ଗୀରର ମିଲ୍ ମାଲିକମାନେ ଧାନ ସଂଗ୍ରହରେ ଲୁଣ୍ଠନ କରୁଥିଲେ ବୋଲି ମାମଲା ହୋଇଥିଲା। ୨୦୦୩ ଡିସେମ୍ବର ୨୪ରେ ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକ ରାୟ ଦେଇ କହିଥିଲେ, ଏମ୍ଏ‌ସ୍‌ପି ଆଧାରରେ ଯେଉଁଠି କିଣାଯାଉନାହିଁ, ସେଠି ଏଫ୍‌ସିଆଇ ନିଜେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିପାରିବ। କାରଣ ଏଫ୍‌ସିଆଇ ଧାରା ୧୩ ଅନୁଯାୟୀ ଚାଷୀଙ୍କ ଠାରୁ ସିଧାସଳଖ ଏମ୍‌ଏସ୍‌ପି ଦରରେ କିଣିବାର ବ୍ୟବସ୍ଥା ରହିଛି। ଏବେ କେନ୍ଦ୍ର କହୁଛି, ଏମ୍‌ଏସ୍‌ପି ବ୍ୟବସ୍ଥା ଆଇନରେ ନାହିଁ। ଏଫସିଆଇ କେନ୍ଦ୍ର ନା ରାଜ୍ୟ ସରକାରଙ୍କର? ଓଡ଼ିଶା ସରକାର ମଧ୍ୟ ଏହି ରାୟକୁ ଗ୍ରହଣ କରିନାହାନ୍ତି। ଯାହା ବିରୋଧରେ ଏ ପର୍ଯ୍ୟନ୍ତ ୧୨ଟି ଅଦାଲତ ଅବମାନନା ମାମଲା ହାଇକୋର୍ଟ ବିଚାରାଧୀନ ରହିଛି। କେନ୍ଦ୍ର ସରକାରଙ୍କର ଯଦି ଚାଷୀ ପ୍ରତି ଦରଦ ଅଛି, ସେମାନେ ଆଇନରେ ଏ ନେଇ କାହିଁକି ବ୍ୟବସ୍ଥା କରିନାହାନ୍ତି ବୋଲି ସେ ପଚାରିଥିଲେ।

କେନ୍ଦ୍ର ସରକାରଙ୍କ କୃଷି ଆଇନ ସଂପର୍କରେ ଶ୍ରୀ ମିଶ୍ର କହିଥିଲେ, ଲୋକସଭାରେ ବିଜେଡି ବିରୋଧ କରି ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲା। ରାଜ୍ୟସଭାରେ ସିଲେକ୍ଟ କମିଟି ପାଇଁ କହିଥିଲା। ହେଲେ ଏହି ବିରୋଧରେ ଆନ୍ତରିକତା ନଥିଲା ଭଳି ଲାଗୁଥିଲା। ଶାଣିତ ସ୍ବର ବିଜେଡିର ନଥିଲା। ଯଦି ସାମ୍ବିଧାନିକ ଦୃଷ୍ଟିରୁ ବିଚାର କରାଯାଏ, ଏଭଳି କୃଷି ବିଲ୍ ଆଣିବାର ଅଧିକାର ନାହିଁ। କୃଷି ସବୁବେଳେ ରାଜ୍ୟ ପ୍ରସଙ୍ଗ। ଅତୀତରେ ରାଜ୍ୟ ସରକାର କାଳିଆ ଯୋଜନା କରିଥିଲେ। କିନ୍ତୁ କେତେ ଚାଷୀ ଏଯାଏ ଉପକୃତ ହୋଇଛନ୍ତି, ସେ ତଥ୍ୟ ମିଳୁନାହିଁ। ଭୂସଂସ୍କାର ଆଇନ ଅନୁଯାୟୀ ଭାଗଚାଷୀଙ୍କୁ କିଭଳି ସୁବିଧା ମିଳିବ, ତାର ବ୍ୟବସ୍ଥା ମଧ୍ୟ ଏ ପର୍ଯ୍ୟନ୍ତ ହୋଇନାହିଁ। ସରକାର ଯେତେ ଯୋଜନା କରିଛନ୍ତି, ଯେଉଁ ଲୋକମାନେ ପାଇବା କଥା ନୁହେଁ, ସେମାନେ ଲାଭ ପାଉଛନ୍ତି; ଯେଉଁମାନେ ପାଇବା କଥା, ସେମାନେ ବଞ୍ଚିତ। କରୋନା ବେଳେ ବି ସାରର କଳାବଜାରୀ ଚାଲିଛି। ଏବେ ବି ଯେଉଁ ସାର ବ୍ୟାଗ୍‌ ପ୍ରତି ୨୦୬୭ ଟଙ୍କା, ଚାଷୀ ୬ଶହ ଟଙ୍କାରୁ ଅଧିକ ଦାମ୍‌ ଦେଇ କିଣୁଛି। ଶୀତଳଭଣ୍ଡାର ନାହିଁ। ପନିପରିବା ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି।ସରକାର ଭବିଷ୍ୟତରେ ଚାଷୀ ସଂପର୍କିତ ବିଲ୍ ଆଣିବା ବେଳେଏସବୁ ଦିଗ ପ୍ରତି ଦୃଷ୍ଟି ଦେବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ କହୁଛନ୍ତି, କୃଷି ଆଇନ ଚାଷୀଙ୍କୁ ସ୍ବାଧୀନତା ଦେଇଛି। ଏହାର ବହୁ ପୂର୍ବରୁ ଓଡ଼ିଶା ହାଇକୋର୍ଟ ଚାଷୀ ଏମ୍‌ଏସ୍‌ପି ଠାରୁ ଅଧିକ ବା ଏମ୍‌ଏସ୍‌ପି ଦରରେ ବିକ୍ରି କରିପାରିବେ ବୋଲି ନିର୍ଦେଶ ଦେଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ କହିଥିଲେ, ସ୍ବାମୀନାଥନ୍ କମିଟି ଆଧାରରେ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା କେନ୍ଦ୍ର ଦେବ। ତାହା ପ୍ରତିଶ୍ରୁତିରେ ହିଁ ରହିଗଲା। ବିଜେପି ଓ ପ୍ରଧାନମନ୍ତ୍ରୀ ଏ ଦେଶର ଚାଷୀଙ୍କୁ ଧୋକା ଦେଇଛନ୍ତି। କାହାର ନାମ ଉଲ୍ଲେଖ ନ କରି ଶ୍ରୀ ମିଶ୍ର କହିଥିଲେ, ଜଣେ କେନ୍ଦ୍ରମନ୍ତ୍ରୀ ନିକଟରେ କହିଥିଲେ, ମୋଦୀ ସରକାର ଥିବା ଯାଏ ଏମ୍‌ଏସ୍‌ପି ରହିବ। କିନ୍ତୁ କିଛି ଦିନ ପରେ ଏହାର ଉଚ୍ଛେଦ ହୋଇଛି, ଏଭଳି ଆଶଙ୍କା ବଢିବାରେ ଲାଗିଛି। ଏହି ଆଇନରେ କୁହାଯାଇଛି ଯେ ଚୁକ୍ତି ଭିତ୍ତିକ ଆଇନରେ ଚାଷୀ ଉତ୍ପୀଡନର ଶିକାର ହେଲେ ସରକାରଙ୍କୁ ଅନୁରୋଧ କରାଯିବ। ଯେଉଁଠାରେ ଏମ୍‌ଏସ୍‌ପି ଲାଗୁ ଥାଇ ଚାଷୀ ଉତ୍ପାଦ ବିକ୍ରି କରିପାରୁନି; ସେ ଚାଷୀ ଦିଲ୍ଲୀ ଯାଇ ଅଭିଯୋଗ କରିପାରିବ? ତାର ସବୁ ଜମିବାଡି ବିକ୍ରି ହୋଇଯିବ। ରାଜ୍ୟ ସରକାରଙ୍କୁ ଚୁକ୍ତି ଭିତ୍ତିକ ବ୍ୟବସ୍ଥାରେ ନପଶିବା ଲାଗି ସେ ଅନୁରୋଧ କରିବା ସହିତ ଯେଉଁ ସଂଗ୍ରହକାରୀ ଏମଏସପିକୁ ଉଲ୍ଲଂଘନ କରିବ, ୭ବର୍ଷ ଜେଲ୍ ଜରିମାନା ଓ ଜାମିନ ବିହୀନ ଦଣ୍ଡ ବିଧାନ କରାଯାଉ ବୋଲି ଦାବି କରିଥିଲେ। ସେହିଭଳି ପ୍ରତ୍ୟେକ ଚାଷୀଙ୍କୁ ୧୦ ହଜାର ଟଙ୍କା ଦିଆଯାଉ। ତା ପରେ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କୁ ମାସିକ ୬ ହଜାର ଟଙ୍କା ଦେବା ଲାଗି ସେ ପ୍ରସ୍ତାବ ରଖିଥିଲେ।

ବିଜେପିର କୌଣସି ସଭ୍ୟ ଆଲୋଚନାରେ ଭାଗ ନେଇନଥିବା ବେଳେ କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଅନୁପସ୍ଥିତ ଥିଲେ। ପରେ ବିଜେଡି ପକ୍ଷରୁ ବିଧାୟକ ପ୍ରତାପ ଦେବ କହିଥିଲେ, ୨୦୦୨ରେ ମାମଲା ଆଧାରରେ ରାଜ୍ୟ ସରକାର ଏଫ୍‌ସିଆଇଠାରୁ ଧାନ କିଣୁଛନ୍ତି। ଏ ଗୃହକୁ ନବୀନ ପଟ୍ଟନାୟକ ସରକାର ଆସିବା ପୂର୍ବରୁ ଅନାହାର ମୃତ୍ୟୁ ଘଟୁଥିଲା। ଅନାହାର ମୃତ୍ୟୁ ନେଇ ଏଠି ବହୁବାର ଆଲୋଚନା ହୋଇଛି। ପରେ ସରକାର ୨୦୧୨ରେ ଭାଗଚାଷୀଙ୍କୁ ସାମିଲ ପାଇଁ ପଦକ୍ଷେପ ନେଇଥିଲେ। ଏହା ଅନୁପାଳନ ହେଉଛି। କିନ୍ତୁ କେନ୍ଦ୍ର ସରକାର ଯେଉଁ ଆଇନ କରିଛନ୍ତି, ସେଥିରେ ଆଶଙ୍କା ହେଉଛି ଯେ ଏମ୍‌ଏସପି ବ୍ୟବସ୍ଥା ରହିବ ନାହିଁ। ଛୋଟ ଛୋଟ ଦଲାଲଙ୍କ ବଦଳରେ କର୍ପୋରେଟ୍ ଦଲାଲ ବଢିଯିବେ। ବିଜେଡି ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ମୁଦୁଲି, ରମେଶ ସାଏ ଓ ଧ୍ରୁବ ଚରଣ ସାହୁ ଭାଗ ନେଇ କହିଥିଲେ, ୨୦୧୩ରୁ ସ୍ବତନ୍ତ୍ର କୃଷି ବଜେଟ, କୃଷି କ୍ୟାବିନେଟ୍ ବ୍ୟବସ୍ଥା ହୋଇଛି। ନୂଆ କୃଷି ନୀତି ପ୍ରଣୟନ ହୋଇଛି। ଓ଼ଡ଼ିଶାରେ ଚାଷୀଙ୍କୁ ଯେମିତି ସୁବିଧା ଦିଆଯାଇଛି, ସେମିତି ଦେଶର କ୍ବଚିତ୍ ରାଜ୍ୟରେ ଦେଖାଯାଇଥାଏ।

ଆଲୋଚନା ଶେଷରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ରାଜ୍ୟରେ କରୋନା ପରିସ୍ଥିତିରେ ବି ୬୦.୩୭ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଛି। ଗତବର୍ଷ ଠାରୁ ୪୦ ହଜାର ହେକ୍ଟର ଅଧିକ। ଗତବର୍ଷ ଠାରୁ ଏଥର ୧୫ ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଓ ୪୮ ହଜାର ହେକ୍ଟର ଜମିରେ ପନିପରିବା ଚାଷ କରାଯାଉଛି। ଚାଷୀଙ୍କୁ ରିହାତି ଦରରେ ୩.୭୪ଲକ୍ଷ କ୍ବିଣ୍ଟାଲ ବିହନ ଓ ଅଣଧାନ ବିହନ ରିହାତି ଦରରେ ଯୋଗାଇ ଦିଆଯାଇଛି। ଗତବର୍ଷ ଠାରୁ ଏହା ୫୦ ହଜାର କ୍ବିଣ୍ଟାଲ ଅଧିକ। ୩.୨୫ଲକ୍ଷ ଟନ୍ ୟୁରିଆ ସମେତ ୭.୪୯ଲକ୍ଷ କ୍ବିଣ୍ଟାଲ ସାର ଦିଆଗଲାଣି। ସମବାୟ ବ୍ୟାଙ୍କ ୮୦୩୫ କୋଟି ଋଣ ଯୋଗାଇଛନ୍ତି, ଏଥିରେ ମଧ୍ୟ ଗତବର୍ଷ ତୁଳନାରେ ୮୪୦ କୋଟି ଅଧିକ ଦିଆଯାଇଛି। ୧୫.୬୨ଲକ୍ଷ କୃଷକଙ୍କୁ ଫସଲ ବୀମା ଯୋଜନାରେ ସାମିଲ କରାଯାଇଛି। ରାଜ୍ୟ ସରକାର କୃଷି ପ୍ରତି ସଚେତନ ଓ ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଦିନଥିଲା ଓଡ଼ିଶା ଭୋକର ଭୂଗୋଳ ଥିଲା। ଅନାହାର ଭୂଗୋଳ ଆଜି ବିକାଶର ଭୂଖଣ୍ଡ ପାଲଟିଛି। ତଥାପି ବିଧାୟକମାନେ ଯେଉଁ ଉଦବେଗ ପ୍ରକାଶ କରିଛନ୍ତି, ତାହା ସ୍ବାଗତ ଯୋଗ୍ୟ। ଯଦି ସାମାନ୍ୟତମ ତ୍ରୁଟି ଥିବ, ସରକାର ସୁଧାରିବାକୁ ଉଦ୍ୟମ କରିବେ। କୋଭିଡ୍ ସମୟରେ ସମସ୍ତେ ଯେତେବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି, ଚାଷୀ ଚାଷରେ ଲାଗିଛନ୍ତି। ସେମାନଙ୍କୁ ଏ ଗୃହରେ ପ୍ରଣାମ କରୁଛି। ଓଡ଼ିଶା ଗତ ୧୦୦ ବର୍ଷରେ ୧୩୬ଟି ଦୁର୍ବିପାକର ସାମ୍ନା କରିଛି। ଗତ ୨୦ବର୍ଷ ଭିତରେ ୬ଟି ସଫଳ ମୁକାବିଲା କରିଛନ୍ତି। ତା ସତ୍ତ୍ବେ କୃଷି କ୍ଷେତ୍ରରେ ବିକାଶ ଘଟିଛି ଓ ରାଜ୍ୟ ୬ଥର କୃଷି କର୍ମଣ ପାଇଛି। ସାର ଯୋଗାଣରେ ଅନିୟମିତତା ଅଭିଯୋଗରେ ୨୭୨ ଲାଇସେନ୍ସ ନିଲମ୍ବନ କରାଯାଇଛି। ୧୦୦ରୁ ଉର୍ଧ୍ବ କଳାବଜାରୀଙ୍କ ଲାଇସେନ୍ସ ରଦ୍ଦ ହୋଇଛି। ବିହନ ହେଉ କି ସାର ଅଥବା କୀଟନାଶକ, ଯିଏ କେଉଁଥିରେ ବି ଭୁଲ ତ୍ରୁଟି କରିବ, କଠୋର ଦଣ୍ଡବିଧାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର