ସାର୍କ ସାହିତ୍ୟ ସଂକଳନରେ ରଜନୀକାନ୍ତ ମହାନ୍ତିଙ୍କ ଗଳ୍ପ ‘ଦି ଲଭର’

ଭୁବନେଶ୍ବର : ସାର୍କ ସାହିତ୍ୟ ସଂକଳନରେ ଓଡ଼ିଶାର ବିଶିଷ୍ଟ କଥାକାର ରଜନୀକାନ୍ତ ମହାନ୍ତିଙ୍କ ବହୁଚର୍ଚ୍ଚିତ ଗଳ୍ପ ‘ଶତୁରା’ର ଇଂରାଜୀ ଅନୁବାଦ ‘ଦି ଲଭର’ ସ୍ଥାନିତ ହୋଇଛି। ସାର୍କ ରାଷ୍ଟ୍ର ସମୂହ ସଂଗଠନର ସାଂସ୍କୃତିକ କେନ୍ଦ୍ର କ‌ଲମ୍ବୋ ଦ୍ବାରା ମନୋନୀତ ଆଧୁନିକ ଗଳ୍ପ ଗୁଡ଼ିକର ‘ସାମ୍ପ୍ରତିକ କ୍ଷୁଦ୍ର ଗଳ୍ପ’ ଶୀର୍ଷକ ଏକ ସଂକଳନରେ ଏହା ପ୍ରକାଶ ପାଇଛି। ସାହିତ୍ୟିକ ପ୍ରଫେସର ଡ. ବ୍ରଜମୋହନ ମିଶ୍ର ଏହି ଗଳ୍ପକୁ ଇଂରାଜୀ ଅନୁବାଦ କରିଛନ୍ତି। ପ୍ରଖ୍ୟାତ ସାହିତ୍ୟିକ ଇ.ଭି. ରାମକ୍ରିଷ୍ଣନ ଭାରତ ପାଇଁ ଏହାର ସଂପାଦନା କରିଛନ୍ତି। ଏହା ଓଡ଼ିଆ ଗଳ୍ପ ସାହିତ୍ୟର ଉତ୍କର୍ଷତା ଏବଂ ମର୍ଯ୍ୟାଦା ପ୍ରମାଣ କରିପାରିଛି। ରଜନୀକାନ୍ତଙ୍କ ଏହି ଗଳ୍ପ ୧୯୭୭ ମସିହାରେ ‘ଆସନ୍ତାକାଲି’ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେବା ସହ ତାଙ୍କର ‘ଶତାଣ୍ଡି ପୁରୁଷ’ ଗଳ୍ପ ସଂକଳନରେ ସ୍ଥାନିତ ହୋଇ ବେଶ ଆଦୃତି ଲାଭ କରିଥିଲା। ଏହି ଗଳ୍ପରେ ଓଡ଼ିଶାର ଗ୍ର‌ାମୀଣ ପରିବେଶ ଭିତରେ ଜଣେ ଗରିବର ଚିରନ୍ତନ ପ୍ରେମ ପ୍ରତିଫଳିତ ହୋଇଛି। ଶ୍ରମିକଟି ଭଲ ପାଉଥିବା ଜଣେ ଯୁବତୀଙ୍କ ଦ୍ବାରା ପ୍ରତାରିତ ହୋଇ ଅନ୍ୟତ୍ର ଚାଲିଯିବା ପରେ ଏକ ଶାଢ଼ି ଟାଙ୍ଗି ନିଜ ପ୍ରେମିକାର ପ୍ରତୀକ ଭାବେ ଗ୍ରହଣ କରି ନିଜକୁ ଜଣେ ସଚ୍ଚା ପ୍ରେମିକର ଉଦାହରଣ ସୃଷ୍ଟି କରିପାରିଥିଲା।

ସମ୍ବନ୍ଧିତ ଖବର