ଚର୍ଚ୍ଚାରେ ରାଉରକେଲାର ଫଳ ବିକାଳି ଶ୍ରୀକାନ୍ତ

ରାଉରକେଲା: ସ୍ମାର୍ଟସିଟି ରାଉରକେଲା ରାସ୍ତାକଡ଼ରେ ଠେଲା ଲଗାଇ ଫଳ ବିକ୍ରି କରୁଥିବା ଏହି ଯୁବକ ହେଲେ ଶ୍ରୀକାନ୍ତ ସିଂହ ଯିଏ କି’ ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂ ଧୋନି ଓ ଭାରତୀୟ କ୍ରିକେଟ ଦଳର ଜଣେ ଦୃଢ଼ ପ୍ରଶଂସକ। ରାଉରକେଲା, ପାନପୋଷ ବସ୍ତିରେ ରହୁଥିବା ଶ୍ରୀକାନ୍ତ ପେଶାରେ ଫଳ ବିକାଳୀ ହେଲେ ମଧ୍ୟ ନିଶା କିନ୍ତୁ ତାଙ୍କର ଅଜବ। କ୍ରିକେଟ ଖେଳ ପ୍ରତି ତାଙ୍କର ରହିଛି ଅତ୍ୟନ୍ତ ଆଗ୍ରହ। ସେ କେବଳ ଧୋନି ଓ ଭାରତୀୟ ଦଳର ଖେଳାଳି ପରିଧାନ କରୁଥିବା ଜର୍ସି ସବୁବେଳେ ପିନ୍ଧିଥାନ୍ତି। ପଣ କରିଥିଲେ ନିଜର ଆଦର୍ଶ ମାହିଙ୍କୁ ଯେମିତି ହେଲେ ଭେଟିବାକୁ, ଆଉ ସେଥିରେ ବି ସଫଳ ହୋଇଛନ୍ତି। ଯେଉଁଥିପାଇଁ ସେ ଏବେ ଧୋନିଙ୍କ ସୁପର ଫ୍ୟାନ ଭାବେ କେବଳ ରାଉରକେଲାରେ ନୁହେଁ, ବିଭିନ୍ନ ରାଜ୍ୟରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ତେବେ ଏଥିପାଇଁ ତାଙ୍କୁ ଦୀର୍ଘ ୧୦ ବର୍ଷ ସଙ୍ଘର୍ଷ କରିବାକୁ ପଡିଛି। ବାରମ୍ବାର ରାଞ୍ଚି ଯାଇ ପ୍ରାକ୍ଟିସ ଗ୍ରାଉଣ୍ଡ, ଷ୍ଟାଡିୟମ ଓ ବାସଭବନରେ ଧୋନୀଙ୍କୁ ଭେଟିବାକୁ ପ୍ରୟାସ କରିଛନ୍ତି। କିନ୍ତୁ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବିଫଳ ହୋଇଛନ୍ତି। ତା’ସତ୍ତ୍ୱେ ସେ ହାର ମାନି ନଥିଲେ କିମ୍ବା ନିରାଶ ହୋଇନଥିଲେ। ଶେଷରେ ଧୋନି ନିଜ ଜନ୍ମ ଦିନ ଅବସରରେ ତାଙ୍କୁ ଭେଟି ଅଟୋଗ୍ରାଫ ଦେବା ସହ ଶୁଭେଚ୍ଛା ଜଣାଇଥିଲେ। ସେବେଠାରୁ  ଦେଶ ଭିତରେ ଭାରତୀୟ କ୍ରିକେଟ ଦଳ ଯେଉଁଠି ବି’ ଖେଳିବାକୁ ଯାଇଥାଏ, ଷ୍ଟାଡିୟମରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ଯାଇଥାନ୍ତି ଶ୍ରୀକାନ୍ତ। ବେଶଭୂଷାରେ ସଜ୍ଜିତ ହୋଇ ହାତରେ ତ୍ରିରଙ୍ଗା ଧରି ଷ୍ଟାଡିୟମ ଭିତରେ ଦର୍ଶକ ଓ ଭାରତୀୟ ଟିମର ଖେଳାଳିଙ୍କୁ ନିଜ ଷ୍ଟାଇଲରେ ଉତ୍ସାହିତ କରିଥାନ୍ତି। ଭାରତୀୟ  ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି ଶ୍ରୀକାନ୍ତ। ସ୍ୱଳ୍ପ ରୋଜଗାର ଓ ପରିବାରର ବୋଝ ଭିତରେ ବି ନିଜ ଖର୍ଚ୍ଚରେ ବାହାରକୁ ଯାଇ ଷ୍ଟାଡିୟମରେ ଉପସ୍ଥିତ ରହିବା ଏବଂ ଦର୍ଶକଙ୍କୁ ଆମୋଦିତ କରିବା ସହ ଭାରତୀୟ ଦଳକୁ ଉତ୍ସାହିତ କରିବା ଯୋଗୁଁ ଏବେ ଚର୍ଚ୍ଚାରେ ଅଛନ୍ତି ରାଉରକେଲା ସହରର ଏହି ଫଳ ବିକାଳି ଶ୍ରୀକାନ୍ତ।

ସମ୍ବନ୍ଧିତ ଖବର