ଟ୍ରିବ୍ୟୁନାଲରେ ଦାବି କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ମହାନଦୀ ଉପରେ ଛତିଶଗଡ଼ର ବେଆଇନ ନିର୍ମାଣକୁ ବିରୋଧ

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟର ବିଚାରପତି ଏ.ଏମ୍‌ ଖାନଓ୍ଵିଲକରଙ୍କ ଅଧ୍ୟକ୍ଷତାରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଛି। ମହାନଦୀ ଉପରେ ପ୍ରଥମେ ଛତିଶଗଡ଼ ପକ୍ଷରୁ ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ପାଇଁ ଟ୍ରିବ୍ୟୁନାଲ ନିକଟରେ ଦାବି କରାଯିବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ହୋଟେଲ କେଶରୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଆବାହକ ସୁଦର୍ଶନ ଦାସ କହିଲେ, ମହାନଦୀ ଉପରେ ଛତିଶଗଡ଼ର ଦାଦାଗିରି ଯୋଗୁଁ ରାଜ୍ୟରେ ଜଳ ସଂକଟ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ତେଣୁ ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ତେବେ ଟ୍ରିବ୍ୟୁନାଲ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଛତିଶଗଡ଼ ଦ୍ୱାରା ନିର୍ମାଣାଧୀନ ଓ ନିର୍ମିତ ସମସ୍ତ ପ୍ରକଳ୍ପକୁ ବନ୍ଦ ରଖିବା ପାଇଁ ଟ୍ରିବ୍ୟୁନାଲ ନିକଟରେ ଦାବି କରାଯିବ।ଅପରପକ୍ଷରେ ବିଶ୍ୱରେ ଦିନକୁ ଦିନ ଜଳ ସଂକଟ ବଢ଼ି ଚାଲିଛି। ଜଳର ଅପବ୍ୟବହାର, ପ୍ରଦୂଷଣ, ଜନସଂଖ୍ୟା ବୃଦ୍ଧି ଓ ଆଧୁନିକ ଜୀବନଶୈଳୀ ଯୋଗୁଁ ଜଳ ସଂକଟ ଭିତରକୁ ଠେଲି ହୋଇଯାଉଛି। ଦକ୍ଷିଣ ଆଫ୍ରିକାର କେପଟାଉନରେ ଚଳିତବର୍ଷ ଘୋର ଜଳ ସଂକଟ ଦେଖାଦେଇଛି। ତେଣୁ ବିଶ୍ୱରେ ଦେଖା ଦେଇଥିବା ଜଳ ସମସ୍ୟାର ମୁକାବିଲା କରିବା ପାଇଁ ଓ୍ଵାଲର୍ଡ ଓ୍ଵାଟର ଫୋରମ୍‌ ପକ୍ଷରୁ ବିଶ୍ୱ ଜଳ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତମାସ ୧୮ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ବ୍ରାଜିଲରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାସ କହିଛନ୍ତି। ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସୁଦର୍ଶନ ଦାସ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଲଳିତ ମୋହନ ପଟ୍ଟନାୟକ, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋୟୀ, ବିଜୟ ପ୍ରଧାନ, ମନୋଜ ଜେନା, ଅଶୋକ ପାଇକରାୟ ଓ ନିରୋଦ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର