ସୁଟିଂ ବେଳେ ଅମିତାଭ ଅସୁସ୍ଥ

ମୁମ୍ବାଇ: ଯୋଧପୁରରେ ଏକ ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ବେଳେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ମୁମ୍ବାଇରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଯୋଧପୁରରେ ପହଞ୍ଚି ତାଙ୍କର ଚିକିତ୍ସା କରିଛନ୍ତି ଏବଂ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ସୋମବାର ସାରା ରାତି ସୁଟିଂ କରିବା ପରେ ଆଜି ଭୋର୍‌ ସମୟରେ ଅମିତାଭ କାନ୍ଧ, ହାତ ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ମୁମ୍ବାଇ ଆଣିବା ବ୍ୟବସ୍ଥା କରାଯାଉଥିବା ବେଳେ ଖୋଦ୍‌ ବିଗ୍‌ବି ସୁଟିଂ ନରୋକିବାକୁ ଅନୁରୋଧ କରିଥିଲେ। ଏହାପରେ ମୁମ୍ବାଇରୁ ଡାକ୍ତରୀ ଟିମ୍‌ ସେଠାରେ ପହଞ୍ଚି ବିଗ୍‌ ବିଙ୍କ ଚିକିତ୍ସା କରିଥିଲେ। କିଛି ଦିନର ବିଶ୍ରାମ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ପତ୍ନୀ ଜୟା ବଚ୍ଚନ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ସୁଟିଂ ବେଳେ ଅଧିକ ଓଜନଦାର ପୋଷାକ ପିନ୍ଧିବାକୁ ପଡ଼ୁଥିବାରୁ ଅମିତାଭଙ୍କ କାନ୍ଧ ଓ ହାତରେ ଯନ୍ତ୍ରଣା ହୋଇଛି। ଉଲ୍ଲେଖଯୋଗ୍ୟ, ଯୋଧପୁରଠାରେ ନିର୍ଦ୍ଦେଶକ ବିଜୟ କ୍ରିଷ୍ଣାଙ୍କ ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ’ର ସୁଟିଂ ପାଇଁ ଅମିତାଭ ବଚ୍ଚନ ସେଠାରେ ଅଛନ୍ତି।

ସମ୍ବନ୍ଧିତ ଖବର