ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଡିଜି

ମାସକରେ ୫ କୋଟି ୬୬ ଲକ୍ଷ ଜରିମାନା ଆଦାୟ
ଆଇନ ଉଲ୍ଲଂଘନ କରିଛନ୍ତି ୧ ଲକ୍ଷ ୭୧ ହଜାର
୪୧୮ ଗିରଫ, ୩୫୦ ମାର୍କେଟ ଓ ସଂସ୍ଥା ସିଲ୍
୨୧ ହଜାର ୧୩୬ ଲିଟର ମଦ ଜବତ

ଭୁବନେଶ୍ବର : ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ସହ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନକୁ ଅଧିକାଂଶ ଲୋକ ପାଳନ କରୁଛନ୍ତି। କିନ୍ତୁ କିଛି ଲୋକ ଅମାନିଆ ହେଉଛନ୍ତି। ଜାଣିଶୁଣି ଆଇନ ଉଲ୍ଲଂଘନ କରୁଛନ୍ତି। ଅପରାଧୀଙ୍କୁ ଧରିବା, ଅସମାହିତ ଅପରାଧ ପର୍ଦ୍ଦାଫାସ୍ କରିବାରେ ପୁଲିସକୁ ଯେତିକି ଆତ୍ମସନ୍ତୋଷ ମିଳିଥାଏ, କୋଭିଡ୍ ଆଇନ ଉଲ୍ଲଂଘନକାରୀଙ୍କୁ ଧରିଲେ ସେତିକି ମିଳୁନାହିଁ। ରାଜ୍ୟ, ତଥା ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଆମେ ଆଇନ ଉଲଂଘନକାରୀଙ୍କୁ ଧରିବାକୁ ବାଧ୍ୟ ହେଉଛି। ଦୁଃଖ ଲାଗୁଥିଲେ ବି ଆଉ ଅନ୍ୟ ଉପାୟ ନାହିଁ। ତେଣୁ ଯେଉଁମାନେ ଆଇନ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଡିଜି ଅଭୟ ଚେତାବନୀ ଦେଇଛନ୍ତି।

ଭୁବନେଶ୍ବରରେ ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭୟ କହିଛନ୍ତି ଯେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କଲେ ଜଣେ ସଂକ୍ରମଣରୁ ରକ୍ଷା ପାଇ ପାରିବ। ଏହା ବିଶ୍ବର ବୈଜ୍ଞାନିକମାନଙ୍କ ଗବେଷଣାରୁ ଜଣାପଡ଼ିଛି। କିନ୍ତୁ ଅନେକ ସ୍ଥାନରେ କେତେକ ଅମାନିଆ ଏହାକୁ ଉଲ୍ଲଂଘନ କରି ଚାଲିଛନ୍ତି। ଗତ କିଛିଦିନ ଭିତରେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ଭଦ୍ରକ ଓ ବାଲେଶ୍ବର ଗସ୍ତ ବେଳେ ଏଭଳି ଦେଖିବାକୁ ମିଳିଛି। ଏପ୍ରିଲରେ ନିୟମ ଭାଙ୍ଗି ୧ ଲକ୍ଷ ୭୧ ହଜାର ୫୬୮ ଜଣ ଧରାପଡ଼ିଛନ୍ତି। ନିୟମ ଉଲ୍ଲଂଘନ ଅଭିଯୋଗରେ ୫ କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି। କେବଳ ମାସ୍କରୁ ୫ କୋଟି ୨୪ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ରାଜ୍ୟର ବିଭିନ୍ନ ଥାନାରେ ୭୨ଟି ମାମଲା ରୁଜୁ ହୋଇଥିବା ବେଳେ ୪୧୮ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୧୮ ହଜାରରୁ ଅଧିକ ଗାଡ଼ି ମଧ୍ୟ ଜବତ କରାଯାଇଛି। ସେଥିରୁ ୭ କୋଟି ୬ ଲକ୍ଷ ୭୮ ହଜାର ୬ଶହ ଟଙ୍କାର ଜରିମାନା ଆଦାୟ ହୋଇଛି। ୧୩୫୯ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୨୧ ହଜାର ୧୩୬ ଲିଟର ମଦ ଜବତ ହୋଇଛି। ନିୟମ ମାନି ଚଳିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ରକ୍ଷା କରିବା ଲାଗି ଶ୍ରୀ ଅଭୟ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର