ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ: ସିମେଣ୍ଟ ପ୍ରସ୍ତୁତିରେ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର ପାଇଁ ପ୍ଲାଣ୍ଟର ଦକ୍ଷତା ବଢ଼ାଅ

ପ୍ଲାଷ୍ଟିକ ନିଷିଦ୍ଧ ନିୟମକୁ କଡ଼ାକଡ଼ି ଲାଗୁ କର

ଭୁବନେଶ୍ବର : ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷିଦ୍ଧ ଆଇନକୁ ରାଜ୍ୟରେ କାଡ଼କାଡ଼ି ଲାଗୁ କର। ଏହି ନିଷିଦ୍ଧ ପ୍ଲାଷ୍ଟିକ ଉତ୍ପାଦନ ୟୁନିଟ୍‌ ଓ ବିକ୍ରି କରୁଥିବା ଦୋକାନୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।

ଲୋକସେବା ଭବନରେ ଶୁକ୍ରବାର ଦିନ ଆଭାସୀ ଜରିଆରେ ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟିର ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ବର୍ତମାନ ସୁଦ୍ଧା ୧୧,୬୯୩ଟି ଗ୍ରାମରେ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ୩୦୯୭ ଗ୍ରାମ ପଞ୍ଚାୟତରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା କଠିନ ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା କରାଯାଉଛି। ୧୩୦୬ ଗ୍ରାମରେ ଘରକୁ ଘର ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଆରମ୍ଭ ହୋଇଛି। ୧୩,୮୩୪ଟି ବର୍ଜ୍ୟ ପୃଥକୀକରଣ ସ୍ଥାନ ତିଆରି କରାଯାଇଛି। ପ୍ରାୟ ୧୩,୪୫୫ଟି ୩ ଚକିଆଗାଡ଼ିକୁ ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ୨୦୨୧/୨୨ ବର୍ଷରେ ବର୍ତମାନସୁଦ୍ଧା ପ୍ରାୟ ୮୬ ଟନ୍‌ରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇ ନିକଟତମ ସହରାଞ୍ଚଳ ବର୍ଜ୍ୟ ପରିଚାଳନା କେନ୍ଦ୍ରକୁ ପଠାଯାଇଛି। ଏହାବାଦ୍ ପ୍ରାୟ ୧୯ଶହ ବର୍ଜ୍ୟ ଏକତ୍ରୀକରଣ ସଂସ୍ଥା ଇତିମଧ୍ୟରେ ୨୩୦୧ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରିଛନ୍ତି। ସଂଗୃହୀତ ପ୍ଲାଷ୍ଟିକକୁ ପୁନଃ ବ୍ୟବହାର ପୂର୍ବବର୍ତୀ ପ୍ରକ୍ରିୟାକରଣ ପାଇଁ ଘରୋଇ ନିବେଶ ସହଭାଗିତାରେ ସ୍ବତନ୍ତ୍ର ୟୁନିଟ୍‌ ପ୍ରତିଷ୍ଠା କରାଯାଇଛି। ବର୍ଜ୍ୟ ପୃଥକୀକରଣ ଓ ପୁନଃ ବ୍ୟବହାର କେନ୍ଦ୍ର ଓ ପ୍ଲାଷ୍ଟିକ ରୂପାନ୍ତରଣ ୟୁନିଟ୍‌ଗୁଡ଼ିକର ଦକ୍ଷତା ବଢ଼ାଇବା ନିଷ୍ପତ୍ତି ହୋଇଛି।

ବୈଠକରେ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀଙ୍କୁ ନିଜ ଜିଲ୍ଲା ଓ ବନଖଣ୍ଡରେ ହାଟ ବଜାର, ପର୍ଯ୍ୟଟନସ୍ଥଳୀ, ସାଧାରଣ ସମାଗମ ସ୍ଥାନ ଆଦିରେ ପ୍ଲାଷ୍ଟିକ ବ୍ୟବହାର ବାରଣର ଅନୁପାଳନ ବିଷୟରେ ପ୍ରତି ମାସରେ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ବିଦ୍ୟାଳୟମାନଙ୍କରେ ଗଠନ ହୋଇଥିବା ଇକୋ-କ୍ଲବ୍, ସାମ୍ବାଦିକ, ବରିଷ୍ଠ ନାଗରିକ, ନିର୍ବାଚିତ ପ୍ରତିନିଧି, ବାର୍ ଆସୋସିଏସନ୍, ରୋଟାରି ଓ ଲାୟନ୍‌ସ କ୍ଲବ୍ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଅଭିଯାନରେ ସକ୍ରିୟଭାବେ ସାମିଲ କରିବା ପାଇଁ ନିର୍ଦେଶ ଦିଆଯାଇଛି। ସ୍ବତନ୍ତ୍ର ସ୍କ୍ବାଡ୍‌ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନିଷିଦ୍ଧ ପ୍ଲାଷ୍ଟିକ ଉତ୍ପାଦନ, ବିପଣୀ ଓ ବ୍ୟବହାରକାରୀଙ୍କ ଦୋକାନୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନାରେ ପ୍ଲାଷ୍ଟିକ ବର୍ଜ୍ୟର ପୁନଃ ବ୍ୟବହାରକୁ ସୁନିଶ୍ଚିତ କରିବା ଉପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପୂର୍ତ, ଗ୍ରାମ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା ହୋଇଥିଲା। ସିମେଣ୍ଟ ପ୍ରସ୍ତୁତିରେ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର ପାଇଁ ପ୍ଲାଣ୍ଟର ଦକ୍ଷତା ବଢ଼ାଇବାକୁ କମ୍ପାନିମାନଙ୍କୁ କୁହାଯାଇଛି। ରାସ୍ତା ନିର୍ମାଣରେ ପ୍ଲାଷ୍ଟିକର ନିୟମିତ ଯୋଗାଣ ଓ ବ୍ୟବହାର ନିଶ୍ଚିତ କରିବା ପାଇଁ ଜଙ୍ଗଲ, ପରିବେଶ ବିଭାଗକୁ ନିର୍ଦେଶ ଦିଆଯାଇଛି।

ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥାନନ, ପରିବେଶ ନିର୍ଦେଶକ ସୁଶାନ୍ତ ନନ୍ଦ, ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ସଦସ୍ୟ ସଚିବ କେ.ମୁରୁଗେଶାନଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର