ଅଚଳାବସ୍ଥା ସତ୍ତ୍ବେ ନିର୍ବିକାର : ହାଇକୋର୍ଟ ବେଞ୍ଚ୍‌ ଦାବିରେ ସବୁ ସରକାରୀ ଅଫିସ ବନ୍ଦ

ବୁର୍ଲା ବଡ଼ ମେଡିକାଲରେ ଅଚଳାବସ୍ଥା, ରୋଗୀ ହନ୍ତସନ୍ତ, ଘୋଷଣା ସତ୍ତ୍ବେ ହୋଇପାରୁନି ଧାନକିଣା, ତାତିଲେଣି ଚାଷୀ, ସରକାର, ପ୍ରଶାସନ ନିର୍ବିକାର, ନେତାଙ୍କର ବି ଦେଖାନାହିଁ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ଏବେ ଅଭାବନୀୟ ପରିସ୍ଥିତି। ଏକ ସମୟରେ ଚାଲିଛି ଡାକ୍ତର, ଓକିଲ ଓ ଚାଷୀଙ୍କ ଆନ୍ଦୋଳନ। ଆଜି ଏହାର ଗୁରୁତର ପ୍ରଭାବ ଦେଖିବାକୁ ମିଳିଛି ସମ୍ବଲପୁର ଓ ଅନ୍ୟ ସ୍ଥାନଗୁଡ଼ିକରେ। ଗତ ସେପ୍ଟେମ୍ବର ୫ ତାରିଖରୁ ଆନ୍ଦୋଳନ ଚଳାଇ ରଖିଥିବା ଓକିଲ ଓ ସେମାନଙ୍କୁ ସମର୍ଥନ କରୁଥିବା ସଂଗଠନମାନେ ସମ୍ବଲପୁର ଜିଲ୍ଲାରେ ସବୁ ରାଜ୍ୟ ଓ କେନ୍ଦ୍ର ସରକାରୀ ଅଫିସ ବନ୍ଦ କରି ଦେଇଛନ୍ତି। ଜିଲ୍ଲାପାଳ ଅଫିସ, ଟ୍ରେଜେରି ଓ ଡାକଘର ଇତ୍ୟାଦି ମଧ୍ୟ ବନ୍ଦ ହୋଇଯିବା ଫଳରେ ଲୋକମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।

ସେପଟେ ଏ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ଏକମାତ୍ର ଆଲୋକବର୍ତ୍ତିକା କୁହାଯାଉଥିବା ବୁର୍ଲା ବଡ଼ ମେଡିକାଲ (ଭିମ୍‌ସାର) ନିର୍ଦେଶକ ଓ କନିଷ୍ଠ ଡାକ୍ତର ମୁହାଁମୁହିଁ ହେବା ଫଳରେ ତିନି ଦିନ ହେଲା ରୋଗୀ ସେବା ଏକରକମ ଅଚଳ। ବହୁ ଗୁରୁତର ରୋଗୀ ଡାକ୍ତରଖାନାକୁ ଆସିବା ପରିବର୍ତ୍ତେ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ବର, କଟକ, ରାୟପୁର ନହେଲେ ଘରୋଇ ହସ୍ପିଟାଲକୁ ମୁହାଁଇବା ପାଇଁ ବାଧ୍ୟ ହେଉଛନ୍ତି।

କେବଳ ଏତିକି ନ‌ୁହେଁ, ବର୍ତ୍ତମାନ ଧାନ କିଣା ଋତୁରେ ବି ଚାଷୀଙ୍କ ପାଇଁ ସୃଷ୍ଟି ହୋଇଛି ସମସ୍ୟା। ଉପଯୁକ୍ତ ମଣ୍ଡି ବ୍ୟବସ୍ଥା ଓ ଆନୁଷଙ୍ଗୀକ କାର୍ଯ୍ୟ ନ କରି ଧାନ ବିକ୍ରି ତାରିଖ ଘୋଷଣା କରିଦେଇଛନ୍ତି ସ୍ଥାନୀୟ ପ୍ରଶାସନ। ମାତ୍ର ମିଲର୍ସଙ୍କ ଅସହଯୋଗ ଫଳରେ ଅଡ଼ୁଆରେ ପଡୁଛନ୍ତି ଚାଷୀ। ସରକାରୀ ବ୍ୟବସ୍ଥାରେ ଧାନ କିଣାବିକାରେ ମିଲର୍ସଙ୍କ ସିଧାସଳଖ ଭୂମିକା ନ ଥିବା ସତ୍ତ୍ବେ ବିଭିନ୍ନ ସ୍ଥାନରେ ଅଟକି ରହିଛି ଧାନକିଣା। ଏହା ଚାଷୀମାନଙ୍କୁ ତତାଇ ଦେଇଛି। ଚାଷୀ ସଂଗଠନଙ୍କ ଚରମବାଣୀ ପରେ ଆଜି କିଛି ସ୍ଥାନରେ ଧାନ କିଣା ଆରମ୍ଭ ହୋଇଥିଲେ ବି ଧାନ ବିକ୍ରି କରି ନପାରି ଚାଷୀମାନେ ସମ୍ବଲପୁର ବରଗଡ଼ ରାସ୍ତାର ଗୋଶାଲାଠାରେ ରାସ୍ତାରୋକ କରିଛନ୍ତି।

କିନ୍ତୁ ଏ ସବୁ ଘଟଣାରେ ସରକାର ଓ ପ୍ରଶାସନର ଭୂମିକା ‌ଆଶ୍ଚର୍ଯ୍ୟ କରିଦେବା ପରି। ଦୀର୍ଘ ଦିନ ଧରି ଓକିଲ ଆନ୍ଦୋଳନ ଚାଲୁଥିଲେ ବି ଓ ସରକାରୀ କାର୍ଯ୍ୟ ଠପ୍ ରହିଥିଲେ ବି ଓକିଲସଂଘ ସହ ପ୍ରଶାସନ କି ଜନପ୍ରତିନିଧି କେହି ଆଲୋଚନା ପାଇଁ ଆଗେଇ ଆସିନାହାନ୍ତି। ରାଜନେତାମାନେ ବି ଅସମ୍ଭବ ଭାବେ ମୌନବ୍ରତ ଅବଲମ୍ବନ କରୁଛନ୍ତି। ଜନସାଧାରଣଙ୍କ ଦୁର୍ଦ୍ଦଶା ଦୂର କରିବାକୁ କିଛି ବାଟ ବାହାର କରିବା ଲାଗି ମଧ୍ୟ ସେମାନେ ଉଚିତ ମଣୁନାହାନ୍ତି। ଫଳରେ ସାଧାରଣ‌ ଲୋକମାନେ ହିଁ ଘାଣ୍ଟି ହେଉଛନ୍ତି।

ସେହିପରି ବୁର୍ଲାରେ ଡାକ୍ତର ଆନ୍ଦୋଳନରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଜୀବନ ମରଣର ସଂଘର୍ଷ ଲଢ଼ୁଥିବା ପଶ୍ଚିମ ଓଡ଼ିଶାର ଗରିବ ରୋଗୀମାନେ। କିନ୍ତୁ ସେମାନଙ୍କ ଏହି ଦୁର୍ଦ୍ଦଶା ସ୍ଥାନୀୟ ଲୋକପ୍ରତିନିଧିଙ୍କ ଉପରେ କିଛି ପ୍ରଭାବ ପକାଇ ପାରୁନି। ସ୍ଥାନୀୟ ବିଧାୟିକା ନିଜେ ଜଣେ ସମ୍ବେଦନଶୀଳ ଡାକ୍ତର। ତଥାପି ଏହି ଘଟଣାରେ ସେ ନିରବ ରହିବା ଜନସାଧାରଣଙ୍କ ମଧ୍ୟରେ ନାନା ପ୍ରଶ୍ନ ସୃଷ୍ଟି କରିଛି। ଅନ୍ୟ ଦଳର ନେତାମାନେ ମଧ୍ୟ ଚୁପ ରହିଛନ୍ତି। ସ୍ଥାନୀୟ ପ୍ରଶାସନ ଏସବୁ ଘଟଣାରେ ହସ୍ତକ୍ଷେପ କରି କିଛି ସମାଧାନ ବାଟ ବାହାର କରିବା ବଦଳରେ କେବଳ ନିରବ ଦର୍ଶକ ସାଜିଛନ୍ତି। ଆଗକୁ ପରିସ୍ଥିତି ଅଧିକ ଗୁରୁତର ହେବାକୁ ଯାଉଛି। ଲୋକମାନେ ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଆଗରୁ ‌ପ୍ରଶାସନ ଓ ସରକାର ନିଦରୁ ଉଠି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର