ସହର ଗ୍ୟାସ୍‌ ବିତରଣ:୩ କଂପାନି ଖଟାଇବେ ୩୪୦୦ କୋଟି

୧୭ଟି ଜିଲ୍ଲାରେ ପାଇପ୍‌ରେ ମିଳିବ ଗ୍ୟାସ୍‌ ୨୨ରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ

ଭୁବନେଶ୍ବର: ରାଜ୍ୟର ୧୭ଟି ଜିଲ୍ଲାରେ ପାଇପ୍ ଜରିଆରେ ଗ୍ୟାସ୍‌ ବିତରଣ ପାଇଁ ତିନିଟି କଂପାନି ପ୍ରାୟ ୩୪୦୦ କୋଟି ଟଙ୍କା ନିବେଶ କରିବେ। ସେହି ତିନି କଂପାନି ହେଉଛନ୍ତି ଗେଲ୍‌, ଭାରତ ଗ୍ୟାସ୍‌ ଓ ଆଦାନି ଗ୍ୟାସ୍‌। ଆଠ ବର୍ଷ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ଓ ଏହା ଦ୍ବାରା ରାଜ୍ୟରେ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କଂପାନିଗୁଡ଼ିକ ପକ୍ଷରୁ କୁହାଯାଇଛି। ସହର ଗ୍ୟାସ୍‌ ପ୍ରକଳ୍ପ (ସିଜିପି)ର ନବମ ପର୍ଯ୍ୟାୟ ନିଲାମରେ ଦେଶର ୮୩ଟି ଭୌ‌େଗାଳିକ ଅଞ୍ଚଳ (ଜିଏ) ୧୭୪ଟି ଜିଲ୍ଲା ପାଇଁ ନିଲାମ ଡକାଯାଇଥିଲା। ସେଥିରେ ଓଡ଼ିଶାର ସାତଟି ଭୌଗୋଳିକ ଅଞ୍ଚଳର ୧୭ଟି ଜିଲ୍ଲା ଥିଲା। ଚଳିତ ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଦେଶର ୬୩ଟି ଭୌଗୋଳିକ ଅଞ୍ଚଳରେ ସହର ଗ୍ୟାସ୍‌ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ। ସିଜିପିର ଦଶମ ପର୍ଯ୍ୟାୟରେ ୧୪ଟି ରାଜ୍ୟର ୧୨୩ଟି ଜିଲ୍ଲା ପାଇଁ ନିଲାମ ଆହ୍ବାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସେହିଦିନ ଘୋଷଣା କରିବେ। ଏହି ଅବସରରେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପରିବେଶ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଉପସ୍ଥିତ ରହିବେ। ରାଜ୍ୟର ରାଉରକେଲାରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବ୍ରହ୍ମପୁରରେ ରାମ କ୍ରିପାଲ୍ ଯାଦବ ଓ ଯାଜପୁର କାର୍ଯ୍ୟକ୍ରମରେ ସୁଦର୍ଶନ ଭଗତ ଉପସ୍ଥିତ ଥିଲେ। ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆନ୍ ଅଏଲ୍‌ର ରାଜ୍ୟ ସଂଯୋଜକ ପ୍ରୀତିଶ ଭାରତ, ଆଦାନି ଗ୍ୟାସ୍‌ର ଉପସଭାପତି ଆର୍‌ ବି ସିଂହ, ଭାରତ ଗ୍ୟାସ୍‌ର ଡିଜିଏମ୍ ହର୍‌ନୀତ ସିଂହ ଓ ଗେଲ୍‌ ଗ୍ୟାସ୍‌ର ସିଜିଏମ୍ ଆର୍‌ ଚୌଧୁରୀ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର