ବିଜ୍ଞାପନ ନାଁରେ ପେଟ୍ରୋଲିୟମ୍ କମ୍ପାନିରୁ ୫୦ କୋଟି ଆତ୍ମସାତ ହୋଇଛି: କଂଗ୍ରେସ

‌କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ୁଛି : ବିଜେପି

ଭୁବନେଶ୍ବର : ବହି ବିଜ୍ଞାପନ ନାଁରେ ରାଜ୍ୟ ବିଜେପି ନେତାମାନେ ସାତୋଟି ସରକାରୀ ପେଟ୍ରୋଲିୟମ୍‌ କମ୍ପାନିରୁ ଶହଶହ କୋଟି ଟଙ୍କା ଲୁଟ୍‌ କରିଥିବା ନେଇ ଅଭିଯୋଗ କରିଛି ଛାତ୍ର କଂଗ୍ରେସ।

ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଇତିଶ ପ୍ରଧାନ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ରାଜ୍ୟ ବିଜେପି ନେତାମାନଙ୍କ ଦ୍ବାରା କରାଯାଇଥିବା ଅନାମଧେୟ ଏବଂ ଅଣପଞ୍ଜିକୃତ ଟ୍ରଷ୍ଟକୁ ବହି ଛାପିବା ବାବଦରେ ୭ଟି ପେଟ୍ରୋଲିୟମ୍‌ କମ୍ପାନି କୋଟି କୋଟି ଟଙ୍କା ଦେଇଛନ୍ତି। ତାହା ପୁଣି ମାତ୍ର ୫୦ ଖଣ୍ଡ ବହି ବାବଦକୁ। ଏହି ବହିଗୁଡ଼ିକରେ କିଏ ପ୍ରକାଶକ କିଏ ମୁଦ୍ରକ ତାର କୌଣସି ତଥ୍ୟ ନାହିଁ। ବିଜ୍ଞାପନ ନାଁରେ ସାଧାରଣ ଲୋକଙ୍କ ଟଙ୍କାକୁ ହଡ଼ପ କରାଯାଉଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶା ଟ୍ରାଇବାଲ ଆଣ୍ଡ ରୁରାଲ ଟୁରିଜିମ କୋପରେଟିଭ ସୋସାଇଟି ମୁଖ୍ୟ ଥିଲେ। ସେ ଏବେ ଓହରି ଯାଇଇଥିବା ବେଳେ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏହାର ସଭାପତି ଅଛନ୍ତି। ହରେକୃଷ୍ଣଙ୍କର ଏକ ସଂସ୍ଥା ଏଭଳି ବହି ଛାପି ୫୦ କୋଟି ନେଇଛି। ତାହା ବାବଦରେ କୋଟିକୋଟି ଟଙ୍କା ଟିକସ ମଧ୍ୟ ଫାଙ୍କି ହୋଇଛି। ଟଙ୍କା ହଡ଼ପର କେନ୍ଦ୍ରସ୍ଥଳୀ ପାଲଟିଛି ଏକାମ୍ର ହାଟ ସମ୍ମୁଖରେ ଥିବା ଦୁଇଟି ଘର। ଏହି ବିଜ୍ଞାପନ ରୢାକେଟ୍‌ର ମୁଖ୍ୟ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ କିଙ୍ଗପିନ୍‌ ହେଉଛନ୍ତି ଶ୍ରୀ ଖୁଣ୍ଟିଆ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ସେହିପରି ଉଜ୍ଜଳା ଦିଦି‌ରେ ମଧ୍ୟ କେଳେଙ୍କାରୀ ହୋଇଛି। ଏକ ନିର୍ଦିଷ୍ଟ ସଂସ୍ଥାକୁ ଅନୁକମ୍ପା ଦେଖା ଯାଇ ଟେଣ୍ଡର ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ପ୍ରଧାନଙ୍କ ଏଭଳି ଅଭିଯୋଗର ଜବାବ ରଖିଛି ଭାରତୀୟ ଜନତା ପାର୍ଟି। ପାର୍ଟି ପକ୍ଷରୁ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତ, ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ସରକାର ଉଭୟ ଦେଶ ଓ ରାଜ୍ୟକୁ ଲୁଟିଛନ୍ତି। ଜନସାଧାରଣ ସେମାନଙ୍କୁ ପ୍ରତ୍ୟାଖାନ କରିବା ପରେ ଏବେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି। ଯେଉଁ ଦଳ ଦୁର୍ନୀତିରେ ବୁଡ଼ି ରହିଛି ସେ ଦଳକୁ ସବୁ ଘୋଟାଲା ଭଳି ଲାଗୁଛି। ନିଜ ଦୋଷକୁ ଲୁଚାଇବାକୁ ଯାଇ ଅନ୍ୟକୁ ଆଙ୍ଗୁଠି ଦେଖାଇବା ଅତ୍ୟନ୍ତ ହାସ୍ୟାସ୍ପଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ଜନହିତକର କାର୍ଯ୍ୟକୁ ଦେଖି କଂଗ୍ରେସ ଈର୍ଷାନ୍ବିତ ହୋଇ ପଡ଼ିଛି ବୋଲି ମୁଖପାତ୍ର ଶ୍ରୀ ମହାପାତ୍ର ପାଲଟା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର