ସରୁନିି ସେତୁ ନିର୍ମାଣ : ଦୁର୍ଦ୍ଦଶା ଭୋଗୁଛନ୍ତି ୬ଟି ପଞ୍ଚାୟତବାସୀ; ଭତ୍ତା, ରାସନ୍‌ ଓ ଔଷଧ ପାଇଁ ବିପଦ ସଂକୁଳ ଭାବରେ ହେଉଛନ୍ତି ନଦୀ ପାର

ଦଶପଲ୍ଲା : କୋଳରେ କୁନି ଛୁଆ। ନଦୀକୁ ଚାହିଁଲେ ଆଖି ପାଉନି ପାଣି। କେଉଁଠି ଆଣ୍ଠୁଏ ତ କେଉଁଠି ଛାତିଏ। ତେବେ ବି ତାରି ମଧ୍ୟରେ ଆଦିବାସୀ ବହୁଳ ୧୦ରୁ ଊର୍ଦ୍ଧ୍ବ ଗ୍ରାମର ଜନସାଧାରଣ ଏବଂ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। ଛାତ୍ରଛାତ୍ରୀ ମାନେ ପାଠପଢାଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଏବଂ ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା, ରାସନ ସାମଗ୍ରୀ ଓ ଔଷଧ ଆଣିବାକୁ ପଡ଼ୁଛି। ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି କୁନିକୁନି ଛୁଆଙ୍କୁ ମଧ୍ୟ ବିପଦ ସଂକୁଳ ଭାବରେ ଟିକାକରଣ ପାଇଁ ଏହି ଭରାନଦୀ ପାର ହେବାକୁ ପଡ଼ୁଛି।

ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଲୁରୁକୁମ୍ପା ପଞ୍ଚାୟତର ଗୁରାହାଠାରୁ ଗୋଛାବାରୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ବୃତଙ୍ଗ ନଦୀସ୍ଥିତ ବିଡ଼ା ଘାଟଠାରେ ଅଂଚଳବାସୀଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଆଦିବାସୀ ବହୁଳ ବାଈଝରୀ, ଗୋଛାବାରୀ, ରାଣୀଝିରି, ମାଣ୍ତିବିଡ଼ା, ସିରିକାଡ଼ି ଓ ଜୁରାଗଣ୍ତା ପ୍ରଭୃତି ଗ୍ରାମ ପୂର୍ବରୁ କୁଲୁରୁକୁମ୍ପା ପଞ୍ଚାୟତ ଅଧୀନରେ ରହିଥିବା ବେଳେ ଏବେ ଦୁଡ଼ା ପଞ୍ଚାୟତ ଅଧୀନରେ ରହିଛି। କିନ୍ତୁ ଦୁଡ଼ା ପଞ୍ଚାୟତରେ ଆଜିସୁଦ୍ଧା ଭତ୍ତା କିମ୍ବା ରାସନ ସାମଗ୍ରୀ ଦିଆଯାଉନାହିଁ। ଦୁଡ଼ା ପଞ୍ଚାୟତକୁ ଯାତାୟାତ କରିବା ପାଇଁ କୌଣସି ଗମନାଗମନର ସୁବିଧା ନଥିବା ବେଳେ ବାଈଝରୀ ଓ ଗୋଛାବାରୀ ଗ୍ରାମର ଜନସାଧାରଣ ପୂର୍ବଭଳି କୁଲୁରୁକୁମ୍ପା ପଞ୍ଚାୟତରୁ ରାସନ ଓ ଭତ୍ତା ନେବାକୁ ଆସୁଛନ୍ତି। ଏସବୁ ଗ୍ରାମର ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ପ୍ରାୟ ୭/୮ କିମି ଅତିକ୍ରମ କରି ବର୍ଷ ବର୍ଷ ଧରି ବୃତଙ୍ଗ ନଦୀ ପାର ହୋଇ କୁଲୁରୁକୁମ୍ପା ଓ ବାଣିଗୋଛା ଯାଉଛନ୍ତି।

ବଡ଼କଥା ହେଉଛି ନଦୀରେ ପାଣି ଆସିଲେ ବା କୌଣସି ମାସରେ ରାସନ ସାମଗ୍ରୀ ଉଠାଇ ନପାରିଲେ ପରବର୍ତ୍ତୀ ମାସରେ ସେସବୁ ରାସନ ସାମଗ୍ରୀ ମିଳୁନଥିବା କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି। ଅଂଚଳବାସୀଙ୍କ ବହୁ ଦାବି ଓ ପ୍ରତିବାଦ ପରେ ୫୭ ନମ୍ବର ଜାତୀୟ ରାଜପଥର ଗୁରାହାଠାରୁ ଗୋଛାବାରୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ସହ ବୃତଙ୍ଗ ନଦୀର ବିଡ଼ା ଘାଟଠାରେ ୧୨୩.୨୫ ମିଟର ଲମ୍ବର ଏକ ସେତୁ ନିର୍ମାଣ ପାଇଁ ୬ କୋଟି ୮୯ ଲକ୍ଷ ୯୩ ହଜାର ଟଙ୍କା ମଞ୍ଜୁର ହୋଇଛି। ଏହାର ନିର୍ମାଣ ଅବଦ୍ଧି ୨୦୧୭ ଅକ୍ଟୋବର ୧୭ ତାରିଖଠାରୁ ୨୦୧୯ ଅକ୍ଟୋବର ୧୬ ତାରିଖ ମଧ୍ୟରେ ରହିଥିବା ବେଳେ ଏହି କାର୍ଯ୍ୟକୁ ଓଡ଼ଗାଁ ସ୍ଥିତ ମେସର୍ସ ରଘୁନାଥ କନ‌୍‌ଷ୍ଟ୍ରକସନ୍ କରୁଛି। ଏପଟେ ସମୟ ଅବଦ୍ଧିକୁ ଆଉ ମାତ୍ର ଦେଢ଼ ମାସ ବାକି ରହିଥିବା ବେଳେ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି। ସଂପୃକ୍ତ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଖିଆଲି ମନୋଭାବକୁ ନେଇ ଏହାର ସମୟ ଅବଧି ମଧ୍ୟରେ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ଅନିଶ୍ଚିତ ହୋଇପଡ଼ିଛି, ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ସୁବୁଦ୍ଧିଙ୍କୁ ପଚାରିବାରୁ, କାମ ଚାଲିଛି, ଦୁଇଟି ପିଲାର୍‌ ହୋଇଛି ଓ ଆଉ ଦୁଇଟି ପିଲାର ନିର୍ମାଣ ହେବ, ବର୍ଷା ହେତୁ କାମ ବନ୍ଦ ଥିବା ବେଳେ ଆସନ୍ତା ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି। କିନ୍ତୁ ରାସନ ସାମଗ୍ରୀ ସମ୍ପର୍କରେ କୁଲୁରୁକୁମ୍ପା ଭିଏଲ୍‌ଡବ୍ଲ୍ୟୁଙ୍କ ମତାମତ ପାଇଁ ଯୋଗାଯୋଗ କରିଥିବା ବେଳେ ତାଙ୍କ ଫୋନ ବନ୍ଦ ରହିଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର